ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ଚଳିତମାସ ୧୫ରେ ହିଜାବ୍ ବିବାଦ ସମ୍ପର୍କିତ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । ତଦନୁଯାୟୀ ଇସ୍ଲାମ ଧର୍ମରେ ହିଜାବ୍ ପରିଧାନ କରିବା ଜରୁରୀ ନୁହେଁ ଏବଂ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବାକୁ ବାଧ୍ୟ ବୋଲି ରାୟରେ ଉଲ୍ଲେଖ କରାଯାଇଛି । ଏହାକୁ ନେଇ ପିଟିସନଧାରୀ ମୁସ୍ଲିମ ଛାତ୍ରୀଙ୍କ ତରଫରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ତେବେ ଏହି ମାମଲାରେ ରାୟ ଶୁଣାଇଥିବା ହାଇକୋର୍ଟର ୩ ବିଚାରପତିଙ୍କୁ ହତ୍ୟାଧମକ ଦେଇଥିବା ଅଭିଯୋଗରେ ତାମିଲନାଡୁ ପୁଲିସ ଟିଏନ୍ଟିଜେ (ତାମିଲନାଡୁ ଥୌହିଦ୍ ଜମାତ୍) ସଂଗଠନର ୩ ଜଣ କର୍ମକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି । ରାୟ ପ୍ରତିବାଦରେ ଏହି ସଂଗଠନ ପକ୍ଷରୁ ତାମିଲନାଡୁର କୋରିପାଲାୟମ୍ ସହରରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ଯୋଗଦେଇଥିବା ବକ୍ତାମାନେ ହାଇକୋର୍ଟ ରାୟକୁ ସମାଲୋଚନା କରିବା ସହ ସଂପୃକ୍ତ ବିଚାରପତିଙ୍କୁ ଖୋଲାଖୋଲି ହତ୍ୟାଧମକ ଦେଇଥିଲେ । ଅଭିଯୋଗ ହେବାପରେ ପୁଲିସ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୧୫୩, ୫୦୫(୧), ୫୦୫(୨), ୫୦୬(୧) ଅନୁଯାୟୀ ସଂଗଠନର ୩ ଜଣ କର୍ମକର୍ତ୍ତାଙ୍କ ବିରୋଧରେ ମାମଲା ରୁଜ କରିଥିବା ଜଣାପଡିଛି ।