ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରୋନା ଟିକା ଭାରତରେ ମିଳିବ । ଏହି ଟିକା ହାଇଦ୍ରାବାଦରେ ମଧ୍ୟ ଉତ୍ପାଦନ ହେବାର ଯୋଜନା ରହିଛି । ଜନସନ ଟିକା ନେଇ କଥାବାର୍ତ୍ତା ଚାଲିଛି, ଆନୁଷଙ୍ଗିକ ବ୍ୟବସ୍ଥା ପରେ ଆସିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି,କେ ପଲ୍ କହିଛନ୍ତି । ଦେଶର ୧୨ଟି ରାଜ୍ୟରେ ଡେଲଟା ଏ ପ୍ଲସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨ଟି ରାଜ୍ୟରେ ୫୬ ଜଣଙ୍କଠାରେ ଡେଲଟା ଏ ପ୍ଲସ ଭୂତାଣୁ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ, ୬ ରାଜ୍ୟକୁ କେନ୍ଦ୍ରୀୟ ଟିମ ପଠାଯିବା ନେଇ ଡାକ୍ତର ଭି.କେ ପଲ୍ ସୂଚନା ଦେଇ କହିଛନ୍ତି, ଯେଉଁ ରାଜ୍ୟରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନି, ସେଠାକୁ ଟିମ ପଠାଯାଉଛି । କେନ୍ଦ୍ରୀୟ ଟିମ ସେଠାରେ ପହଂଚି ରାଜ୍ୟ ସରକାରଙ୍କୁ ଦିଗଦର୍ଶନ ଦେବେ । ସଂକ୍ରମଣକୁ କିଭଳି ଲଗାମ ଦିଆଯିବ, ସେନେଇ ପରାମର୍ଶ ଦେବେ । ଓଡିଶା ସହ ୬ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ ପଠାଯାଉଛି ।
ଅନ୍ୟପଟେ କରୋନା ତୃତୀୟ ଲହର ଆସିବ କି ନାହିଁ ଜଣାନାହିଁ ବୋଲି ସେ କହିଛନ୍ତି । ତେବେ ଆସିବା, ନଆସିବା ଆମ ଉପରେ ନିର୍ଭର କରୁଛି, ଆମ ହାତରେ ଅଛି । ଆମେ ସମସ୍ତେ ଯଦି ସତର୍କ ରହିବା, ନିୟମ ମାନିବା ୩ୟ ଲହର ଆସିବନି । ୨ୟ ଲହର ଏପର୍ଯ୍ୟନ୍ତ ଯାଇନି, ତେଣୁ ସମସ୍ତେ ଯଥେଷ୍ଟ ସତର୍କ ରହିବା ।
ତେବେ, କରୋନାରୁ ଆରୋଗ୍ୟ ହାର ୯୭ ପ୍ରତିଶତକୁ ବୃଦ୍ଧି ପାଇଛି । ଜୁନ ୩୦ ସୁଦ୍ଧା ଦେଶରେ ଶହେ ଜିଲ୍ଲାରେ ଶହେରୁ ଅଧିକ କେସ ରହିଛି । ଦେଶରେ ଆକ୍ଟିଭ କେସ ସଂଖ୍ୟା ୫ ଲକ୍ଷ ୯୦ ହଜାରକୁ ହ୍ରାସ ପାଇଛି । ଗତ ସପ୍ତାହ ଅପେକ୍ଷା ଏ ସପ୍ତାହରେ ରୋଗୀ ସଂଖ୍ୟା ୧୩ ପ୍ରତିଶତ କମିଛ ବୋଲିି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ପ୍ରଦାନ କରିଛନ୍ତ ା