ବରଗଡ: ବରଗଡ ଧନୁଯାତ୍ରା ପାଇଁ ଚୟନ ହୋଇଛନ୍ତି ନୂଆ ବଳରାମ । ଶ୍ରେୟସ ପୂଜାରୀଙ୍କ ଦେହାନ୍ତ ପରେ କିଷନ ବିର୍ତ୍ତିଆଙ୍କୁ ଏହି ଚରିତ୍ର ପାଇଁ ମନୋନୀତ କରାଯାଇଛି । ଗତ ଶୁକ୍ରବାର ଶ୍ରେୟସଙ୍କ ଆକସ୍ମିକ ଦେହାନ୍ତ ପରେ ଧନୁଯାତ୍ରା ମହୋତ୍ସବର ହୀରକ ଜୟନ୍ତୀ ପାଳନ ପାଇଁ ଗୋପପୁର କମିଟି ତରଫରୁ ପୁନର୍ବାର କଳାକାର ଚୟନ ଶିବିରର ଆୟୋଜନ ହୋଇଥିଲା । ଏଥିରେ କିଷନ ବିର୍ତ୍ତିଆଙ୍କୁ ବଳରାମ ଭୂମିକା ପାଇଁ ମନୋନୀତ କରାଯାଇଛି ।
କିଷନ୍ ଖୁବଶୀଘ୍ର ଆଖଡ଼ା ଶାଳରେ ଅଭ୍ୟାସ ଆରମ୍ଭ କରିବେ ବୋଲି କମିଟି ତରଫରୁ ଘୋଷଣା କରାଯାଇଥିଲା । ଅଧାରୁ ବନ୍ଦ ହୋଇଯାଇଥିବା ଗୋପପୁର ଆଖଡ଼ା ପୁଣିଥରେ ଆରମ୍ଭ ହେବା ଥୟ ହୋଇଯାଇଥିଲେ ମଧ୍ୟ ଶ୍ରେୟସଙ୍କ ବିୟୋଗ ଗ୍ରାମବାସୀଙ୍କ ପୂର୍ବ ସରାଗକୁ ଫେରାଇପାରିନାହିଁ ।ସୂଚନାଯୋଗ୍ୟ ଯେ, ଅମ୍ବାପାଲିର ଭୀମସେନ ବିର୍ତ୍ତିଆ ଓ ଭାରତୀ ବିର୍ତ୍ତିଆଙ୍କ ପୁତ୍ର କିଷନ ବର୍ତ୍ତମାନ ସମଲେଶ୍ୱରୀ ନୋଡ଼ାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ।
ପୂର୍ବରୁ ଗୋପାଳ ବାଳକ ଭୂମିକାରେ ଅଭିନୟ କରିଥିବା କିଷନଙ୍କୁ ନେଇ ଯାତ୍ରା ପ୍ରେମୀମାନେ ଉତ୍ସାହିତ ହୋଇପଡ଼ିଥିଲେ ମଧ୍ୟ ଶ୍ରେୟସଙ୍କ ବିୟୋଗ ଶୋକରୁ ବରଗଡ଼ବାସୀ ବାହାରି ପାରୁନାହାନ୍ତି । ଚଳିତବର୍ଷ ୭୫ ତମ ବର୍ଷ ପୂର୍ତ୍ତି ହୀରକ ଜୟନ୍ତୀ ଯାତ୍ରାରେ ସମାଟ ମହାପାତ୍ର ପୂର୍ବବତ କୃଷ୍ଣ ଭୂମିକାରେ ଅଭିନୟ କରିବାକୁ ଥିବା ବେଳେ କିଷନ ବଳରାମ ଭୂମିକା ନିର୍ବାହ କରିବା ସ୍ପଷ୍ଟ ହୋଇଛି ।