19.1 C
Bhubaneswar
Friday, November 22, 2024
Homeଓଡିଶାପରାଜୟ ସ୍ପଷ୍ଟ ଜାଣିପାରି କଳାଟଙ୍କା, ଖଣ୍ଡା, ବନ୍ଧୁକର ସାହାରା ନେଉଛି ବିଜେଡି: ଅନିଲ ବିଶ୍ୱାଳ

ପରାଜୟ ସ୍ପଷ୍ଟ ଜାଣିପାରି କଳାଟଙ୍କା, ଖଣ୍ଡା, ବନ୍ଧୁକର ସାହାରା ନେଉଛି ବିଜେଡି: ଅନିଲ ବିଶ୍ୱାଳ

ଭୁବନେଶ୍ୱର : ନିର୍ବାଚନ ପରାଜୟରୁ ବଂଚିବା ପାଇଁ ବିଜୁ ଜନତା ଦଳ କଳା ଟଙ୍କା ଏବଂ ହିଂସାର ସାହାର ନେଉଛି । ବିଜେଡିର ସାଧାରଣ ସମ୍ପାଦକ ତଥା ସମ୍ବଲପୁରର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଘନିଷ୍ଠ ସହଯୋଗୀଙ୍କ କାର୍‌ରୁ ୫କୋଟି ଟଙ୍କା ଜବତ ହେବା ହେଉଛି ଏହାର ପ୍ରମାଣ । ଯାହାଙ୍କଠାରୁ ଟଙ୍କା ଜବତ ହୋଇଛି ସେହି ଠିକାଦାର ଜଣକ ଯାଜପୁର ପାହାଡ କେଳେଙ୍କାରୀର ଅନ୍ୟତମ ଅଭିଯୁକ୍ତ । ଏହି ଟଙ୍କା ଯାଜପୁରର କୋରେଇ ଓ ସମ୍ବଲପୁରକୁ ନିଆଯାଉଥିଲା ଲୋକମାନଙ୍କୁ ବାଂଟିବା ପାଇଁ । ବୌଦ୍ଧର ଚାରି ଛକରେ ବିଜେଡିର ଜଣେ ମହିଳା ପ୍ରବକ୍ତାଙ୍କ ଗାଡିରୁ ୧୫ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ଜବତ ହୋଇଛି । ଏହି ଟଙ୍କା ମଧ୍ୟ ଶାସକ ଦଳର କଳା ଟଙ୍କା । ଜଳେଶ୍ୱରରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରୁ ୧୫କେଜି ସୁନା ଜବତ ହୋଇଛି ଯାହା ଶାସକ ଦଳ ଆଣୁଥିଲା ଭୋଟରମାନଙ୍କୁ ବାଂଟିବା ପାଇଁ ।

ପୂର୍ବରୁ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ତାଙ୍କ ଦଳର ଜଣେ ବରିଷ୍ଠ ନେତା ତ୍ରିନାଥ ଭଟ୍ଟ ଟଙ୍କା ବାଂଟୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, ବିଜେଡି କଳା ଟଙ୍କାକୁ ବ୍ୟବହାର କରି ଜନମତକୁ ପ୍ରଭାବିତ କରିବା ପାଇଁ ଚାହୁଁଛି । କିନ୍ତୁ ଓଡ଼ିଶାର ଜନସାଧାରଣ ଏଥିରେ ପ୍ରଭାବିତ ହେବେ ନାହିଁ । ବିଜେଡି ଯେତେ ଟଙ୍କା ବାଂଟିଲେ ବି ଲୋକେ ବିଜେପିକୁ ହିଁ ଭୋଟ ଦେବେ । କାରଣ ଲୋକେ ଜାଣିଛନ୍ତି ଯେ, ବିଜେଡି ବାଂଟୁଥିବା ସବୁ ଅର୍ଥ ହେଉଛି ୫-ଟି ମାଧ୍ୟମରେ ଲୁଟା ଯାଇଥିବା ଅର୍ଥ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, କେବଳ କଳା ଟଙ୍କା ନୁହେଁ ବିଜେଡି ନିର୍ବାଚନରେ ମଧ୍ୟ ଖଣ୍ଡା, ତଲୱାର ଓ ବନ୍ଧୁକର ବ୍ୟବହାର କରୁଛି । ଖଲିକୋଟର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ନେତା ଦିଲୀପ ପାହାନଙ୍କୁ ବିଜେଡିର ଗୁଣ୍ଡାମାନେ ହାଣି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡରେ ବିଜେଡିର ଅନେକ ବରିଷ୍ଠ ନେତାଙ୍କର ହାତ ରହିଛି । ସେହିଭଳି ପୋଲସରାରେ ବିଜେଡିର ଗୁଣ୍ଡାମାନେ ଗୁଳି ଫୁଟାଇଛନ୍ତି । ଭଟଲୀ ବିଧାନସଭାରେ ସୁଶାନ୍ତ ସିଂଙ୍କ ଗୁଣ୍ଡାମାନେ ବିଜେପିର ପ୍ରଚାର ବେଳେ ଆକ୍ରମଣ କରିଛନ୍ତି । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରାର୍ଥୀ ପ୍ରଚାର କରୁଥିବାବେଳେ ବିଜେଡିର ଭଡାଟିଆ ଗୁଣ୍ଡାମାନେ ଆତଙ୍କ ରାଜ୍ ଖେଳାଇଛନ୍ତି । ସେହିଭଳି ଗତ ୧୩ ତାରିଖ ଦିନ ମଧ୍ୟ ନିର୍ବାଚନ ସମୟରେ ନବରଙ୍ଗପୁର ବିଧାୟକ ପ୍ରାର୍ଥୀଙ୍କ ଉପରେ ବିଜେଡିର ଗୁଣ୍ଡାମାନେ ବିଚ୍‌ବଜାର ଉପରେ ଆକ୍ରମଣ କରିଥିଲେ । ଚିକିଟି, ଗୋପାଳପୁର, ଦିଗପହଣ୍ଡିରେ ବିଜେଡିର ଗୁଣ୍ଡାମାନେ ସାଧାରଣ ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଆତଙ୍କ ରାଜ କରୁଥିଲେ ।

ଗୋଟିଏ କଥା ସ୍ପଷ୍ଟ ବିଜେଡି ତାର ଆସନ୍ନ ପରାଜୟକୁ ଗ୍ରହଣ କରିନପାରି ଗଣତାନ୍ତ୍ରିକ ପକ୍ରିୟାରୁ ଦିଗଭ୍ରଷ୍ଟ ହୋଇ ତାନାସାହି ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ଏବେ ଜନସଭାରେ ପଚାରୁଛନ୍ତି “ନବୀନ ପଟ୍ଟନାୟକ ଭଲ କି”? ୨୫ବର୍ଷ ଶାସନରେ ରହିବା ପରେ ହଠାତ୍ ନବୀନ ବାବୁଙ୍କର ସେ ଭଲ କି ଖରାପ ମନେ ପଡିବା ପ୍ରମାଣିତ କରୁଛି ଯେ, କେଉଁଠି ନାଁ କେଉଁଠି ତାଙ୍କର ମନୋବଳ କମିଛି । ନବୀବ ବାବୁ ଭଲ କି ଖରାପ ତାହା ଲୋକ ନିଷ୍ପତି ନେବେ କିନ୍ତୁ ଏକଥା ସତ ନବୀନ ବାବୁଙ୍କ ହାତ କୋଇଲା ଦୁର୍ନୀତିରେ କଳା ପଡିଛି । ଚିଟ୍‌ଫଣ୍ଡ ଘୋଟାଲା ଯେଉଁଥିରେ ଓଡ଼ିଶାର ଅଧା ପରିବାର ତାଙ୍କ ସଂଚୟ ହରାଇଲେ ସେହି ଘୋଟାଲାରେ ନବୀନ ବାବୁଙ୍କର ହାତ ଚିକଣ ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking