ବ୍ୟୁରୋ : ସେପ୍ଟେମ୍ବର ୭ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ବଲିଉଡ୍ ର କିଙ୍ଗ ଖାନଙ୍କର ଫିଲ୍ମ ‘ଜବାନ’ । ଫିଲ୍ମ ‘ଜବାନ’ର ଲୁକ, ଟ୍ରେଜର ଏବଂ ଟ୍ରେଲର ଦେଖିବା ପରେ ‘ଜବାନ’କୁ ନେଇ ଲୋକଙ୍କ ମଧ୍ୟରେ ଏପରି ଏକ କ୍ରେଜ୍ ତିଆରି ହୋଇଯାଇଛି ଯେ ଫିଲ୍ମକୁ ଅପେକ୍ଷା କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ଲୋକମାନେ ବିଦେଶରେ ଥାଇ ମଧ୍ୟ ଆଡଭାନ୍ସ ବୁକିଂ ଆରମ୍ଭ କରିଦେଇଛନ୍ତି । କିଛି ସମୟ ପୂର୍ବରୁ ମିଡିଆ ରିପୋର୍ଟରୁ ଖବର ଆସିଥିଲା ଯେ , ଜର୍ମାନୀର ଲିଓନବର୍ଗରେ ଥିବା ବିଶ୍ୱର ସର୍ବବୃହତ ଆଇଏମଏକ୍ସ ପରଦାରେ କିଙ୍ଗ୍ ଖାନଙ୍କ ‘ଜବାନ’ ପ୍ରଦର୍ଶିତ ହେବ। କୁହାଯାଏ ଯେ ଏହି ପରଦା ୧୨୫ ଫୁଟ ଚଉଡା ଏବଂ ୭୨ ଫୁଟ ଲମ୍ବ। ‘ଜବାନ୍’ ହେଉଛି ପ୍ରଥମ ଭାରତୀୟ ଚଳଚ୍ଚିତ୍ର, ଯାହା ଦୁନିଆର ସବୁଠୁ ବଡ ପରଦାରେ ପ୍ରଦର୍ଶିତ ହେବାକୁ ପ୍ରସ୍ତୁତ ହେଉଛି। ପୂର୍ବରୁ କୌଣସି ହିନ୍ଦୀ ଫିଲ୍ମ ଏହି ରେକର୍ଡ କରିପାରି ନାହାଁନ୍ତି। ହେଲେ ଏବେ ଫିଲ୍ମ ‘ଜବାନ’କୁ ନେଇ କିଛି ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶାହରୁଖ୍ଙ୍କ ଘର ‘ମନ୍ନତ’ ଆଗରେ ଲୋକମାନେ ଫିଲ୍ମ ‘ଜବାନ’କୁ ନେଇ ବିକ୍ଷୋଭ କରିବା ସହ ଫିଲ୍ମରେ ରହିଥିବା କିଛି ସିନ୍କୁ ନେଇ କଡ଼ା ବିରୋଧ କରିଛନ୍ତି । ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଅନଲାଇନ୍ ଗେମିଂ ଆପ୍ ବା ଜୁଆ ଖେଳକୁ ନେଇ ଫିଲ୍ମ ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଥିବା ର ଅଭିଯୋଗ କରାଯାଇଛି । ବିକ୍ଷୋଭକାରୀଙ୍କ ମତ ଅନୁସାରେ ଫିଲ୍ମର କିଛି ଚିତ୍ର ଓ ଚରିତ୍ର ଯୁବପିଢ଼ିଙ୍କୁ ଭୁଲ୍ ବାର୍ତ୍ତା ଦେଉଛି । ତେଣୁକରି ଗତକାଲି ବା ଶନିବାର ଦିନ ଏକ ଘରୋଇ ସଂସ୍ଥା ଅନ୍ଟଚ୍ ୟୁଥ୍ ପାଉଣ୍ଡେସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଭିଯୋଗ ଅଣାଯାଇଥିଲା । ଅଭିଯୋଗରେ କୁହାଯାଇଥିଲା ଯେ, ଶାହରୁଖ ଏହି ଫିଲ୍ମ ମାଧ୍ୟମରେ ଜୁଆ ଖେଳର ପ୍ରଚାର କରୁଛନ୍ତି । ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଶାହରୁଖ୍ଙ୍କ ଘର ଆଗରେ ପହଞ୍ଚିଥିଲା । ବିକ୍ଷୋଭକାରୀମାନଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ଆୟତ୍ତକୁ ନେଇଥିଲା । ପରେ ଶାହରୁଖ୍ ଖାନ୍ଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଥିଲା ପୋଲିସ । ତେବେ ଫିଲ୍ମଟି ରିଲିଜ ହେବ ପୂର୍ବରୁ ହିଁ ବିବାଦରେ ଛନ୍ଦି ହୋଇପଡ଼ିଲାଣି ଫିଲ୍ମ ‘ଜବାନ’ । ଏହି ବିବାଦ ପାଇଁ ଏହାର ପ୍ରଭାବ ବକ୍ସ ଅଫିସରେ ପଡୁଛି କି ନାହିଁ ଏହା ଦେଖିବାକୁ ବାକି ରହିଲା ।