30.1 C
Bhubaneswar
Saturday, April 4, 2026
Homeଓଡିଶାଡେଙ୍ଗୁ ସଂକ୍ରମଣରେ ଖୋର୍ଦ୍ଧା ନମ୍ବର ୱାନ୍‌; ସବୁଠି ମଶା ଭଣ ଭଣ

ଡେଙ୍ଗୁ ସଂକ୍ରମଣରେ ଖୋର୍ଦ୍ଧା ନମ୍ବର ୱାନ୍‌; ସବୁଠି ମଶା ଭଣ ଭଣ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଭୟ ବଢ଼ୁଥିବା ବେଳେ ଖୋର୍ଦ୍ଧା ରାଜ୍ୟର ଏକ ନମ୍ବର ଡେଙ୍ଗୁପ୍ରବଣ ଜିଲ୍ଲା ପାଲଟିଛି । ବସ୍ତିରୁ ଆପାର୍ଟମେଣ୍ଟ ସବୁଠି ମଶା ଭଣଭଣ ହେଉଛନ୍ତି । ଘରେ ଘରେ ଜ୍ୱର ବ୍ୟାପୁଛି । ଏହାରି ଭିତରେ ଡେଙ୍ଗୁରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଭୟ ଆହୁରି ବଢ଼ିଯାଇଛି । ଶନିବାର ରାତିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଜୀବନ ନେଇଛି ଡେଙ୍ଗୁ ।

ଏବେ ବର୍ଷାଦିନେ ଏଡିସ୍ ମଶାର ପ୍ରାଦୁର୍ଭାବ ବଢୁଥିବା ବେଳେ ବିଏମ୍‌ସିର ଉଦାସୀନତା ଏବେ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢାଇ ଚାଲିଛି। ରାଜଧାନୀର ସାଲିଆ ସାହି, ଆଇଆରସି ଭିଲେଜ, ଜାଗମରା, ଜୟଦେବ ବିହାର, ଖଣ୍ଡଗିରି, ନୟାପଲ୍ଲୀ, ପଥରଗାଡିଆ, ପଟିଆ, ରସୁଲଗଡ, ରେଣ୍ଟାଲ କଲୋନୀ ଓ ଶିଖରଚଣ୍ଡୀ ଡେଙ୍ଗୁ ହଟସ୍ପଟ ପାଲଟିଛି । ଅପରପକ୍ଷେ ଡେଙ୍ଗୁକୁ ନିପାତ କରିବା ସମ୍ଭବ ନୁହେଁ, କିନ୍ତୁ ଲୋକଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଅନ୍ୟପକ୍ଷରେ ଟେଷ୍ଟିଂ ବଢୁଛି ସେଥିପାଇଁ ସଂଖ୍ୟା ବୃଦ୍ଧି ପାଉଛି । ଆଗାମୀ ଦିନରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

ପ୍ରକାଶ ଯେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ମୋଟ ୨୦୭୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୫୩୭ ଓ ଭୁବନେଶ୍ୱରରେ ୪୦୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଭୁବନେଶ୍ୱରେ ସ୍ଥିତି ଉଦବେ୍‌ଗଜନକ ରହିଛି । ବିଶେଷ କରି ଭୁବନେଶ୍ୱର ନୀଳାଦ୍ରି ବିହାର ପାଲଟିଛି ଡେଙ୍ଗୁ ଜୋନ୍ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ସମଗ୍ର ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାଖାପାଖି ଅଛି । ଖୋର୍ଦ୍ଧାରୁ ସର୍ବାଧିକ ୫୦୦ ପାଖାପାଖି ରୋଗୀ ଅଛନ୍ତି । ସେହିପରି ସୁନ୍ଦରଗଡ଼ ଓ ରାଉରକେଲା ସହର, ବଲାଙ୍ଗୀର ଓ କଟକରେ ଡେଙ୍ଗୁ ସଂଖ୍ୟା ରହିଛି । ଅପରପକ୍ଷେ ଏକାମ୍ର ବିଧାୟକ ବାବୁ ସିଂ ଡେଙ୍ଗୁ ସ୍ଥିତି ପାଇଁ ବିଏମସିକୁ ଦାୟୀ କରିଛନ୍ତି । ଅବହେଳା ପାଇଁ ସରକାରୀସ୍ତରରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking