ଦେବଗଡ଼ : ଚାରି ଲକ୍ଷ ଟଙ୍କାର ବିଲ କରାଇବାକୁ ଠିକାଦାର ଠାରୁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ । ପୌର ପରିଷଦର ଏକ ଠିକା କାମର ୪ ଲକ୍ଷ ଟଙ୍କା ବିଲ କରାଇବାକୁ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ୧୦ ହଜାର ଟଙ୍କା ଲାଞ୍ଚ ଦାବୀ କରି ବିଲ ଅଟକାଇ ଥିବା ବେଳେ ଯନ୍ତ୍ରୀଙ୍କ ଏତାଦୃଶ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଠିକାଦାର କଳିତ କୁମାର କର ଭିଜିଲାନ୍ସର ଦ୍ୱାରସ୍ଥ୍ୟ ହୋଇଥିଲେ । ଅଭିଯୋଗ ଆଧାରରେ ଯୋଜନା ମୁତାବକ ଆଜି ଠିକାଦାର ଶ୍ରୀ କର କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁଙ୍କ ବାସଭବନରେ ଆଠ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଦେବଗଡ଼ ଭିଜିଲାନ୍ସ ବିଭାଗ ଡିଏସପି ଯୋଗେଶ ପଟେଲ, ସୁନ୍ଦରଗଡ଼ ଡିଏସପି ପ୍ରଦୀପ କୁମାର ଆଇଣ୍ଡ ଓ ଦୁଇ ଜଣ ଇନ୍ସପେକ୍ଟର କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ବାସଭବନରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ । ଏଥିସହ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁଙ୍କ ପୁରୁଣାଗଡ଼ ସ୍ଥିତ ଭଡାଘର , କାର୍ଯ୍ୟାଳୟ ଓ କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ କେନ୍ଦୁପାଲି ସ୍ଥିତ ବାସ ଭବନ ରେ ଏକ କାଳୀନ ଚଢ଼ାଉ କରିଥିଲେ । ଗିରଫ ଯନ୍ତ୍ରୀ ଶ୍ରୀ ସାହୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ସମ୍ବଲପୁର ସ୍ଥିତ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି ।