ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ୟାପ୍ଟେନ୍ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ବିରାଟ କୋହଲି ଟେଷ୍ଟ୍ ଅଧିନାୟତ୍ୱ ଛାଡ଼ନ୍ତୁ ବୋଲି ବୋର୍ଡ ଚାହୁଁନଥିଲା । ଏପରି ନିଷ୍ପତ୍ତିରୁ ଓହରିବା ପାଇଁ ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଥିଲା । ସେ କହିଛନ୍ତି, ଅଧିନାୟକତ୍ୱ ଛାଡ଼ିବା ନିଷ୍ପତ୍ତି କୋହଲିଙ୍କର ଥିଲା । ଯେତେବେଳେ ଏ ଖବର ଶୁଣିଲି ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲି । ବିସିସିଆଇ ଏଥିପାଇଁ ପ୍ରସ୍ତୁତ ନଥିଲା । ସେତେବେଳେ ଟିମ୍ର ନେତୃତ୍ୱ ନେବା ପାଇଁ ରୋହିତ ଶର୍ମା ହିଁ ଏକମାତ୍ର ବିକଳ୍ପ ଥିଲେ ବୋଲି ସେ କହିଛନ୍ତି ।
ଡବ୍ଲ୍ୟୁଟିସି ଫାଇନାଲ୍ ପରାଜୟ ସମ୍ପର୍କରେ ଗାଙ୍ଗୁଲି କହିଛନ୍ତି ଟିମ୍ ଇଣ୍ଡିଆର ଆପ୍ରୋଚ୍ ବିଲ୍କୁଲ୍ ଡିଫେନ୍ସିଭ୍ ଥିଲା । ଟିମ୍ ରିସ୍କ ନେଇନଥିଲା । ଖୋଲା ମନରେ ଟିମ୍କୁ ଖେଳିବାର ଥିଲା । ଏକ ଟିଭି ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତକାରରେ ଗାଙ୍ଗୁଲି ଏହା କହିଛନ୍ତି । ସୂଚନାଯୋଗ୍ୟ, ବିରାଟ କୋହଲି ୨୦୨୨ ଜାନୁଆରୀରେ ଟେଷ୍ଟ୍ ଅଧିନାୟକତ୍ୱ ଛାଡ଼ିଥିଲେ । ସାଉଥ୍ ଆଫ୍ରିକାରେ ଟିମ୍ ଇଣ୍ଡିଆର ୨-୧ରେ ପରାଜୟ ପରେ ସେ ଏହି ନିଷ୍ପତ୍ତି ନେଇଥିଲେ । ଏହା ପୂର୍ବରୁ ୨୦୨୧ ନଭେମ୍ବରରେ ବିଶ୍ୱକପ୍ ପରେ ସେ ଟି-୨୦ ଅଧିନାୟକତ୍ୱ ଛାଡ଼ିଥିଲେ । ୨୦୨୧ ଡିସେମ୍ବରରେ ତାଙ୍କୁ ଦିନିକିଆ ଟିମ୍ର କ୍ୟାପ୍ଟେନ୍ ପଦରୁ ହଟାଇ ଦିଆଯାଇଥିଲା ।