କିଏଭ: ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ବୁଧବାର ସୁଦ୍ଧା ସପ୍ତମ ଦିନରେ ପହଞ୍ଚିଛି । ଯୁଦ୍ଧ ବନ୍ଦ ରଖିବା ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ଆଲୋଚନା ଟେବୁଲକୁ ଓହ୍ଲାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ । ତେବେ ରୁଷ୍ ପକ୍ଷରୁ ଆକ୍ରମଣ ଦିନକୁ ଦିନ ଜୋରଦାର ହେବାରେ ଲାଗିଛି । ବୁଧବାର ରୁଷ୍ ଯୁଦ୍ଧବିମାନଗୁଡିକ ୟୁକ୍ରେନ୍ର ଖାର୍କିଭ୍ ସହର ଉପରେ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ କରିବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଶେଷକରି ସହରରେ ଥିବା ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟଗୁଡିକୁ ଟାର୍ଗେଟ କରାଯାଇଥିଲା । ଏଥିମଧ୍ୟରେ ଖାର୍କିଭ୍ ସିଟି କାଉନ୍ସିଲ ବିଲ୍ଡିଂ, ପ୍ୟାଲେସ୍ ଅଫ୍ ଲେବର, ପୁଲିସ ଓ ଗୁଇନ୍ଦା ମୁଖ୍ୟାଳୟ ଅନ୍ତର୍ଭୁକ୍ତ । କ୍ଷେପଣାସ୍ତ୍ର ମାଡରେ ଏଭଳି ଏକ ପାଞ୍ଚମହଲା ବିଶିଷ୍ଟ ଅଟ୍ଟାଳିକାର ଉପରିଭାଗ ଭୁଶୁଡି ପଡିଥିବାବେଳେ ସେଥିରେ ନିଆଁ ଲାଗିଯାଇଥିଲା । ଏହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି ।
ରୁଷ୍ର ଏଭଳି ଆକ୍ରମଣକୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍ସ୍କି ତୀବ୍ର ସମାଲୋଚନା କରିବା ସହ ଭଗବାନ ଏହାକୁ ସହିବେ ନାହିଁ ବୋଲି କହିଛନ୍ତି । ଆକ୍ରମଣରେ ଖାର୍କିଭ୍ ସହରର ଆକାଶ ହଳଦିଆ ବର୍ଣ୍ଣରେ ପରିଣତ ହୋଇଥିବାବେଳେ ସବୁଆଡେ କେବଳ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଛି । ଲୋକେ ପ୍ରାଣ ବିକଳରେ ଘରଦ୍ୱାର ଛାଡି ବଙ୍କର, ବୋମାନିରୋଧୀ ଆଶ୍ରୟସ୍ଥଳ ଏବଂ ଭୂତଳ ମେଟ୍ରୋ ଷ୍ଟେସନକୁ ପଳାଉଥିବା ଲକ୍ଷ୍ୟ କରାଯାଇଛି । ଖାର୍କିଭ୍ ବ୍ୟତୀତ ସୁମି ସହର ଉପରେ ମଧ୍ୟ ରୁଷ୍ର ଆକ୍ରମଣ ଜାରି ରହିଛି । ବୋମାମାଡ ପୂର୍ବରୁ ସହରରେ ଘନ ଘନ ସାଇରନ୍ ଶବ୍ଦ ଶୁଣିବାକୁ ମିଳୁଛି ।
ୟୁକ୍ରେନ୍ର ସାମରିକ ପ୍ରତିଷ୍ଠାନଗୁଡିକୁ ଧ୍ୱଂସ କରିବା ଆମର ଲକ୍ଷ୍ୟ ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବୁଧବାର ରୁଷ୍ ସୈନ୍ୟମାନେ ପାରାଚ୍ୟୁଟ୍ ସହାୟତାରେ ଖାର୍କିଭ୍ ସହରରେ ଅବତରଣ କରିବାପରେ ୟୁକ୍ରେନ୍ ସୈନ୍ୟଙ୍କ ସହ ସେମାନଙ୍କର ଘମାଘୋଟ ଲଢେଇ ଆରମ୍ଭ ହୋଇଥିଲା । ଅପରପକ୍ଷରେ ନାଇପର ନଦୀକୂଳରେ ଅବସ୍ଥିତ ଖେରସନ୍ ସହରକୁ ଦଖଲ କରିଛି ବୋଲି ରୁଷ୍ ଦାବି କରୁଥିବାବେଳେ ୟୁକ୍ରେନ୍ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ବିଗତ ସାତଦିନର ଯୁଦ୍ଧରେ ଏପର୍ଯ୍ୟନ୍ତ ୨୦୦୦ରୁ ଊର୍ଦ୍ଧ୍ୱ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ୟୁକ୍ରେନ୍ ସରକାର ସ୍ୱୀକାର କରିଛନ୍ତି । ରୁଷ୍ ପକ୍ଷରୁ କିଏଭ୍, ଖାର୍କିଭ୍ ଓ ଅନ୍ୟ ସହରର ହସ୍ପିଟାଲ ଉପରେ ଆକ୍ରମଣ କରାଯାଉଥିବାରୁ ସେଠାରେ ଆହତଙ୍କୁ ଭର୍ତ୍ତି କରିବା ବିରାଟ ସମସ୍ୟାରେ ପରିଣତ ହୋଇଛି ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି ।