ଥିରୁଅନ୍ତପୁରମ: ୭ମାସର ଗର୍ଭବତୀ ଥିବା ନାବାଳିକାର ଗର୍ଭନଷ୍ଟ କରିବାକୁ ଅନୁମତି ଦେଇଛନ୍ତି କେରଳ ହାଇକୋର୍ଟ । ଜଣେ ୧୫ ବର୍ଷିୟା ନାବାଳିକାଙ୍କ ପରିବାର ପକ୍ଷରୁ ହୋଇଥିବା ଆବେଦନ ଗ୍ରହଣ କରି ଗର୍ଭ ନଷ୍ଟ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଯଦି ଗର୍ଭପାତ କରାଯିବ ନାହିଁ, ତେବେ ଭବିଷ୍ୟତରେ ସାମାଜିକ ଓ ମେଡିକାଲ ସମସ୍ୟା ଦେଖାଦେବ କହି କୋର୍ଟ ଏହି ଅନୁମତି ଦେଇଛନ୍ତି । ଜଣେ ୧୫ ବର୍ଷ ବୟସର ନାବାଳିକା ତାଙ୍କ ରକ୍ତ ସମ୍ପର୍କୀୟଙ୍କ ଦ୍ୱାରା ଗର୍ଭବତୀ ହୋଇଥିଲେ । ତେବେ ଗର୍ଭନଷ୍ଟ କରିବା ପାଇଁ ପୀଡିତାଙ୍କ ବାପା ନିବେଦନ କରିଥିଲେ । କୋର୍ଟ କହିଛନ୍ତି ଯେ ମେଡିକାଲ ରିପୋର୍ଟକୁ ସବିଶେଷ ଦେଖାଗଲେ ୧୫ ବର୍ଷିୟ ପୀଡିତା ଜଣକ ପ୍ରେଗନାନ୍ସିର ୩୨ ସପ୍ତାହ ଚାଲୁଛି ।
ଏପରି ସ୍ଥଳେ ଗର୍ଭଧାରଣ କଲେ ନାବାଳିକାଙ୍କ ଉଭୟ ସାମାଜିକ ଓ ମାନସିକ ଯନ୍ତ୍ରଣା ଭୋଗିବା କାରଣ ହୋଇପାରେ । ଯଦି ଆମେ ବାସ୍ତବିକକୁ ଅନୁଧ୍ୟାନ କରିବା, ତାହାହେଲେ ପିଲାଟି ତାର ନିଜ ସମ୍ପର୍କୀୟରୁ ଜନ୍ମ ନିଏ, ତେବେ ତାକୁ ମଧ୍ୟ ଅନେକ ସାମାଜିକ ଓ ମେଡିକାଲ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ଏସବୁ ଦୃଷ୍ଟିରେ ଆବେଦନକାରୀଙ୍କ ନିବେଦନକୁ ଗ୍ରହଣ କରାଯିବା ସହ ଗର୍ଭ ନଷ୍ଟ ଅନିର୍ବାର୍ଯ୍ୟ ବୋଲି କୋର୍ଟ କହିଛନ୍ତି । ତେବେ ବିଳମ୍ବ ନକରି ଗର୍ଭନଷ୍ଟ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମାଲ୍ଲାପୁରମ ଜିଲ୍ଲାଧିକାରୀ ଓ ମଂଜେରୀ ସରକାରୀ ମେଡିକାଲ କଲେଜ ସୁପରିନଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।