କେନ୍ଦ୍ରାପଡା : ବିଧିର ବିଧାନ ବଡ ବିଚିତ୍ର । କାହାକୁ କିପରି ସେ କଷଣ ଦିଅନ୍ତି ତାହାର ପରିକଳ୍ପନା କରିହୁଏନା । ଭଗବାନଙ୍କର ଏମିତି ଦଣ୍ଡ ଯେ ଅସହ୍ୟ ହୋଇଛି ପରିକ୍ଷୀତଙ୍କ ପରିବାର ପାଇଁ । ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଯାଇ ଏକମାତ୍ର ପୁଅକୁ ନଈ ସୁଅରେ ହରାଇ ନଈକୂଳରେ ମୁଣ୍ଡ ପିଟୁଛନ୍ତି ପରିକ୍ଷୀତ ଓ ତାଙ୍କ ପତ୍ନୀ ।
କେନ୍ଦ୍ରାପଡା ସହରର ମୀରପାଟଣା ଗାଁର ପରିକ୍ଷୀତ ଦାସ । ପରିକ୍ଷୀତଙ୍କ ବାପା ନନ୍ଦ ଦାସଙ୍କ ମୃତ୍ୟୁକୁ ଆଜି ୧୦ ଦିନ । ସାହି ପରିବାର ଓ କୁଟୁମ୍ବ ମାନେ ମିଶି ସହର ମଝିରେ ପ୍ରବାହିତ ଗୋବରୀ ନଦୀ କୂଳରେ ଶୁଦ୍ଧିକ୍ରିୟା ସାରି ଲଣ୍ଡା ହୋଇ ନଦୀରେ ଗାଧୋଉଥିଲେ ସମସ୍ତେ । ପରିକ୍ଷୀତ ନଦୀକୂଳରେ ପିଣ୍ଡ କାର୍ଯ୍ୟ କରୁଥିବା ବେଳେ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ନଦୀରେ ଗାଧୋଉଥିଲେ ଅଙ୍କିତ । ଦେଖୁଦେଖୁ ଅଧିକ ପାଣିକୁ ଚାଲିଗଲେ ସେ । ପହଁରା ଶିଖିନଥିବାରୁ ହଠାତ ବୁଡିଯାଇ ନିଯୋଜ ହୋଇଗଲେ ଅଙ୍କିତ । ପାଖରେ ଗାଧୋଉଥିବା ଲୋକେ ଚିତ୍କାର କଲେ । ହେଲେ ଆଉ ଅଙ୍କିତଙ୍କର ପତ୍ତା ମିଳିଲାନି । ସେପଟେ ବାପାଙ୍କ ଶୁଦ୍ଧ କର୍ମ ବନ୍ଦ ହୋଇଗଲା । ଅଙ୍କିତଙ୍କୁ ସମସ୍ତେ ଖୋଜିବା ଆରମ୍ଭ କଲେ । ହେଲେ ମିଳିଲେନି ଅଙ୍କିତ । ଅଗ୍ନିଶମ ବିଭାଗ ଅଙ୍କିତଙ୍କୁ ଖୋଜିଖୋଜି ନିରାଶ ହୋଇଛନ୍ତି ।
ଅଙ୍କିତ ପରିକ୍ଷୀତଙ୍କର ଏକମାତ୍ର ପୁଅ । ଅତ୍ୟନ୍ତ ଗେହ୍ଲା । ୧୭ ବର୍ଷୀୟ ଅଙ୍କିତ ମହାବୀର ମହାବିଦ୍ୟାଳୟ ନିକିରାଇରେ ଯୁକ୍ତ ୨ ଶେଷ ବର୍ଷର ଛାତ୍ର ଥିଲେ । ତାଙ୍କର ଏପରି ଅକାଳ ଘଟଣା ସାରା କେନ୍ଦ୍ରାପଡା ସହରକୁ ସ୍ତବ୍ଧ କରିଦେଇଛି । ଅଧାରୁ ବନ୍ଦ ହୋଇଯାଇଛି ନନ୍ଦଙ୍କ ଶୁଦ୍ଧକ୍ରିୟା । ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟିପଡୁଛି ଗୋବରୀ ନଈକୂଳ । ଶୁଷ୍କ ଗୋବରୀ ଏବେ ବର୍ଷା ପାଣିରେ ଫୁଲି ଉଠିଛି । ଅକାଳରେ ଏକ ଅଭାଗିନୀ ମା’ କୋଳରୁ ଛଡାଇ ନେଇଛି ତାର ନୟନ ପିତୁଳାକୁ ।