19.1 C
Bhubaneswar
Monday, November 18, 2024
Homeଅପରାଧଓଡ଼ିଶାରୁ ସାରାଦେଶକୁ ଅପରେଟ୍ ହେଉଥିଲା, କ୍ରାଇମବ୍ରାଞ୍ଚ ପଞ୍ଝାରେ ଜମ୍‌ତାରା ଗ୍ୟାଙ୍ଗ୍‌

ଓଡ଼ିଶାରୁ ସାରାଦେଶକୁ ଅପରେଟ୍ ହେଉଥିଲା, କ୍ରାଇମବ୍ରାଞ୍ଚ ପଞ୍ଝାରେ ଜମ୍‌ତାରା ଗ୍ୟାଙ୍ଗ୍‌

ଭୁବନେଶ୍ୱର:  ଡିଜିଟାଲ ଯୁଗରେ ସାଇବର ଠକେଇ ଏକ ଅଦୃଶ୍ୟ ଅପରାଧର ରୂପ ନେଇଛି । ଏହି ଠକେଇ ପଛରେ ଝାରଖଣ୍ଡର ଜମ୍‌ତାରା ଗ୍ୟାଙ୍ଗ୍‌ଙ୍କ ବଡ଼ ଭୂମିକା ରହିଛି । ଏହି ଗ୍ୟାଙ୍ଗ୍ ଝାରଖଣ୍ଡର ଜମ୍‌ତାରାରେ ରହି ଦେଶବାସୀଙ୍କୁ ଲୁଟୁଛନ୍ତି । ହେଲେ ଏମାନେ ଏବେ ବିଭିନ୍ନ ରାଜ୍ୟରେ ଛଦ୍ମବେଶରେ ରହି ଲୁଟିବା ଆରମ୍ଭ କରିଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ରହି ଏମାନେ ସାଇବର ଠକେଇ କରୁଥିବାବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି । ରସୁଲଗଡ଼ ଅଞ୍ଚଳରେ ରହି ସାରାଦେଶରୁ ଠକେଇ କରୁଥିବା ଏହି ଜମ୍‌ତାରା ଗ୍ୟାଙ୍ଗ୍‌ର ୩ ଜଣ ସଦସ୍ୟଙ୍କୁ ରାଜ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ଜିଲା ଗିରିଡିହି ଜିଲାର ପ୍ରଧୁମ କୁମାର ମଣ୍ଡଲ(୨୦), କ୍ରିଷ୍ଣାକୁମାର ମଣ୍ଡଲ(୧୯) ଓ ଧାନ୍‌ବାଦ ଜିଲାର ଚେତଲାଲ୍ ମଣ୍ଡଲ(୨୮) ।

ଏମାନଙ୍କ ଠାରୁ ୧୧ଟି ମୋବାଇଲ, ୨ଟି ଲାପଟପ, ଗୋଟିଏ ଟ୍ୟାବ୍ ମିଳିଛି । ଏଥିସହ ବିହାର, ପଶ୍ଚିମବଙ୍ଗ, ଝାରଖଣ୍ଡର ପଞ୍ଜିକୃତ ୩୩ଟି ସିମ୍ ମଧ୍ୟ ଜବତ କରାଯାଇଛି । ଏନେଇ କ୍ରାଇମବ୍ରାଞ୍ଚ ସାଇବର ଥାନା ପୁଲିସ କେସ୍ ନଂ ୨/୨୦୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଖୋର୍ଦ୍ଧା ଏସ୍‌ଡିଜେଏମ୍ କୋର୍ଟକୁ ଚାଲାଣ କରିଥିଲା । ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମାମଲାର ଅଧିକ ତଦନ୍ତ ପାଇଁ ଗିରଫ ୩ ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି କ୍ରାଇମବ୍ରା ଏଡିଜି ସଞ୍ଜିବ ପଣ୍ଡା କହିଛନ୍ତି । କ୍ରାଇମବ୍ରାଞ୍ଚ ଚଢ଼ଉ କରିବାବେଳେ ଏହି ଗ୍ୟାଙ୍ଗ୍‌ର ଅନ୍ୟ ୩/୪ ସଦସ୍ୟ ଫେରାର୍ ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଯେଉଁମାନେ ଖସିଯାଇଛନ୍ତି ସେମାନେ ସବୁ ମାଷ୍ଟରମାଇଣ୍ଡ୍ ବୋଲି ଚର୍ଚ୍ଚା ହେଉଛି । ତେଣୁ ସେମାନଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଜୋରଦାର୍ ଉଦ୍ୟମ କରୁଛି ।

