20.1 C
Bhubaneswar
Tuesday, November 19, 2024
Homeଓଡିଶାସାମ୍ବାଦିକ ପୁଅଙ୍କୁ ହତ୍ୟା ମାମଲା : ଶ୍ୱାସରୁଦ୍ଧ ହୋଇ ମନୀଷଙ୍କ ମୃତ୍ୟୁ!,୨ସାଙ୍ଗଙ୍କ ସମେତ ୩ ଅଟକ

ସାମ୍ବାଦିକ ପୁଅଙ୍କୁ ହତ୍ୟା ମାମଲା : ଶ୍ୱାସରୁଦ୍ଧ ହୋଇ ମନୀଷଙ୍କ ମୃତ୍ୟୁ!,୨ସାଙ୍ଗଙ୍କ ସମେତ ୩ ଅଟକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମୃତ୍ୟୁ ମାମଲାରେ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଶ୍ୱାସରୁଦ୍ଧ ହେବାରୁ ମନୀଷଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ବୋଲି ଏମ୍ସର ଲୋକସମ୍ପର୍କ ଅଧିକାରୀ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି । ତେବେ ମନୀଷଙ୍କ ନିଶ୍ୱାସ କେମିିତି ବନ୍ଦ ହେଲା, ପାଣିରେ ବୁଡ଼ିବା ପୂର୍ବରୁ ହୋଇଥିଲା ନା ବୁଡ଼ିବା ପରେ । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏସମ୍ପର୍କରେ ଡାକ୍ତର ଶ୍ରୀ ତ୍ରିପାଠୀ କହିଛନ୍ତି, ଶବ ବ୍ୟବଚ୍ଛେଦ ପ୍ରାଥମିକ ରିପୋର୍ଟରୁ ମନୀଷଙ୍କ ଶ୍ୱାସରୁଦ୍ଧ ହେବାରୁ ମୃତ୍ୟୁ ହୋଇଥିବା ଅନୁମାନ ହେଉଛି । ହେଲେ ଶବ ବ୍ୟବଚ୍ଛେଦରୁ ମୃତ୍ୟୁ କେମିତି ହେଲା କହିହେବ ନାହିଁ ।

ଏଥିପାଇଁ ଅନ୍ୟ କିଛି ପରୀକ୍ଷା କରାଯିବ । ଏହି ସବୁ ପରୀକ୍ଷା ହେବା ପରେ ମୃତ୍ୟୁ ପାଣିରେ ହୋଇଛି ନା ପାଣିରେ ବୁଡ଼ିବା ପୂର୍ବରୁ ହୋଇଛି, ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଏଥିସହ ମନୀଷଙ୍କୁ ଇନ୍‌ଫୋସିଟି ଛକରୁ ପିକ୍‌ଅପ କରିଥିବା କାର୍‌କୁ ପୁଲିସ ରାଜଧାନୀର ପଳାସୁଣି ଅନ୍‌ଚଳରୁ ଜବତ କରିଛି । ଏହାସହ ୨ଜଣ ସାଙ୍ଗଙ୍କ ସମେତ ଜଣେ ସାମ୍ବାଦିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଜଣଙ୍କୁ ଆଇଡି ମାର୍କେଟ୍ ବିଅର ପାର୍ଲର ନିକଟରୁ କାବୁ କରାଯାଇଥିବାବେଳେ ଅନ୍ୟ ଜଣେ ଯୁବକଙ୍କୁ ଆଇଆର୍‌ସି ଭିଲେଜ୍ ସ୍ଥିତ ଘରୁ ପୁଲିସ ଉଠାଇଆଣିଛି ।

