26.1 C
Bhubaneswar
Monday, December 15, 2025
Homeଓଡିଶାଖୋର୍ଦ୍ଧା-ବଲାଙ୍ଗୀର ରେଳପଥ, ୯୯% ଜମି ଅଧିଗ୍ରହଣ ଶେଷ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ, ୯୯% ଜମି ଅଧିଗ୍ରହଣ ଶେଷ

ଭୁବନେଶ୍ୱର: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ୯୯% ଜମି ଅଧିଗ୍ରହଣ ଶେଷ ହୋଇଛି । ବାକି ୧% ଜମି ଅଧିଗ୍ରହଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ନୟାଗଡ଼ ଓ ବୌଦ୍ଧ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ।
ଗୁରୁବାର ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଶ୍ରୀ ସାହୁ କହିଛନ୍ତି ଯେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଦୈର୍ଘ୍ୟ ୩୦୧ କିମି ହୋଇଥିବାବେଳେ ଏଥିମଧ୍ୟରୁ ୧୮୩ କିମି ରେଳପଥ କାମ ସମ୍ପୂର୍ଣ୍ଣ ହୋଇ ରେଳ ଚଳାଚଳ ଯୋଗ୍ୟ ହୋଇଛି । ତା’ ମଧ୍ୟରୁ ୧୧୪ କିମିର କାର୍ଯ୍ୟ ଚାଲୁରହିଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୩.୮ କିମି ଜମି ଅଧିଗ୍ରହଣରେ ସମସ୍ୟା ରହିଛି । ଏହା ମଧ୍ୟରୁ ନୟାଗଡ଼ ଜିଲ୍ଲାରେ ୩.୧ କିମି ଓ ବୌଦ୍ଧ ଜିଲ୍ଲାରେ ୭୦୦ ମିଟର ଜମି ଅଧିଗ୍ରହଣ ବାକି ରହିଛି । ଏହି ଜମି ଅଧିଗ୍ରହଣରେ ଥିବା ସମସ୍ୟା ଆଗାମୀ ୧୫ ଦିନରେ ସମାଧାନ କରି ରେଳପଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ନେବା ପାଇଁ ନୟାଗଡ଼ ଓ ବୌଦ୍ଧ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରୀ ସାହୁ କହିଛନ୍ତି ଯେ ରେଳପଥ ପ୍ରକଳ୍ପ ଦ୍ୱାରା ଉଭୟ ଜିଲ୍ଲାର ପ୍ରଭାବିତ ହେବାକୁ ଥିବା ଜନସାଧାରଣଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ସେମାନଙ୍କୁ ବିଭିନ୍ନ ଜନହିତକର ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କର ଜୀବିକାନିର୍ବାହ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ମାମଲା ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ବିଚାରାଧିନ ଥିବାବେଳେ ଏଥିରେ ସମନ୍ୱୟ ରକ୍ଷାକରି କେସ୍‌ଗୁଡ଼ିକର ତ୍ୱରିତ ଫଇସଲା ଦିଗରେ କାର୍ଯ୍ୟ କଲେ ପ୍ରକଳ୍ପ କାର୍ଯ୍ୟ ଆଗେଇପାରିବ । ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନୟାଗଡ଼ ଓ ବୌଦ୍ଧର ଜିଲ୍ଲାପାଳ, ଡିଭିଜନାଲ ଫରେଷ୍ଟ ଅଫିସର ଓ ତହସିଲଦାରଙ୍କ ସହ ବିଭିନ୍ନ ଗ୍ରାମରେ ଥିବା ଜମି ଅଧିଗ୍ରହଣ ସମସ୍ୟାଗୁଡ଼ିକ ସମ୍ପର୍କରେ ବିଶଦ ଭାବେ ଅବଗତ ହେବା ସହ ଏସବୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଶ୍ରୀ ସାହୁ କହିଛନ୍ତି ଯେ ଅଧିଗ୍ରହଣ ହେବାକୁ ଥିବା ଜମି ମଧ୍ୟରେ କିଛି ଜଙ୍ଗଲ ଜମି ରହିଥିବାରୁ, ଏସବୁର ଆଇନଗତ ଦିଗ ସମ୍ପର୍କରେ ତର୍ଜମା କରି ତ୍ୱରିତ ପଦକ୍ଷେପ ନିଆଯିବ । କେତେକ ସ୍ଥଳେ ଗ୍ରାମସଭା ଡକାଇ ରେଳ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ବୁଝାଇଶୁଝାଇ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥାରେ ପ୍ରକଳ୍ପ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନେ ତ୍ୱରିତ ପଦକ୍ଷେପ ନେବାକୁ ହେବ । ଉକ୍ତ ରେଳପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ରାଜ୍ୟର ଅର୍ଥନୈତିକ ବିକାଶରେ ଏହା ସହାୟକ ହେବା ସହ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଗମନାଗମନ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ସାଧିତ ହୋଇପାରିବ ।
ଉକ୍ତ ବୈଠକରେ ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ ଓ ରେଲେୱର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking