ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ କଲେଜର ଯୁକ୍ତ ୨ ଛାତ୍ର ହୃଦୟେସ୍ ପଣ୍ଡା ନିଖୋଜ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ । ସେ ନିଖୋଜ ହୋଇନଥିବା କହିଛନ୍ତି ଭୁବନେଶ୍ୱର ଜୋନ୍-୬ ଏସିପି ରମେଶ ଚନ୍ଦ୍ର ବିଷୋୟୀ । ମାମଲାର ଖୁଲାସା କରି ଏସିପି କହିଛନ୍ତି ଯେ ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିବା ଏବଂ ଛାତ୍ର ନିଖୋଜ ଥିବା ତାଙ୍କ ବାପା ମାଆ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଥିଲା । ନାବାଳକ ପୁଅର ଅପହରଣ ନାଟକ ଖୋଦ ଅଭିଭାବକ ରଚିଥିଲେ । ତଦନ୍ତରୁ ଜଣାପଡ଼ିଥିଲା ଯେ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କର ପ୍ରାୟ ୯୫ ହଜାର ବକେୟା ଥିଲା । କର୍ତ୍ତୃପକ୍ଷ ବାରମ୍ବାର ଟଙ୍କା ମାଗିବାରୁ ସେ ସେଠାରେ ରହିବାକୁ ଚାହୁଁ ନଥିଲେ । ପରେ କର୍ତ୍ତୃପକ୍ଷଙ୍କୁ ଜଣାଇ ଛାତ୍ରଜଣଙ୍କ ସେଠାରୁ ପଳାଇ ଆସି ଏକ ହୋଟେଲ୍ରେ ରହିଥିଲେ ।
ଏ ବାବଦରେ ପରିବାର ଲୋକ ସବୁ ଜାଣିଥିଲେ ଏବଂ ଛାତ୍ରଙ୍କ ବାପା ହୋଟେଲ୍ ରୁମ୍ ଭଡ଼ା ଟଙ୍କା ବି ନିଜ ଏଟିଏମ୍ରୁ ଦେଇଥିଲେ । ପରିବାର ଲୋକେ ପୁଅକୁ ଭେଟି ଶିକ୍ଷାନୁଷ୍ଠାନକୁ ଯାଇଥିଲେ ଏବଂ ସେଠାରେ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହାପରେ ସେମାନେ ଥାନାକୁ ଆସି ନିଖୋଜ ଅଭିଯୋଗ କରିଥିଲେ ବୋଲି ପୁଲିସ କହିଛି । ସିସିଟିଭି ଫୁଟେଜ୍ରୁ ଏସବୁ ସ୍ପଷ୍ଟ ହୋଇଛି । ଏହି ଘଟଣାରେ ଛାତ୍ରଙ୍କ ବାପାମାଆକୁ ଡାକି ପଚରାଉଚରା କରାଯିବ ବୋଲି ଏସିପି କହିଛନ୍ତି । ତେଣେ ଥାନା ଅଧିକାରୀ କହିଛନ୍ତି, ଅଭିଭାବକଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାନୁଯାୟୀ, ବାଲେଶ୍ୱର ଅଞ୍ଚଳର ରାମକୃଷ୍ଣ ପଣ୍ଡାଙ୍କ ପୁଅ ହୃଦୟେସ୍ କୌଟିଲ୍ୟ କଲେଜରେ ଯୁକ୍ତ ୨ରେ ପାଠ ପଢନ୍ତି । ହୃଦୟେସ୍ଙ୍କ ବାପାଙ୍କ ଅଭିଯୋଗ ମୁତାବକ ଶୁକ୍ରବାର ଅପରାହ୍ନ ୪ଟାରେ ପୁଅ ଫୋନ୍ କରିଥିଲା । ଚେୟାରମ୍ୟାନ୍ ତାଙ୍କ ଚାମ୍ବରକୁ ଡାକି ତାଙ୍କୁ ପିଟିଥିବା ସେ କହିଥିଲେ । ପୁଣି ସନ୍ଧ୍ୟା ୭ଟାରେ ବାହାରକୁ ଆସି ହୃଦୟେସ୍ ଫୋନ୍ କରିଥିଲେ ।
ସେ କହିଥିଲେ, କଲେଜ କର୍ତ୍ତୃପକ୍ଷ ତାକୁ ବେଡିଂପତ୍ର ଧରାଇ ବିଦା କରିଦେଇଛନ୍ତି । ସେ ରାସ୍ତାରେ ବୁଲୁଛନ୍ତି । ସବୁ ଶୁଣିବା ପରେ ପୁଅକୁ ଧୈର୍ଯ୍ୟ ଧରିବାକୁ କହିଥିଲି ଓ ଶୀଘ୍ର ପହଞ୍ôଚଛି ବୋଲି ଆଶ୍ୱାସନା ଦେଇଥିଲି । ହେଲେ ଶନିବାର ସକାଳେ ଆସି ପହଞ୍ôଚବା ବେଳକୁ ପୁଅର କୌଣସି ପତ୍ତା ମିଳିନଥିଲା । ଏ ନେଇ ଥାନରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ହେଲେ ତଦନ୍ତରୁ ଜଣାପଡ଼ିଲା ଯେ ହଷ୍ଟେଲ୍ ଛାଡ଼ିବା ପରେ ପୁଅ ଏକ ହୋଟେଲ୍ରେ ଶୁକ୍ରବାର ରହିଥିଲେ । ହୋଟେଲ୍ ମ୍ୟାନେଜରଙ୍କ ନମ୍ବରରୁ ସେ ବାପା ରାମକୃଷ୍ଣଙ୍କୁ ସମସ୍ତ ଘଟଣା ଜଣାଇଥିଲେ । ଶନିବାର ସକାଳେ ଉଭୟ ବାପା ଓ ମା’ ପହଁଚି ପୁଅ ଏବଂ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଥିଲେ ।
ହେଲେ ସମସ୍ୟାର ସମାଧାନ ନହେବାରୁ ସେମାନେ ହୋଟେଲ ରୁମ୍ ଚାଲିଯାଇଥିଲେ । ରାତି ସାଢ଼େ ୮ଟାରେ ହୋଟେଲ ବିଲ୍ ପୈଠକରି ସେମାନେ ଚାଲିଯାଇଥିଲେ । କିନ୍ତୁ ପୁଅକୁ ହଷ୍ଟେଲ କର୍ତ୍ତୃପକ୍ଷ କାଢ଼ିଦେବା ରାଗରେ ଥାନାରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ । ପୁଲିସକୁ ମିଥ୍ୟା ଅପହରଣ ତଥା ନିଖୋଜ ଅଭିଯୋଗ କରି ଆଇନକୁ ହାତକୁ ନେଇଥିବା ଅଭିଭାବକଙ୍କ ଉପରେ ପୁଲିସ ଏନେଇ କି କାର୍ଯ୍ୟାନୁଷ୍ଠାନ ନେଉଛି; ତାହା ଉପରେ ରହିଛି ସମସ୍ତଙ୍କର ନଜର । ତେବେ ଏ ନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, କଲେଜରେ ଛାତ୍ରଙ୍କୁ କୌଣସି ପ୍ରକାର ର୍ୟାଗିଂ କରାଯାଇନାହିଁ । ହୋଟେଲ ସିସିଟିଭିରେ ସମସ୍ତ ତଥ୍ୟ ପ୍ରମାଣ ରହିଛି । ପୁଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।