କୋଲକାତା: ଚଳିତମାସ ୨୩ରୁ ଏୟାର ଇଣ୍ଡିଆ ତରଫରୁ କୋଲକାତାରୁ ବ୍ୟାଙ୍କକ୍ ପର୍ଯ୍ୟନ୍ତ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରାଯିବ ବୋଲି ଜଣାପଡିଛି । ପ୍ରତ୍ୟେକ ଦିନ ରାତି ୧୦ଟାରେ ଏହି ବିମାନ କୋଲକାତାରୁ ଉଡାଣ ଆରମ୍ଭ କରି ରାତି ୨ଟା ୦୫ରେ ବ୍ୟାଙ୍କକ୍ରେ ଅବତରଣ କରିବ ବୋଲି କୁହାଯାଇଛି ।
ସେହିପରି ବ୍ୟାଙ୍କକ୍ରୁ ଭୋର ୪ଟା ୧୦ରେ ଛାଡୁଥିବା ବିମାନ ସକାଳ ୭ଟାରେ କୋଲକାତାରେ ପହଞ୍ଚିବ । ନ୍ୟାରୋ ବଡି ଏୟାରବସ୍ ବିମାନ ବ୍ୟବହାର କରାଯାଉଥିବାବେଳେ ସେଥିରେ କେବଳ ଇକୋନମି ଓ ବିଜିନେସ୍ କ୍ଲାସ୍ ଯାତ୍ରା ସୁବିଧା ମିଳିବ । ଏୟାର ଇଣ୍ଡିଆ ପକ୍ଷରୁ ବର୍ତ୍ତମାନ ଦିଲ୍ଲୀ ଓ ମୁମ୍ବାଇରୁ ବ୍ୟାଙ୍କକ୍ ମଧ୍ୟରେ ସପ୍ତାହରେ ୧୪ଟି ବିମାନ ଚଳାଚଳ କରୁଛି ।