ଆୟର୍ଲାଣ୍ଡ୍ର ସୁପର୍-୧୨ ଆଶା କାଏମ
ହୋବାର୍ଟ : ଚଳିତ ଟି-୨୦ ବିଶ୍ୱକପ୍ କ୍ୱାଲିଫେସନ୍ ରାଉଣ୍ଡ୍ର ପ୍ରଥମ ମ୍ୟାଚ୍ରେ ସ୍କଟ୍ଲାଣ୍ଡ୍କୁ ୬ ୱିକେଟ୍ରେ ପରାସ୍ତ କରି ଆୟର୍ଲାଣ୍ଡ୍ ସୁପର୍-୧୨ ପ୍ରବେଶ ଆଶା କାଏମ୍ ରଖିଛି । ଆୟର୍ଲାଣ୍ଡ୍ର ଏହି ବିଜୟରେ କର୍ଟିସ୍ କାମ୍ଫର୍ ଓ ଜର୍ଜ ଡକ୍ରେଲ୍ଙ୍କ ଅପରାଜିତ ୧୧୯ ରନ୍ର ପାର୍ଟନର୍ଶିପ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ଟିମ୍ ୨୧ ତାରିଖରେ ଅନ୍ତିମ ମ୍ୟାଚ୍ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ଖେଳିବ । ଫଳରେ ସ୍ଥିତି ରୋମାଞ୍ଚକର ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ସ୍କଟ୍ଲାଣ୍ଡ୍ ୫ ୱିକେଟ୍ ବିନିମୟରେ ୧୭୬ ରନ୍ର ଚାଲେଞ୍ଜିଂ ସ୍କୋର୍ କରିଥିଲା । ୧ ରନ୍ରେ ଟିମ୍ର ପ୍ରଥମ ୱିକେଟ୍ ପତନ ଘଟିଥିବା ବେଳେ ମାଇକେଲ୍ ଜୋନ୍ସ ଧୈର୍ଯ୍ୟର ସହ ଇନିଂସ୍ ଆଗକୁ ବଢ଼ାଇଥିଲେ । ସେ ଦ୍ୱିତୀୟ ୱିକେଟ୍ ପାଇଁ ୱିକେଟ୍କିପର୍ ମାଥ୍ୟୁ କ୍ରସ୍ (୨୮)ଙ୍କ ସହ ୫୯ ରନ୍ର ପାର୍ଟନରଶିପ୍ ଛିଡ଼ା କରିଥିଲେ । କ୍ରସ୍ଙ୍କ ଆଉଟ୍ ପରେ କ୍ୟାପ୍ଟେନ୍ ରିଚି ବେରିଙ୍ଗ୍ଟନ୍ (୩୭)ଙ୍କ ସହ ୭୭ ରନ୍ର ପାର୍ଟନର୍ଶିପ୍ କରିଥିଲେ ।
୨୭ ବଲ୍ରୁ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୭ ରନ୍ କରିଥିବା ବେରିଙ୍ଗ୍ଟନ୍ଙ୍କୁ କାମ୍ଫର୍ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ । ଏହା ସତ୍ତ୍ୱେ ଜୋନ୍ସ ତାଙ୍କ ରନ୍ ସଂଗ୍ରହକୁ ଜାରିରଖି ୫୫ ବଲ୍ରୁ ୬ ଚୌକା ଓ ୪ ଛକା ସହାୟତାରେ ୮୬ ରନ୍ର ଜବରଦସ୍ତ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ଆୟର୍ଲାଣ୍ଡ୍ ପକ୍ଷରୁ କର୍ଟିସ୍ କାମ୍ଫର୍ ଦୁଇଟି, ଜୋଶୁଆ ଲିଟିଲ୍ ଏବଂ ମାର୍କ ଆଡେୟାର୍ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ । ୧୭୭ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଆୟର୍ଲାଣ୍ଡ୍ ୧୦ ଓଭର୍ରେ ଚାରିଟି ୱିକେଟ୍ ହରାଇ ୬୧ ରନ୍ କରି ବିପଦରେ ପଡ଼ିଥିବା ବେଳେ ଜର୍ଜ ଡକ୍ରେଲ୍ଙ୍କ ସହ କର୍ଟିସ୍ କାମ୍ଫର୍ ଅବିଭାଜିତ ପଞ୍ଚମ ୱିକେଟ୍ ପାଇଁ ୧୧୯ ରନ୍ ଉଠାଇ ଟିମ୍କୁ ବିଜୟୀ ପ୍ରଥମ ବିଜୟ ଦେଇଥିଲେ ।
କାମ୍ଫର୍ ୩୨ ବଲ୍ରୁ ୭ ଚୌକା ଓ ଦୁଇଟି ଛକା ସହାୟତାରେ ଅପରାଜିତ ୭୨ ରନ୍ କରିଥିବା ବେଳେ ଡକ୍ରେଲ୍ ୨୭ ବଲ୍ରୁ ଚାରିଟି ଚୌକା ଓ ଗୋଟିଏ ଛକା ବଳରେ ୩୯ ରନ୍ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଲ୍ ଷ୍ଟର୍ଲିିଙ୍ଗ୍ ୮, କ୍ୟାପ୍ଟେନ୍ ଆଣ୍ଡ୍ର୍ୟୁ ବାଲ୍ବିର୍ଣ୍ଣି ୧୪, ଲୋର୍କାନ୍ ଟକର୍ ୨୦, ହାରି ଟେକ୍ଟର୍ ୧୪ ରନ୍ କରିଥିଲେ । ସ୍କଟ୍ଲାଣ୍ଡ୍ ପକ୍ଷରୁ ମାର୍କ ୱାଟ୍, ବ୍ରାଡ୍ ହ୍ୱିଟ୍, ସାଫିଆନ୍ ସରିଫ୍ ଏବଂ ମାଇକେଲ୍ ରିସ୍କ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । କର୍ଟିସ୍ କାମ୍ଫର୍ଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା ।