ଭୁବନେଶ୍ୱର: କୋଭିଡ-୧୯ ମହାମାରୀର ମୁକାବିଲା ନିମନ୍ତେ ବହୁମୁଖୀ ପଦକ୍ଷେପ ପାଇଁ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର (ଜେଏସପି)କୁ ସିଏସଆର ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି । ମୁମ୍ବାଇର ଯଶବନ୍ତରାଓ ଚଭନ କେନ୍ଦ୍ରରେ ଗତକାଲି ଆୟୋଜିତ ହୋଇଥିବା ସିଏସଆର ଜର୍ଣ୍ଣାଲ ଏକ୍ସଲେନ୍ସ ଆୱାର୍ଡର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ମାନ୍ୟବର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ଏହି ସମ୍ମାନଜନକ ପୁରସ୍କାର ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ହେଡ୍ (ସିଏସ୍ଆର) ପ୍ରଶାନ୍ତ ହୋତାଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ସିଏସ୍ଆର୍ ଜର୍ଣ୍ଣାଲର ମୁଖ୍ୟ ସମ୍ପାଦକ ଅମିତ ଉପାଧ୍ଯାୟ ମଧ୍ୟ ଉପସ୍ଥିତ ଥିଲେ । ପୁରସ୍କାର ଗ୍ରହଣ କରି ଶ୍ରୀ ହୋତା କହିଥିଲେ ଯେ, “ଏହି ପୁରସ୍କାର ଆଗଧଡିର ସମସ୍ତ କୋଭିଡ-୧୯ ଯୋଦ୍ଧା, ସ୍ଥାନୀୟ ଜନସାଧାରଣ ତଥା ଜେଏସପିର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ନେତୃତ୍ୱ ପାଇଁ ଉତ୍ସର୍ଗୀକୃତ” । ଏକ ସ୍ୱାଧୀନ ଜୁରି ମଣ୍ଡଳୀ ଦ୍ୱାରା ବହୁ-ସ୍ତରୀୟ ଚୟନ ପ୍ରକ୍ରିୟାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଏହି ପୁରସ୍କାର ପାଇଁ ବିଜୟୀ ଘୋଷିତ କରଯାଇଥିଲା । ଏହି ଅବସରରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି ଯେ, “ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ସମାଜକୁ ପ୍ରଭାବିତ କରିଥିବା କୋଭିଡ-୧୯ ମହାମାରୀ ସମଗ୍ର ମାନବିକତା ପାଇଁ ଏକ ଆହ୍ୱାନ । ଏକ ଦାୟିତ୍ୱପୂର୍ଣ୍ଣ କର୍ପୋରେଟ ଭାବରେ ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ୍ ପାୱାର୍ ତାହାର ସାମାଜିକ ଅନୁଷ୍ଠାନ ଜେଏସପିଏଲ୍ ଫାଉଣ୍ଡେସନର ସହଯୋଗରେ କୋଭିଡ-୧୯ ମହାମାରୀ ସମୟରେ ଗରିବ ତଥା ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇବା, ସ୍ୱାସ୍ଥ୍ୟ ସେବା ସୁବିଧା କରିବା ଏବଂ ବିଭିନ୍ନ ଡାକ୍ତରଖାନାକୁ ତରଳ ମେଡିକାଲ୍ ଅମ୍ଳଜାନ ଯୋଗାଇବା ଭଳି ବହୁବିଧ ଉଦ୍ୟମ କରିଥିଲା । ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୦୨୦ରେ ଲକଡାଉନ ଘୋଷଣା ହେବ ପରଠାରୁ ଜେଏସପିଏଲ୍ ଫାଉଣ୍ଡେସନ ତାର ‘ମିସନ ଜିରୋ ହଙ୍ଗର’ କାର୍ଯ୍ୟକ୍ରମରେ ଓଡିଶା, ଛତିଶଗଡ ଏବ ଝାରଖଣ୍ଡର ବିଭିନ୍ନ ଅଞ୍ଚଳରେ ଟ୍ରକ୍ ଡ୍ରାଇଭର, ପ୍ରବାସୀ ଶ୍ରମିକ, ଗରିବ ଏବଂ ଅନ୍ୟାନ୍ୟ ଲୋକମାନଙ୍କୁ ମାଗଣା ରନ୍ଧା ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲା । ମହାମାରୀର ଦ୍ୱିତୀୟ ଲହର ସମୟରେ, ଜିନ୍ଦଲ ସଡକ ଏବଂ ଅମ୍ଳଜାନ ଏକ୍ସପ୍ରେସ ମଧ୍ୟମରେ ୧୩ଟି ରାଜ୍ୟର ବିଭିନ୍ନ ଡ଼ାକ୍ତରଖାନାକୁ ୫୦୦୦ ଟନରୁ ଅଧିକ ତରଳ ମେଡିକାଲ୍ ଅମ୍ଳଜାନ ଯୋଗାଇଦେଇଥିଲା ।