୨ଜଣ ସାଙ୍ଗ ନୟାପଲ୍ଲୀ ଆଇଆର୍‌ସି ଭିଲେଜ୍ ଅଞ୍ଚଳର ବୋଲି ଜଣାପଡ଼ିଛି । ଘଟଣାଦିନ ମନୀଷଙ୍କ ସହ ସମ୍ପୃକ୍ତ ସାମ୍ବାଦିକ ଜଣକ ଥିବା ପୁଲିସ ସନ୍ଦେହ କରିଛି । ତେଣୁ ତାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଛି । ତେବେ ସେ ସାମ୍ବାଦିକ ଜଣକ କିଏ, କାହିଁକି ମନୀଷଙ୍କ ସହ ଯାଇଥିଲେ । ସେନେଇ ପୁଲିସ କୌଣସି ସୂଚନା ଦେଉନାହିଁ । ଏମିତିକି ଏହି ମାମଲାକୁ ପୁଲିସ ସିକ୍ରେଟ୍ ରଖି ତଦନ୍ତ କରୁଥିବା ଜଣାପଡ଼ିଛି । ସେହିପରି ଘଟଣାରେ ୪ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି । ଅନ୍ୟ ଜଣେ ଫେରାର୍ ହୋଇଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ସମ୍ପୃକ୍ତ ଫେରାର୍ ଯୁବକକୁ ଧରିବାକୁ ଏକ ପୁଲିସ ଟିମ୍ ଜିଲ୍ଲା ବାହାରକୁ ଯାଇଛି ।

-ଧାର୍ ଟଙ୍କା ପାଇଁ ହତ୍ୟା ସନ୍ଦେହ
ମନୀଷଙ୍କ ମୃତ୍ୟୁକୁ ନେଇ ପୁଲିସ ମହଲରେ ଅନେକ ଚର୍ଚ୍ଚା ହେଉଛି । ଲକ୍ଷାଧିକ ଧାର୍ ଟଙ୍କା ପାଇଁ ମନୀଷଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି । କାରଣ ଗତ କିଛି ଦିନ ହେବ ମନୀଷ ଦୁଇ ସାଙ୍ଗଙ୍କ ଠାରୁ କିଛି ଟଙ୍କା ଧାର ଆକାରରେ ଆଣିଥିଲେ । ପରେ ଉକ୍ତ ଦୁଇ ସାଙ୍ଗ ମନୀଷଙ୍କୁ ଟଙ୍କା ମାଗିଥିଲେ ମଧ୍ୟ ସେ ଦେଇନଥିଲେ । ଯେଉଁଥିପାଇଁ ୩ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ କେନ୍ଦ୍ରକରି ମନୀଷଙ୍କ ଦୁଇ ସାଙ୍ଗ ଭୋଜି କରିବା ବାହାନାରେ ଡାକି ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେଣୁ ପୁଲିସ ମନୀଷଙ୍କ ଜଣେ ସାଙ୍ଗକୁ ଅଟକ ରଖି ପଚରାଉଚରା କରୁଛି । କାରଣ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୀଷ ୪ଜଣ ସାଙ୍ଗଙ୍କ ସହ ଉକ୍ତ ବାରରେ ଥିଲେ । ହେଲେ ଆଗୁଆ ମନୀଷଙ୍କ ୪ଜଣ ସାଙ୍ଗ ଚାଲି ଯାଇଥିଲେ ।  ରାତି ୪ଟା ପରେ ମନୀଷ ଏକା ଉକ୍ତ ବାର୍‌ରୁ ବାହାରି ଯାଇଥିଲେ । ହେଲେ ବାରର କିଛି ଦୂରରେ ସେମାନେ ଅନ୍ୟ ଏକ କାରରେ ଛିଡା ହୋଇଥିଲେ । ମନୀଷ ସେଠାକୁ ଯିବା ପରେ  ଉକ୍ତ କାରରେ ବସି କେଉଁଆଡେ ଯାଇଥିଲେ । ତେଣୁ ସେମାନେ ଯୋଜନାବଦ୍ଧ ଭାବେ ମନୀଷଙ୍କୁ ପୋଖରୀ ନିକଟକୁୁ ଡାକି ନେଇ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେଣୁ ଆସନ୍ତାକାଲି ଡାଏଟମ୍ ଟେଷ୍ଟ ରିପୋର୍ଟ ଏବଂ ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

-ସିସିଟିଭିରେ ମନୀଷଙ୍କ ଚିତ୍ର
ସାଉଥ ସିଟି ହୋଟେଲ୍ ନିକଟ ଏକ ସିସିଟିଭି ଫୁଟେଜ୍‌ରୁ ମନୀଷଙ୍କ ଚିତ୍ର ଦେଖିବାକୁ ମିଳିଛି । ସେହି ଚିତ୍ରରେ ମନୀଶ ଏକାକି ଚାଲିକି ଯାଉଛନ୍ତି । ରାତି ୩ଟା ୨୯ମିନିଟ୍ ସମୟରେ ଏହି ଚିତ୍ର ସିସିଟିଭିରେ କଏଦ ହୋଇଛି । ତେବେ ହୋଟେଲରୁ ବାହାରି ମନୀଷ ଏକାକି ଯାଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ହେଲେ ସେ ରାସ୍ତାରେ ଚାଲିକି କୁଆଡ଼େ ଯାଉଥିଲେ, କାହିଁକି ଯାଉଥିଲେ, ତାଙ୍କୁ କେହି ଯୋଜନା କରି ପୋଖରୀ ନିକଟକୁ ଡାକିଥିଲା କି, ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି ।

– ପୋଖରୀରେ ଫିଙ୍ଗିଛନ୍ତି ଦୁଇ ସାଙ୍ଗ
ମନୀଷଙ୍କୁ ମାରିଦେବା ପଛରେ ୩ରୁ ୪ଜଣ ସାଙ୍ଗ ଥାଇପାରନ୍ତି । କିନ୍ତୁ ପୋଖରୀରେ ଶବ ଲୁଚାଇବା ଲାଗି  ଦୁଇ ଜଣ ସାଙ୍ଗଙ୍କ ସମ୍ପୃକ୍ତି ଥିବା ସମ୍ପୃକ୍ତ ଅଞ୍ଚଳରୁ ଶୁଣିବାକୁ ମିଳିଛି । ରବିବାର ଭୋର ପ୍ରାୟ ୩ଟା ୫୦ ମିନିଟ୍ । ଗାଁ ଲୋକେ ଘରୁ ପଦାକୁ ଆସିବା ଆରମ୍ଭ କରୁଥିଲେ । ଏହି ସମୟରେ ଭଗବାନପୁର ରାମଳୀଳା ପଡିଆ ନିକଟରେ ଓଦା ସରସର ଦୁଇ ଜଣ ଯୁବକ କିଛି ଲୋକଙ୍କୁ ଏନ୍‌ଏଚ୍ କେଉପଟେ ବୋଲି ପଚାରି ବୁଝିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ହାପ୍‌ପ୍ୟାନ୍ଟ ପିନ୍ଧିଥିବା ବେଳେ ଅନ୍ୟଜଣେ ଫୁଲ୍ ପ୍ୟାନ୍ଟ ଓ ସାର୍ଟ ପିନ୍ଧିଥିବା ଦେଖଣାହାରୀମାନେ ମତ ଦେଇଛନ୍ତି । ଅନ୍ୟପଟେ ଶବ ବ୍ୟବଛେଦରୁ ଗୁଡୁ ପାଣି ପିଇନଥିବା ଜଣାପଡିଛି । ଯଦି ସେ ପୋଖରୀରେ ବୁଡି ମରିଥାନ୍ତେ, ତେବେ ପାଣି ପିଇବା ନିଶ୍ଚିନ୍ତ । ମାରିଦେବା ପରେ ପୋଖରୀର ଦଳ ଭିତରେ ଶବକୁ ଲୁଚାଇବା ହତ୍ୟାକାରୀମାନେ ଚେଷ୍ଟା କରିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking