ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାକୁ ଥିବା ଜଷ୍ଟିସ୍ ଉଦୟ ଉମେଶ ଲଳିତ ଶୁକ୍ରବାର ଏକ ଉଦାହରଣ ସୃଷ୍ଟି କରିଛି। ଜଷ୍ଟିସ୍ ଲଳିତ ନିଜର କୋର୍ଟ ନଂ-୨ରେ ଶୁକ୍ରବାର ସାଢ଼େ ୯ଟାରେ ଶୁଣାଣି ଆରମ୍ଭ କରିଛନ୍ତି । ସାଧାରଣତଃ କୋର୍ଟରେ ଶୁଣାଣି ସାଢ଼େ ୧୦ଟାରେ ହୋଇଥାଏ । ଏହା ଉପରେ ଜଷ୍ଟିସ୍ ଲଳିତ ଯୁକ୍ତି ଦର୍ଶାଇଛନ୍ତି ଯେ ଯଦି ଛୋଟ ଛୋଟ ଛାତ୍ରଛାତ୍ରୀମାନେ ସକାଳ ୭ଟାରେ ସ୍କୁଲ ଯାଇପାରୁଛନ୍ତି, ତେବେ ବିଚାରପତି ଏବଂ ଓକିଲମାନେ ନିଜର ଦିନ ୯ଟା ବେଳେ କାହିଁକି ଆରମ୍ଭ କରିପାରିବେ ନାହିଁ? ସୁପ୍ରିମକୋର୍ଟଙ୍କ ବେଞ୍ଚ୍ ସପ୍ତାହରେ ପାଞ୍ଚଦିନ ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ବସିଥାଏ ।
ଅପରାହ୍ଣ ଗୋଟାଏରୁ ଦୁଇଟା ଲଞ୍ଚ୍ ବ୍ରେକ୍ ହୋଇଥାଏ । ମାତ୍ର ଶୁକ୍ରବାର ଜଷ୍ଟିସ୍ ଲଳିତ, ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ ଏବଂ ଜଷ୍ଟିସ୍ ସୁଧାଂଶୁ ଧୂଲିଆଙ୍କ ବେଞ୍ଚ୍ ସକାଳ ସାଢ଼େ ୯ଟାରେ ବସି ଶୁଣାଣି ଆରମ୍ଭ କରିଥିଲେ । ଏହି ଅବସରରେ ଏକ ମାମଲାରେ ଉପସ୍ଥିତ ଥିବା ବରିଷ୍ଠ ଓକିଲ ଏବଂ ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ୍ ମୁକୁଲ ରୋହତଗୀ ବେଞ୍ଚ୍ ଦ୍ୱାରା ଶୀଘ୍ର ଶୁଣାଣି ଆରମ୍ଭ କରିବାକୁ ନେଇ ଖୁସିବ୍ୟକ୍ତ କରିଥିଲେ । ଏହା ଉପରେ ଜଷ୍ଟିସ୍ ଲଳିତ କହିଥିଲେ ଯେ ମୋ ବିଚାରରେ କୋର୍ଟକୁ ଶୀଘ୍ର କାର୍ଯ୍ୟାରମ୍ଭ କରିବା ଉଚିତ । ସେ ପରାମର୍ଶ ଦେଇଥିଲେ, ଯେଉଁଦିନ ଦୀର୍ଘ ଶୁଣାଣିର ଆବଶ୍ୟକତା ନଥିବା କୋର୍ଟ କାର୍ଯ୍ୟ ସକାଳ ୯ଟାରେ ଆରମ୍ଭ କରି ସାଢ଼େ ୧୧ଟା ବେଳେ ଅଧଘଣ୍ଟା ବ୍ରେକ୍ ଦେବା ଉଚିତ । ୧୨ଟାରେ ପୁଣିଥରେ ଆରମ୍ଭ କରି ୨ଟା ବେଳକୁ ଶେଷ କରିବା ଆବଶ୍ୟକ । ଏପରି ହେଲେ ଓକିଲମାନଙ୍କୁ ସନ୍ଧ୍ୟାରେ ଅଧିକ କାମ କରିବାକୁ ସମୟ ମିଳିବ ।