18.1 C
Bhubaneswar
Monday, December 15, 2025
Homeଦେଶ ବିଦେଶକୋଲାକାତା ଟ୍ରେନି ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲା; ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରିବ...

କୋଲାକାତା ଟ୍ରେନି ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲା; ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରିବ ସିବିଆଇ

ନୂଆଦିଲ୍ଲୀ: ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଅଘଟଣକୁ କେନ୍ଦ୍ର କରି ଗତ ମାସାଧିକ କାଳ ଧାରଣାରେ ବସିରହି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଡାକ୍ତରଙ୍କୁ ଆସନ୍ତା କାଲି ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ତୁରନ୍ତ କାର୍ଯ୍ୟକୁ ଫେରିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ନିର୍ଦ୍ଦେଶ ଅବମାନନା କ୍ଷେତ୍ରରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଏକ ଷ୍ଟାଟସ୍ ରିପୋର୍ଟ (ଡାକ୍ତରମାନେ ଧର୍ମଘଟ ଜାରି ରଖିଥିବାରୁ ଚିକିତ୍ସା ଅଭାବରୁ ୨୩ ରୋଗୀଙ୍କର ମୃତ୍ୟୁ ହୋଇଥିବା) ଆଧାରରେ ବିକ୍ଷୋଭରତ ଡାକ୍ତରଙ୍କ ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏପ୍ରକାର ଶକ୍ତ ଆଭିମୂଖ୍ୟ ଦେଖାଇଥିବା ଜଣାପଡିଛି। ପ୍ରକାଶ, ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।
ସୋମବାର ଏହି ମାମଲାରେ ଖଣ୍ଡପୀଠ ଶୁଣାଣି କରିଥିବା ବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଏହି ଘଟଣାର ନୂଆ ତଦନ୍ତଜନିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିବା ସୂଚନା ମିଳିଛି। ତଦନ୍ତ ଚାଲିଥିବା ନେଇ ଏହି ରିପୋର୍ଟରେ କୁହାଯାଇଛି। ତେବେ ସୁପ୍ରିମକୋର୍ଟ ଆସନ୍ତା ୭ ଦିନ ମଧ୍ୟରେ ଆଉ ଏକ ତଦନ୍ତ ଜନିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୭ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟ ଆଜି ତାରିଖ ଧାର୍ଯ୍ୟ କରିଥିବା ବେଳେ ଏହା ପୂର୍ବରୁ ଅପଡେଟେଡ୍ ତଦନ୍ତଜନିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କୁହାଯାଇଛି। ସେହିପରି ଆରଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଘଟଣ ଘଟିବାର ୧୪ ଘଣ୍ଟା ବିଳମ୍ବରେ ଏଫଆଇଆର୍ ରୁଜୁ ହୋଇଥିବା ଏବଂ ଏଥିରେ ପୀଡିତାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ପୁଲିସ ଉଲ୍ଲେଖ କରିଥିବା ସମ୍ପର୍କରେ ସୁପ୍ରିମକୋର୍ଟ ଜାଣିବା ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାର ଏବଂ ପୁଲିସ୍ ପ୍ରଶାସନକୁ ଏନେଇ ସୁପ୍ରିମକୋର୍ଟ ଆଜି ରିପୋର୍ଟ ତଲବ କରିଛନ୍ତି। ତେବେ ଆଜିର ଶୁଣାଣି ସମୟରେ ସମସ୍ତ ସାମାଜିକ ଗଣମାଧ୍ୟମଗୁଡ଼ିକରୁ ପୀଡ଼ିତା (ମୃତ ଡାକ୍ତରାଣୀ)ଙ୍କ ଫଟୋକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ମହିଳା ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ଇତି ମଧ୍ୟରେ ଏକ ମାସ ପୂରିଛି। ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ମାମଲା ରୁଜୁ ପୂର୍ବକ ଶୁଣାଣି କରୁଛନ୍ତି। ସୁପ୍ରିମକୋର୍ଟ ନିଜ ଆଡୁ ପ୍ରଥମ ଥର ପାଇଁ ଅଗଷ୍ଟ ୨୨ରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ହତ୍ୟା ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ସୁପ୍ରିମକୋର୍ଟ ଏହି ଘଟଣାକୁ ଭୟଙ୍କର ବୋଲି କହିଥିଲେ। ଏହାସହିତ ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ପ୍ରୋଟୋକଲ ପ୍ରସ୍ତୁତ କରିବା ପାଇଁ ଏକ ୧୦ଜଣିଆ ନ୍ୟାଶନାଲ ଟାସ୍କ ଫୋର୍ସ ଗଠନ କରିବା ସହିତ ଅନେକ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking