ବାଙ୍ଗାଲୋର: ଗୃହପାଳିତ ପଶୁ ଓ ପକ୍ଷୀ ଅନେକଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସେମାନେ ସେମାନଙ୍କ ମାଲିକଙ୍କ ମୁହଁରେ ହସ ଫୁଟାଇବା ସହ ଚିନ୍ତାମୁକ୍ତ ରହିବାରେ ସାହାଯ୍ୟ କରିଥାନ୍ତି। ଯଦି କାହାର କୌଣସି ପୋଷା ଜୀବଜନ୍ତୁ ନାହାଁନ୍ତି ସେମାନେ ଘରର ଆଖପାଖରେ ରହୁଥିବା କୁକୁରଙ୍କ ସହ ସମୟ ଅତିବାହିତ କରିଥାନ୍ତି।ତେବେ କର୍ଣ୍ଣାଟକ ଚନ୍ଦ୍ରଗିରି ଅଞ୍ଚଳରେ ଥିବା ଏସଭିଆର କଲୋନିରେ ମଧ୍ୟ ଏପରି ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ସେଠାକାର ଲୋକ କିଛି ମାଙ୍କଡଙ୍କୁ ପ୍ରତିଦିନ ଖାଇବା ପିଇବାକୁ ଦେଉଥିଲେ। କଲୋନି ଯେତେବେଳେ ଆରମ୍ଭ ହେଲା କିଛି ମାଙ୍କଡ ମଧ୍ୟ ସେଠାରେ ରହିଥିଲେ। ସେମାନେ କାହାର କିଛି କ୍ଷତି କରୁନଥିଲେ ବରଂ ଛୋଟପିଲାଙ୍କ ସହ ଖେଳୁଥିଲେ।
କିନ୍ତୁ ଦୁର୍ଭାଗ୍ୟବଶତଃ ଏକ ମାଙ୍କଡ ଗତ ଗୁରୁବାର ଦିନ କୌଣସି କାରଣରୁ ପ୍ରାଣ ହରାଇଥିଲା। ଏହାକୁ ଦେଖି କଲୋନୀବାସୀ ଦୁଃଖ ପ୍ରକାଶ କରିଥିଲେ। କାରଣ ଏହି ମାଙ୍କଡଟି ଅନ୍ୟମାନଙ୍କ ତୁଳନାରେ ବେଶୀ ଲୋକଙ୍କ ସହ ମିଶୁଥିଲା। ତେବେ କଲୋନିବାସୀ ମଧ୍ୟ ମାଙ୍କଡର ଅନ୍ତ୍ୟେଷ୍ଟି କ୍ରିୟା କରିଥିଲେ। ସେମାନେ ହିନ୍ଦୁ ପରମ୍ପରା ଅନୁଯାୟୀ ଏକ ପୂଜା କରିଥିଲେ। ଏହାପରେ ତାକୁ ପୋତି ଦେଇଥିଲେ। ଆହୁରି ମଧ୍ୟ ସେମାନେ ମାଙ୍କଡର ସ୍ମୃତିରେ ଏକ ମନ୍ଦିର କରିବା ପାଇଁ ଟଙ୍କା ଆଦାୟ କରିଛନ୍ତି। ଏହି ମନ୍ଦିର ତିଆରି କାମ ଆରମ୍ଭ ମଧ୍ୟ ହୋଇସାରିଛି।