ବେଜିଂ: ପୁଣିଥରେ କ୍ଷମତାକୁ ଆସିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ । ତୃତୀୟ ଥର ପାଇଁ ଧରିବେ ଦେଶର ମଙ୍ଗ । ୨ ଦିନ ତଳେ ଏହି ଖବର ପ୍ରକାଶ ପାଇବା ପରେ ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ସ୍ଥାନରେ ଜିନ୍ପିଙ୍ଗଙ୍କ ବିରୋଧରେ ବ୍ୟାନର ଲାଗିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏକ ବ୍ରିଜରେ ଲାଗିଥିବା ଏକ ପୋଷ୍ଟର ସାମ୍ନାକୁ ଆସିଛି ଯେଉଁଥିରେ କରୋନା ସମୟରେ ଜିନପିଙ୍ଗଙ୍କ ପରିଚାଳନାଗତ ତ୍ରୁଟି, କଡ଼ା ଲକଡାଉନ ନିୟମ, ଅନାବଶ୍ୟକ କଟକଣା ଓ ଜିରୋ କୋଭିଡ ପଲିସିକୁ ତୀବ୍ର ସମାଲୋଚନା କରାଯାଇଛି । ଚାଇନାରେ ଗଣତନ୍ତ୍ର ସ୍ଥାପନା ସପକ୍ଷରେ ଏକ ଜନମତ ସୃଷ୍ଟି ହୋଇଛି । ଚୀନର କିଛି ନାଗରିକ ଜିନପିଙ୍ଗକୁ କ୍ଷମତାରୁ ହଟାଇବା ପାଇଁ ସ୍ଲୋଗାନ ଦେଇଛନ୍ତି ।
ଏପରି ବିରୋଧର ସ୍ୱର ଗୋଟିଏ ବା ଦୁଇଟି ନୁହେଁ ୮ଟି ସହର ସେନଜେନ, ସାଂଘାଇ, ବେଜିଂ, ଗୁଆନଞ୍ଜୁ ଏପରିକି ହଂକଂରୁ ଶୁଣିବାକୁ ମିଳିଛି । ଜିନପିନଙ୍ଗଙ୍କ ଶାସନ ନୀତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ରାଷ୍ଟ୍ରପତି ଜିନପିଙ୍ଗଙ୍କ ବିରୋଧରେ ସ୍ଲୋଗାନ ଓ ନାରାବାଜି ଆରମ୍ଭ ହୋଇଛି । ଏପରିକି ଜିନପିଙ୍ଗ ବିରୋଧୀ ସ୍ଲୋଗାନ ଥିବା ବ୍ୟାନର ଲୋକଙ୍କ ବାଥରୁମ୍ ଏବଂ ସ୍କୁଲ କାନ୍ଥରେ ଝୁଲୁଥିବା ଦେଖିବାକୁ ମିଳୁଛି । ତେବେ ଚାଇନାରେ ଏପରି ବିରୋଧ ସାଧାରଣତଃ ଦେଖିବାକୁ ମିଳି ନ ଥାଏ । ଅଧିକାଂଶ ଅଞ୍ଚଳ ସିକ୍ୟୁରିଟି କ୍ୟାମେରା ଓ ରାଡାର ସ୍କାନରରେ ଥାଏ । ହେଲେ ଏଥର ପୁଞ୍ଜିଭୂତ ଅସନ୍ତୋଷ ପଦାକୁ ବାହାରି ଆସିଛି । ଲୋକେ ଲୁଚି ଲୁଚି ପ୍ରତିବାଦ କରୁଛନ୍ତି । କେବଳ ଦେଶ ନୁହଁ ବିଦେଶରେ ମଧ୍ୟ ଜିନପିଙ୍ଗଙ୍କ ବିରୋଧରେ ସ୍ୱର ତେଜିଛି । ମୁଖ୍ୟତଃ ଅନ୍ୟ ରାଷ୍ଟ୍ରର ୨୦୦ଟି ବିଶ୍ୱବିଦ୍ୟାଳୟରେ ଜିନପିଙ୍ଗଙ୍କ ବିରୋଧରେ ପ୍ରତିବାଦ କରାଯାଇଛି । ଆମେରିକା, ଜାପାନ, ଦକ୍ଷିଣ କୋରିଆ ଏବଂ ତାଇୱାନରେ ଏହି ପ୍ରତିବାଦ ଦେଖିବାକୁ ମିଳିଛି ।