ଜୟପୁର: ପବିତ୍ର ଇଦ୍ ପାଳନ ଅବସରରେ ରାଜସ୍ଥାନର ଯୋଧପୁର ସହରରେ ମଙ୍ଗଳବାର ଘଟିଥିବା ସାଂପ୍ରଦାୟିକ ହିଂସା ଘଟଣାରେ ଏପର୍ଯ୍ୟନ୍ତ ୯୭ ଜଣଙ୍କୁ ଗିରଫ କରାଯାଇସାରିଛି । ଜିଲ୍ଲାରେ ଜାରି କରାଯାଇଥିବା କର୍ଫ୍ୟୁ ମିଆଦକୁ ଆଉ ୧୨ ଘଣ୍ଟା ବୃଦ୍ଧି କରାଯାଇଛି । ସବୁ ସମ୍ବେଦନଶୀଳ ସ୍ଥାନରେ ପୁଲିସ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି ବୋଲି ଅତିରିକ୍ତ ପୁଲିସ ଡିଜି ହାୱାସିଂହ ଘୁୁମାରିଆ ସୂଚନା ଦେଇଛନ୍ତି । ଇତିମଧ୍ୟରେ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେପି ରାଜ୍ୟ ଶାଖା ପକ୍ଷରୁ ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ପତ୍ର ଜରିଆରେ ଅନୁରୋଧ କରାଯାଇଛି ।
ସୂଚନାଯୋଗ୍ୟ ମଙ୍ଗଳବାର ଗୋଟିଏପଟେ ଇଦ୍କୁ ନେଇ ମୁସଲମାନ ସଂପ୍ରଦାୟ ଉତ୍ସବ ମୁଖର ହୋଇପଡିଥିବାବେଳେ ଅନ୍ୟପଟରେ ରାଜସ୍ଥାନରେ ହିନ୍ଦୁ ସଂପ୍ରଦାୟଙ୍କ ତିନିଦିନିଆ ପର୍ଶୁରାମ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ଯୋଧପୁର ସହରରେ ଥିବା ଏକାଧିକ ମସ୍ଜିଦ ଓ ମନ୍ଦିରରେ ପତାକା, ମାଇକ୍ ଖଞ୍ଜାଯିବା ପ୍ରସଙ୍ଗ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉଭୟପକ୍ଷ ପରସ୍ପର ଉପରକୁ ପ୍ରବଳ ଟେକାପଥର ମାଡ କରିବା ସହ କେତେକ ସ୍ଥାନରେ ଲୋକେ ଦୋକାନ ବଜାର ଓ ଯାନବାହନରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ ।
ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ଲାଠିଚାଳନା ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ସୂଚନାଯୋଗ୍ୟ ବିଗତ ଏକମାସ ଧରି ଦେଶରେ ଧାର୍ମିକ ସମାବେଶ ଓ ପର୍ବପର୍ବାଣୀକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ଦେଖିବାକୁ ମିଳିଛି । ପବିତ୍ର ରାମନବମୀ ଓ ହନୁମାନ ଜୟନ୍ତୀରେ ହିନ୍ଦୁ ସଂପ୍ରଦାୟ ପକ୍ଷରୁ ଶୋଭାଯାତ୍ରା ବାହାରିଥିବାବେଳେ ଏହା ଉପରକୁ ଟେକାପଥର ମାଡ କରାଯାଇଥିଲା । ଫଳରେ ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସାଂପ୍ରଦାୟିକ ହିଂସା ଘଟଣା ଦେଖିବାକୁ ମିଳିଥିଲା ।