ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଘଡ଼ିଆମାଳ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଦଳିତ ଜାତିର ଜଣେ ଯୁବତୀ ସହାୟିକା ନିଯୁକ୍ତି ପାଇବା ପରେ ବିବାଦ ଲାଗି ରହିଛି। ଗାଁଲୋକେ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡୁ ନାହାନ୍ତି କି ଶୁଖିଲା ଖାଦ୍ୟ ନେଉନାହାନ୍ତି। ଫଳରେ ଅଢ଼େଇ ମାସରୁ ଊର୍ଦ୍ଧ୍ୱ ହେବ କେନ୍ଦ୍ରର କାର୍ଯ୍ୟ ଠପ୍ ହୋଇଯାଇଛି। ଯାହାକୁ ନେଇ ରାଜ୍ୟସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶାରେ ଘଟିଥିବା ଜାତିଗତ ଭେଦଭାବ ଘଟଣାକୁ ଉଦ୍ବେଗ ପ୍ରକାଶ କରିଛନ୍ତି। ଓଡ଼ିଶାରେ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହୋଇଛି। କାର୍ଯ୍ୟ କ୍ଷେତ୍ରରେ ଜାତିଗତ ବୈଷମ୍ୟ ସମ୍ବିଧାନିକ ଅଧିକାରର ଉଲ୍ଲଂଘନ ବୋଲି ଅଭିଯୋଗ କରି କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ସହ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି। ଶ୍ରୀ ଖଡ଼ଗେଙ୍କ ଏହି ଦାବି ପରେ ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିବା ସହ ଚର୍ଚ୍ଚାର ଖୋରାକ ଯୋଗାଇଛି ।
ଏହି କ୍ରମରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ ସଭାପତି ଦେବସ୍ମିତା ଶର୍ମା, ରାଜନଗର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ସାଧାରଣ ସଂପାଦକ ଦାମୋଦର ବିଶ୍ୱାଳ, ସଂପାଦକ ନାଗେଶ୍ୱର ସାହୁ, କର୍ମୀ ଶୁଶୀଳ ପ୍ରଧାନ, ନିରଞ୍ଜନ ବାରିକ, ପ୍ରଭାତ ସାମନ୍ତରାୟ ନୂଆଗାଁ ଅଙ୍ଗନବାଡ଼ିି କେନ୍ଦ୍ରରେ ପହଞ୍ଚି କର୍ମୀ ଲିଜାରାଣୀ ପାଣ୍ଡବ ଓ ସହାୟିକା ଶର୍ମିଷ୍ଠା ସେଠୀଙ୍କ ସହ ଆଲୋଚନା କରିଥିଲେ। ସବୁକଥା ଜାଣିବା ପରେ ଗ୍ରାମବାସୀମାନଙ୍କୁ ଏହି ଘଟଣାର ସମାଧାନ କରିବାକୁ ନିବେଦନ କରିଥିଲେ। ସୂଚନା ଥାଉକି ୨୦୨୫ ନଭେମ୍ବର ୨୦ତାରିଖରେ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ଯୁବତୀ ଶର୍ମିଷ୍ଠା ସେଠୀ ସହାୟିକା ଭାବେ ନିଯୁକ୍ତି ପାଇବା ପରେ ଗାଁ ଲୋକେ ଏହାକୁ ବିରୋଧ କରି ସେବେଠାରୁ ଶୁଖିଲା ଖାଦ୍ୟ ନେଉନାହାନ୍ତି କି ପ୍ରି-ସ୍କୁଲ ପିଲାଙ୍କୁ ଛାଡୁ ନାହାନ୍ତି।










