ନୂଆଦିଲ୍ଲୀ: ଯୁବପିଢୀଙ୍କୁ ଘାରିଛି ଆଇଫୋନ ନିଶା । କିଏ କେଉଁ ଉପାୟରେ ଆଇଫୋନ ଧରିବାକୁ ଚାହୁଛି ତାର କଳନା ନାହିଁ । ଏହାକୁ ନେଇ ବହୁତ ଅପରାଧ ମଧ୍ୟ ବଢୁଛି । ଠିକ୍ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆଇଫୋନ୍ ପାଇଁ ଜଣେ ଡେଲିଭରୀ ବୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। କର୍ଣ୍ଣାଟକର ଆର୍ସିକେ ସହର। ଏଠାକାର ହାସନ ଜିଲ୍ଲାର ୨୦ ବର୍ଷୀୟ ହେମନ୍ତ ଦତ୍ତା। ସେ ଅନଲାଇନ ସପିଂ ଆପ୍ ଫ୍ଲିପ୍କାର୍ଟରୁ ଏକ ସେକେଣ୍ଡ ହ୍ୟାଣ୍ଡ ଆଇଫୋନ୍ ମଗାଇଥିଲେ। ଫେବ୍ରୁଆରୀ ୭ ତାରିଖ ଦିନ ୨୩ ବର୍ଷୀୟ ଅନ୍ଲାଇନ୍ ଡେଲିଭରୀ ବୟ ଫୋନ୍ ନେଇ ହେମନ୍ତଙ୍କ ପାଖରେ ପହଞ୍ଚିଥିଲେ। ଫୋନ୍ ହେମନ୍ତ ହାତକୁ ବଢାଇ ତା’ର ଦାମ୍ ୪୬ ହଜାର ପେମେଣ୍ଟ କରିବାକୁ କହି ଗେଟ୍ ପାଖରେ ଅପେକ୍ଷା କରିଥିଲେ ଡେଲିଭରୀ ବୟ। କିଛି ସମୟ ପରେ ହେମନ୍ତ ଡେଲିଭରୀ ବୟକୁ ଘର ଭିରତକୁ ଡାକିଥିଲା ଏବଂ ଘରକୁ ପଶିବା ମାତ୍ରେ ତାଙ୍କୁ ଟଙ୍କା ଦେବା ବଦଳରେ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲା ହେମନ୍ତ। ଫଳରେ ଘଟଣାସ୍ଥଳରେ ହିଁ ଡେଲିଭରୀ ବୟ ହେମନ୍ତ ନାଏକର ମୃତ୍ୟୁ ହୋଇଥିଲା। ଏହାପରେ ଡେଲିଭରୀ ବୟର ମୃତଦେହକୁ ୩ ଦିନ ଘରେ ରଖିବା ପରେ ଏକ ଅଖାରେ ଭର୍ତ୍ତି କରି ଶୁନଶାନ୍ ରାତିରେ ଶବକୁ ନେଇ ଷ୍ଟେସନ ପାଖ ନିଛାଟିଆ ଜାଗାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା ହେମନ୍ତ। ତେବେ ଡେଲିଭରୀ ବୟ ନିଖୋଜ ହେବା ନେଇ ତାଙ୍କ ଭାଇ ମଞ୍ଜୁ ନାଏକ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।