ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୨୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚିଲିର ସାଣ୍ଟିଆଗୋଠାରେ ଖେଳାଯିବାକୁ ଥିବା ଜୁନିଅର୍ ମହିଳା ବିଶ୍ୱକପ୍ ସକାଶେ ସମ୍ପ୍ରତି ଭାରତୀୟ ଦଳ ଅଭ୍ୟାସ ଜାରି ରଖିଛି । ବିଶ୍ୱକପ୍ ପରି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ଜୁନିଅର୍ ମହିଳା ହକି ଦଳର ମୁଖ୍ୟ କୋଚ୍ ଭାବେ ତୁଷାର ଖାଣ୍ଡେକର୍ଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି ।
ଗତ ଜାନୁଆରୀରେ ଏରିକ୍ ୱନିଙ୍କ୍ ପଦ ଛାଡ଼ିବା ପରେ ହରବିନ୍ଦର ସିଂହ ସାମୟିକ ଭାବେ ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇଆସିଥିଲେ । ମଙ୍ଗଳବାର ତାଙ୍କ ସ୍ଥାନରେ ପୂର୍ବତନ ଅଧିନାୟକ ଖାଣ୍ଡେକରଙ୍କୁ ନିଯୁକ୍ତି ମିଳିଛି । ପୂର୍ବରୁ ଭାରତୀୟ ସିନିଅର୍ ମହିଳା ଦଳର ମୁଖ୍ୟ କୋଚ୍ ଜାନେକ୍ ସ୍କୋପ୍ମାନ୍ ସିନିଅର୍ ଦଳ ସହ ଜୁନିଅର୍ ଦଳ ପାଇଁ ମଧ୍ୟ ଏହି ଭୂମିକା ତୁଲାଇଆସିଥିଲେ । କିନ୍ତୁ ଆଗାମୀ ଏସିଆନ୍ ଗେମ୍ସ ପାଇଁ ସେ ସିନିଅର୍ ଦଳକୁ ପ୍ରସ୍ତୁତ କରୁଥିବାରୁ ଖାଣ୍ଡେକରଙ୍କୁ ଜୁନିଅର୍ ଦଳ ସକାଶେ ନିଯୁକ୍ତି ଦିଆଯାଇଛି ।
ଅନ୍ତର୍ଜାତୀୟ ହକିରେ ବେଶ୍ ନାମ କମାଇଥିôବା ଖାଣ୍ଡେକର ଗତ ୧୦ ବର୍ଷ ମଧ୍ୟରେ କୋଚିଂ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି । ଖାଣ୍ଡେକର ୨୦୧୪ରୁ ୨୦୧୬ ମଧ୍ୟରେ ଭାରତୀୟ ପୁରୁଷ ହକି ଦଳର କୋଚ୍ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ଅଧୀନରେ ଦଳ ୨୦୧୬ରେ ଲଣ୍ଡନଠାରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିରେ ଐତିହାସିକ ରୌପ୍ୟ ପଦକ ହାସଲ କରିବା ସହ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ସ୍ୱର୍ଣ୍ଣ ଏବଂ ରାୟପୁରଠାରେ ୨୦୧୫ରେ ଖେଳାଯାଇଥିବା ୱାର୍ଲ୍ଡ ହକି ଲିଗ୍ରେ ବ୍ରୋଞ୍ଜ୍ ହାସଲ କରିଥିଲା । ଏହାଛଡ଼ା ୨୦୧୬ ରିଓ ଅଲିମ୍ପିକ୍ସ ଗେମ୍ସରେ ମଧ୍ୟ ସେ ଭାରତୀୟ ହକି ଦଳର କୋଚିଂ ଷ୍ଟାଫ୍ ମଧ୍ୟରେ ସାମିଲ୍ ଥିଲେ ।