22.1 C
Bhubaneswar
Thursday, December 5, 2024
Homeଓଡିଶାଜିନ୍ଦଲ୍ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରୁ ପାନବରଜ ଉଚ୍ଛେଦ: ଉଜୁଡ଼ିଛି ଜୀବିକା, ହାତବାନ୍ଧି ବସିଛନ୍ତି ଦଳିତ ପରିବାର

ଜିନ୍ଦଲ୍ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରୁ ପାନବରଜ ଉଚ୍ଛେଦ: ଉଜୁଡ଼ିଛି ଜୀବିକା, ହାତବାନ୍ଧି ବସିଛନ୍ତି ଦଳିତ ପରିବାର

ବାଲିତୁଠ: ମହାମାରୀ ପ୍ରଭାବରେ ଦୀର୍ଘ ୨ ବର୍ଷ ହେବ ଜୀବନ ଜୀବିକାର ଦୋଛକିରେ ଠିଆ ହୋଇଥିବା  ଏରସମା ଅଞ୍ଚଳର ଦଳିତ ପରିବାରଙ୍କ ଉପରେ ପୁଣି ବେଡ଼ି ଉପରେ କୋରଡ଼ା ମାଡ଼ ହୋଇଛି । ଜିନ୍ଦଲ୍ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରୁ ପାନବରଜ ଉଚ୍ଛେଦ ପରେ ସେମାନେ ହାତବାନ୍ଧି ବସିଛନ୍ତି । ବିଶେଷକରି ଯେଉଁ ପରିବାର ପାନଟୁକୁରୀ ତିଆରି କରି ବ୍ୟବସାୟୀଙ୍କୁ ଯୋଗାଇ ଦୁଇ ପଇସା ରୋଜଗାର କରୁଥିଲେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଏହି ଦଳିତ ପରିବାର ମାନେ ଏରସମା ବ୍ଲକ ଅଞ୍ଚଳର ବାଲିତୁଠ, ଧୋବେଇ, ପଲ୍ଲିକଣ୍ଟା, ଧଳିପଙ୍ଗ, ଚଟୁଆ, ତ୍ରିଲୋଚନପୁର, କଙ୍କରଦିଆ ଓ କୁଜଙ୍ଗ ବ୍ଲକ ଅଞ୍ଚଳର ସାହାଡ଼ା, ତେନ୍ତୁଲିଆ ଏବଂ ବୋରିଖି ପ୍ରଭୃତି ଗ୍ରାମରେ ବସବାସ କରନ୍ତି । ଅଧିକାଂଶ ପରିବାରର ଚାଷଜମି ନାହିଁ ।

ଏମାନଙ୍କ ମଧ୍ୟରୁ କିଛି ପରିବାର ବିବାହ, ବ୍ରତ ଓ ପୂଜା ପାର୍ବଣରେ ବାଜା ବଜାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ କିଛି ପରିବାର ବାଉଁଶ ହସ୍ତକଳାର ଘର କରଣା ଜିନିଷ ଯଥା ଟୋକେଇ, କୁଲା, ବାଉଁଶିଆ ଓ ପାନଟୁକୁରୀ ବିକ୍ରିକରି ପରିବାର ପ୍ରତିପୋଷଣ କରିଥାନ୍ତି । ଯେଉଁସବୁ ପରିବାର ପାନଟୁକୁରୀ ତିଆରି କରି ଢିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ, ବାଲିତୁଠ ଓ ବାମଦେଇପୁର ପ୍ରଭୃତି ପଞ୍ଚାୟତ ଅଞ୍ଚଳର ପାନ ବ୍ୟବସାୟୀଙ୍କୁ ବିକ୍ରିକରି ରୋଜଗାର କରୁଥିଲେ ଏକପ୍ରକାର ଠପ୍ ହୋଇଯାଇଛି । ସୂଚନାଯୋଗ୍ୟ, ପ୍ରସ୍ତାବିତ ଜିନ୍ଦଲ ଇସ୍ପାତ ପ୍ରକଳ୍ପ ପାଇଁ ଢିଙ୍କିଆ ପଞ୍ଚାୟତରୁ ପ୍ରଶାସନ ପକ୍ଷରୁ ୮୨୨ଟି ପାନବରଜ ଭାଙ୍ଗି ଦିଆଯିବା ପରେ ଏହି ପରିବାରଙ୍କ ସମସ୍ୟା ବଳେଇ ପଡିଛି । ଏଠାରୁ ଦୈନିକ ଶହଶହ ପାନ ଟୁକୁରୀରେ ସୁଦୂର ଦିଲ୍ଲୀ, ମୁମ୍ବାଇ, ବନାରସକୁ ପଠାଯାଉଥିବା ପାନ ବ୍ୟବସାୟ ଏକପ୍ରକାର ବନ୍ଦ ହୋଇଯିବାରୁ ପାନଟୁକୁରୀର ଆବଶ୍ୟକତା କମିଯାଇଛି ।

ଦୈନିକ ଆବଶ୍ୟକ ହେଉଥିବା ୩ ହଜାରରୁ ଊର୍ଦ୍ଧ୍ୱ ପାନ ଟୁକୁରୀର ଚାହିଦା କମିଯାଇ ବର୍ତ୍ତମାନ ମାତ୍ର ୪୦୦ରେ ପହଞ୍ଚିଛି । ଏ ସମ୍ପର୍କରେ ବାଲିତୁଠଠାରେ ଥିବା ୨୦ରୁ ଊର୍ଦ୍ଧ୍ୱ ପରିବାରର କୈଳାସ ବେହେରା, ସନିଆ ବେହେରା, ପ୍ରତିମା ବେହେରା, ସୁକୁରୀ ବେହେରା, ପାର୍ବତୀ ବେହେରା ଓ ପାଟ ବେହେରା ପ୍ରମୁଖ କୁହନ୍ତି, କରୋନାରେ ଆମେ ବୃତ୍ତି ହରାଇ ଦୀର୍ଘଦିନ ଧରି ଦୁଃଖକଷ୍ଟରେ କାଟିଥିଲୁ । କଟକଣା ଉଠିବା ପରେ ଢିଙ୍କିଆ ଅଞ୍ଚଳରୁ ପାନବରଜ ଭାଙ୍ଗି ଦିଆଗଲା । ଏବେ ପାନ ବ୍ୟବସାୟ ବନ୍ଦ ହେବା କାରଣରୁ ପାନଟୁକୁରୀର ଚାହିଦା ନାହିଁ । ଆମେ ହାତ ବାନ୍ଧି ବସିଛୁ । ଆମର ଜମିବାଡ଼ି ନାହିଁ । ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking