ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତିରେ ଅଭିଯୁକ୍ତ କଂଗ୍ରେସ ସାଂସଦ କାର୍ତ୍ତୀ ଚିଦମ୍ବରମଙ୍କୁ ବିଦେଶ ଯାତ୍ରା ପାଇଁ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ଅନୁମତି ପ୍ରଦାନ କରିଛନ୍ତି । ଜୁନ୍ ୨୫ରୁ ଜୁଲାଇ ୧୭ ପର୍ଯ୍ୟନ୍ତ ସ୍ପେନ ଓ ବ୍ରିଟେନ ଗସ୍ତରେ ଯିବାକୁ କାର୍ତ୍ତୀ ଅଦାଲତଙ୍କ ଅନୁମତି ଲୋଡିଥିଲେ । ତେବେ ଏହି ପ୍ରସଙ୍ଗରେ ଅଦାଲତ ଏକାଧିକ ସର୍ତ୍ତ ରଖିଛନ୍ତି ।
୧ କୋଟି ଟଙ୍କାର ସିକ୍ୟୁରିଟି ଜମା କରିବା ସହ ବିଦେଶ ଯାତ୍ରା ସମୟରେ କୌଣସି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ ନକରିବାକୁ କାର୍ତ୍ତୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ କାର୍ତ୍ତୀଙ୍କୁ ବିଦେଶ ଯାତ୍ରା ନିମନ୍ତେ ଏକାଧିକ ଥର ଅନୁମତି ମିଳିଥିବାବେଳେ ସେ କେବେହେଲେ ସର୍ତ୍ତ ଖିଲାପ କରିନାହାନ୍ତି । ତେଣୁ ଏଥର ଅନୁମତି ପ୍ରଦାନରେ ଅସୁବିଧା ନାହିଁ ବୋଲି ଜଜ୍ ନମ୍ରତା ଅଗ୍ରୱାଲ କହିଛନ୍ତି ।