18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଦୁଇଦିନ ପରେ କାନାଡ଼ା ଫେରିଲେ ଜଷ୍ଟିନ୍ ଟୁଡ୍ରୋ

ଦୁଇଦିନ ପରେ କାନାଡ଼ା ଫେରିଲେ ଜଷ୍ଟିନ୍ ଟୁଡ୍ରୋ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡ୍ରୋ ୩୬ ଘଣ୍ଟାର ପ୍ରତୀକ୍ଷା ପରେ ଶେଷରେ ରବିବାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଶିଖର ସମ୍ମିଳନୀର ସମାପ୍ତି ପରେ ତାଙ୍କୁ ରବିବାର ସ୍ୱଦେଶ ଫେରିଯିବାର ଥିଲା । ମାତ୍ର ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ତାଙ୍କୁ ଭାରତରେ ଦୁଇଦିନ ଅଟକି ରହିବାକୁ ପଡ଼ିଥିଲା । ଏକ ସୂତ୍ର ଅନୁସାରେ ଟୁଡ୍ରୋ ଏବଂ ତାଙ୍କ ପ୍ରତିନିଧିମଣ୍ଡଳୀଙ୍କୁ କାନାଡା ଫେରିବା ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ଏୟାର୍ ଇଣ୍ଡିଆ ୱାନ୍ ବିମାନର ଅଫର୍ ଦିଆଯାଇଥିଲା । ମାତ୍ର କାନାଡା ଭାରତ ସରକାରଙ୍କ ଏହି ଅଫର୍‌କୁ ଗ୍ରହଣ କରିନଥିଲା । ଭାରତ ସରକାରଙ୍କ ଏହି ଅଫର୍‌ର ଛଅଘଣ୍ଟା ପରେ କାନାଡା ପ୍ରଶାସନ ପକ୍ଷରୁ କୁହାଯାଇଥିଲା କାନାଡାରୁ ଆସିବାକୁ ଥିବା ବିମାନର ଅପେକ୍ଷା କରିବେ ।

ସୂଚନାଯୋଗ୍ୟ, ଜି-୨୦ ସମ୍ମିଳନୀ ପରେ ଟୁଡ୍ରୋ ରବିବାର କାନାଡା ଫେରିବାର ଥିଲା । ମାତ୍ର ଉଡ଼ାଣ ପୂର୍ବରୁ ଟୁଡ୍ରୋଙ୍କ ବିମାନ ଏୟାର୍‌ବସ୍ ସିଏଫ୍‌ସି ୦୦୧ରେ ବୈଷୟିକ ତ୍ରୁଟି ଦେଖାଦେବାରୁ କାନାଡାର ସୁରକ୍ଷା ଏଜେନ୍ସି ବିମାନକୁ ରୋକି ଦେଇଥିଲେ । ଏହାପରେ କାନାଡା ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ କୁହାଯାଇଥିଲା ଯେ ଜଷ୍ଟିନ୍ ଟୁଡ୍ରୋ ଏବଂ ତାଙ୍କ ପ୍ରତିନିଧିମଣ୍ଡଳୀକୁ ନେବା ପାଇଁ ଏକ ବ୍ୟାକ୍‌ଅପ୍ ବିମାକ ସିଏଫ୍‌ସି୦୦୨ ଆସୁଛି । ମାତ୍ର ବ୍ୟାକ୍‌ଅପ୍ ବିମାନ ପହଞ୍ଚିପାରି ନଥିଲା ଏବଂ ସିଏଫ୍‌ସି୦୦୧ ବିମାନ ଠିକ୍ ହେବାପରେ ଅପରାହ୍ନଣ ଗୋଟାଏ ବେଳେ ଟୁଡ୍ରୋ କାନାଡା ଫେରିଛନ୍ତି । ବିମାନ ବନ୍ଦରରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ତାଙ୍କୁ ବିଦାୟ ସମ୍ବର୍ନ୍ଧନା ଜଣାଇଥିଲେ ।

ଜି-୨୦ ସମ୍ମିଳନୀ ବ୍ୟତୀତ ଜଷ୍ଟିନ୍ ଟୁଡ୍ରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କାନାଡାରେ ଚରମପନ୍ଥୀ ତତ୍ତ୍ୱଙ୍କ ଭାରତ ବିରୋଧୀ ଗତିବିଧିକୁ ନେଇ ଟୁଡ୍ରୋଙ୍କୁ ଭାରତର ଚିନ୍ତା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ମୋଦୀ ଭାରତୀୟ କୂଟନୀତିଜ୍ଞଙ୍କ ବିପକ୍ଷରେ ହିଂସା ଉସୁକାଉଥିବା ଏବଂ ଭାରତୀୟଙ୍କୁ ଧମକ ଦେଉଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ପ୍ରତି ଟୁଡ୍ରୋଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଚରମପନ୍ଥୀ ତତ୍ତ୍ୱଙ୍କୁ କାନାଡା ପ୍ରୋତ୍ସାହନ ଯୋଗାଉଥିବା ପ୍ରଧାନମନ୍ତ୍ରୀ ମୋଦୀ କଡ଼ା ଭାଷାରେ ଟୁଡ୍ରୋଙ୍କୁ କହିଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ବୟାନରେ କୁହାଯାଇଥିଲା ।

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପୁତ୍ରଙ୍କ ସହିତ ଭାରତ ଆସିଥିବା ଟୁଡ୍ରୋଙ୍କୁ ନିଜ ଦେଶ କାନାଡାରେ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଛି । କାନାଡା ମିଡିଆ ଏବଂ ବିରୋଧୀ ଦଳ ନେତାମାନେ କହିଛନ୍ତି, ଜି-୨୦ ସମ୍ମିଳନୀରେ ଭାରତ ଏବଂ ଅନ୍ୟ ଦେଶ ଦ୍ୱାରା ଜଷ୍ଟିନ୍ ଟୁଡ୍ରୋଙ୍କୁ ଉପେକ୍ଷିତ କରାଯାଇଛି । ସୂଚନାଯୋଗ୍ୟ, ଟୁଡ୍ରୋ ଜି-୨୦ର ପ୍ରାୟ ଇଭେଣ୍ଟ୍‌ରେ ଅଲଗା ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି ସେ ଜି-୨୦ ଡିନର୍‌ରେ ମଧ୍ୟ ସାମିଲ ହୋଇନଥିଲେ । ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତା କରିଥିଲେ ମଧ୍ୟ ଟ୍ରେଡ୍‌କୁ ନେଇ ମଧ୍ୟ ଭାରତ ସହିତ କୌଣସି ଡିଲ୍ ହୋଇପାରି ନଥିଲା । ଭାରତ ଯାତ୍ରା ବେଳେ ଟୁଡ୍ରୋଙ୍କୁ ବିଶେଷ ଗୁରୁତ୍ୱ ଦିଆନଯିବା ଏହା ପ୍ରଥମ ଘଟଣା ନୁହେଁ । ୨୦୧୮ରେ ପ୍ରଥମ ଥର ପାଇଁ ସରକାରୀ ଗସ୍ତରେ ଭାରତ ଆସିଥିବା କାନାଡା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସେପରି ଗୁରୁତ୍ୱ ଦିଆଯାଇ ନଥିଲା । ଏହି ଗସ୍ତବେଳେ ଟୁଡ୍ରୋ ଏବଂ ତାଙ୍କ ପରିବାର ତାଜମହଲ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଟୁଡ୍ରୋଙ୍କୁ ଅଣଦେଖା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking