26.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶକେରଳ ନର୍ସଙ୍କୁ ୟେମେନ୍‌ରେ ଫାଶୀ ନିଶ୍ଚିତ!

କେରଳ ନର୍ସଙ୍କୁ ୟେମେନ୍‌ରେ ଫାଶୀ ନିଶ୍ଚିତ!

ନୂଆଦିଲ୍ଲୀ: ୟେମେନରେ ଫାଶୀ ପାଇବାକୁ ଯାଉଥିବା ଭାରତୀୟ ନର୍ସଙ୍କୁ ବଞ୍ଚାଇବା ପାଇଁ ଭାରତ ସରକାର ସବୁପ୍ରକାର ପ୍ରୟାସ କରିସାରିଛନ୍ତି । କିନ୍ତୁ ଶେଷରେ ଭାରତ ସରକାର ମଧ୍ୟ ନିରାଶ ହୋଇଛନ୍ତି । ସବୁ କୂଟନୈତିକ ପ୍ରୟାସ କରାଯାଇସାରିଥିବା ବେଳେ କୌଣସି ସୁଫଳ ମିଳିନାହିଁ । ଭାରତୀୟ ନର୍ସଙ୍କୁ ବଞ୍ଚାଇବା ପାଇଁ କରାଯାଇଥିବା ଆବେଦନ ଉପରେ ଉତ୍ତର ଦେଇ ଭାରତ ସରକାର ଏପରି କହିଛନ୍ତି ।

ୟେମେନକୁ ଚାକିରି କରିବାକୁ ଯାଇଥିବା ନର୍ସ ନିମିଶା ପ୍ରିୟାଙ୍କ ବିରୋଧରେ ତଲଲ ଅବଦୋ ମହଦ ନାମକ ଜଣେ ୟେମେନ ନାଗରିକଙ୍କୁ ହତ୍ୟା କରିଥିବା ଅଭିଯୋଗ ପ୍ରମାଣିତ ହୋଇଛି । ଏହି ଘଟଣାରେ ନିମିଶା ୟେମେନ୍‌ରେ ୨୦୧୭ ମସିହାରୁ ଜେଲ ଦଣ୍ଡ ମଧ୍ୟ ଭୋଗୁଛନ୍ତି । ଏହି ଅପରାଧର ଦଣ୍ଡ ସ୍ୱରୂପ ତାଙ୍କୁ ଫାଶୀ ଦେବାକୁ ୟେମେନ ସରକାର ନିଷ୍ପତ୍ତି ନେଇଥିବା ବେଳେ ତାଙ୍କୁ ବଞ୍ଚାଇବା ପାଇଁ ତୁରନ୍ତ ଏହି ଘଟଣା ଉପରେ ଧ୍ୟାନ ଦେବାକୁ ଏବଂ କୂଟନୈତିକ ସ୍ତରରେ ଭାରତ ସରକାର ଚେଷ୍ଟା କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ଆବେଦନରେ କୁହାଯାଇଥିଲା ଯେ, ନିମିଶା ପ୍ରିୟାକୁ ଜୁଲାଇ ୧୬ରେ ଫାଶୀ ଦିଆଯିବ । ଯଦି କେନ୍ଦ୍ର ସରକାର କୂଟନୈତିକ ସ୍ତରରେ ହସ୍ତକ୍ଷେପ କରନ୍ତି, ତେବେ ଏହି ମାମଲାରେ ଏକ ସମାଧାନ ମିଳିପାରିବ । ଏହି ଆବେଦନ ପାଇବା ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଥିଲେ । ତେବେ ନିଜ ଉତ୍ତରରେ ଭାରତ ସରକାର ଏହି ଘଟଣାରେ ଅଧିକ କିଛି କରାଯାଇପାରିବ ନାହିଁ ବୋଲି କହିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଆଟର୍ଣ୍ଣି-ଜେନେରାଲ ଆର ଭେଙ୍କଟରମଣି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, “ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯାଉଛି, କିନ୍ତୁ ଅଧିକ କିଛି କରାଯାଇପାରିବ ନାହିଁ । ଫାଶୀ ରୋକିବାକୁ ଏକମାତ୍ର ବାଟ ରହିଛି । ଯଦି ମୃତକଙ୍କ ପରିବାର ବ୍ଲଡ୍ ମନି (ମୃତକଙ୍କ ପରିବାରୁ କ୍ଷତିପୂରଣ ଆକାରରେ ଅଭିଯୁକ୍ତର ପରିବାର ଦେଉଥିବା ଟଙ୍କା) ନେବାକୁ ରାଜି ହୁଅନ୍ତି ତେବେ ଯାଇ ଫାଶୀକୁ ଅଟକାଯାଇପାରିବ । ଏହା ପୂର୍ବରୁ ମଧ୍ୟ ନିମିଶାଙ୍କ ପରିବାର ବ୍ଲଡ୍ ମନି ଦେବାକୁ ଚେଷ୍ଟା କରିଥିଲେ ବି ମୃତକଙ୍କ ପରିବାର ଏହାକୁ ନେବାକୁ ମନା କରିଦେଇଥିଲେ । ନର୍ସ ନିମିଶାଙ୍କ ମୁକ୍ତି ତଲଲ ଅବଦୋ ମହଦିଙ୍କ ପରିବାରଙ୍କ କ୍ଷମା ଉପରେ ନିର୍ଭରଶୀଳ ଥିଲା । କିନ୍ତୁ ସେମାନେ କ୍ଷମା ନଦେବାରୁ ନିମିଶାଙ୍କୁ ମୃତ୍ୟୁଦଣ୍ଡ ଚୂଡାନ୍ତ ହୋଇଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking