ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୧ହଜାର ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ଝାଡଖଣ୍ଡ ହାଇକୋର୍ଟ । ରାହୁଲଙ୍କ ବିରୋଧରେ ୨୦୧୮ରେ ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଅମିତ୍ ଶାହଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି ଚାଇବାସା କୋର୍ଟରେ ଚାଲିଥିବା ବେଳେ ରାହୁଲ ତାଙ୍କ ବିରୋଧରେ ଏହି ମାମଲାକୁ ଖାରଜ କରିବାକୁ ଝାଡଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାହୁଲଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ମଧ୍ୟ ଚାଇବାସା କୋର୍ଟଙ୍କ ଶୁଣାଣି ପ୍ରକ୍ରିୟା ଏବଂ ରାହୁଲଙ୍କ ବିରୋଧରେ ଚାଇବାସା କୋର୍ଟ ଗତ ଫେବ୍ରୁଆରୀ ମାସରେ ଜାରି କରିଥିବା ଜାମିନ୍ବିହୀନ ୱାରେଣ୍ଟ୍ ଉପରେ ରୋକ୍ ଲଗାଇଥିଲେ ଏବଂ ରାହୁଲଙ୍କୁ ଆଶ୍ୱସ୍ତ କରିଥିଲେ । ତେବେ ଏହି ମାମଲାରେ ଜବାବ ଦାଖଲ କରିବାକୁ ରାହୁଲଙ୍କୁ ହାଇକୋର୍ଟ ସେସମୟରେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ନିର୍ଦ୍ଧାରିତ ସମୟ ସୁଦ୍ଧା ରାହୁଲଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆନଯିବାକୁ ନେଇ ଆଜି ଜରିମାନା ଲାଗୁ କରିଛନ୍ତି ହାଇକୋର୍ଟ ।