ଏଥିସହ ଗ୍ୟାଙ୍ଗର ସଦସ୍ୟମାନେ କୋଲକାତାର ଯେଉଁଠୁ ବ୍ୟାଙ୍କ ଗ୍ରାହକଙ୍କ ତଥ୍ୟ ଆଣୁଥିଲେ, ସେଦିଗକୁ ମଧ୍ୟ ଅନୁସନ୍ଧାନ କରାଯିବ । ଆବଶ୍ୟକ ପଡ଼ିଲେ ଝାରଖଣ୍ଡ ଏବଂ କୋଲକାତାକୁ କ୍ରାଇମବ୍ରାଞ୍ଚର ଟିମ୍ ଯିବ ବୋଲି ଏଡିଜି କହିଛନ୍ତି । ସୂଚନା ଅନୁଯାୟୀ, ଓଡ଼ିଶା ସମେତ ଦେଶର ୨୦ଟି ରାଜ୍ୟରେ ୧୭୧ଟି ସାଇବର ଠକେଇରେ ଏମାନେ ସାମିଲ ଅଛନ୍ତି । ଏଥିସହ ଜବତ ହୋଇଥିବା ୩୩ଟି ସିମ୍‌ରେ ଅଭିଯୁକ୍ତମାନେ ଏଯାବତ ୪ ଲକ୍ଷ ୩୮ ହଜାର ୮୩୪ ଜଣଙ୍କୁ ଯୋଗାଯୋଗ କରିଥିବା କ୍ରାଇମବ୍ରାଞ୍ଚ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି । ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ଲୋକଙ୍କ ନାଁରେ ପୂର୍ବରୁ ପଞ୍ଜିକୃତ ହୋଇଥିବା ସିମ୍‌କୁ କିଣୁଥିଲେ । ଉକ୍ତ ସିମ୍‌କୁ ମୋବାଇଲରେ ଭର୍ତ୍ତିକରି ବିଭିନ୍ନ ଲୋକଙ୍କୁ କଲ୍ କରୁଥିଲେ । ସାଇବର ପୁଲିସ ଉକ୍ତ ନମ୍ବରକୁ ବ୍ଲକ୍ କରିବା ପରେ ସିମକାର୍ଡକୁ ସେମାନେ ଫୋପାଡ଼ି ଦେଉଥିଲେ । ତେଣୁ ପୁଲିସ କିମ୍ବା କୌଣସି ଲୋକ ଏମାନଙ୍କ ଠିକଣା ଓ ପରିଚୟ ସମ୍ପର୍କରେ ଜାଣିପାରୁନଥିଲେ ।

ଗ୍ୟାଙ୍ଗରେ ସଦସ୍ୟମାନେ କୌଣସି ଏକ ସୂତ୍ରରୁ ବିଭିନ୍ନ ବ୍ୟାଙ୍କର ଗ୍ରାହକଙ୍କ ତଥ୍ୟ ଆଣୁଥିଲେ । ଗ୍ରାହକଙ୍କ ମୋବାଇଲ ନମ୍ବରକୁ ବ୍ୟାଙ୍କ କର୍ମଚାରୀ କହି କେୱାଇସି ଅପଡେଟ୍ କରିବା, ବ୍ୟାଙ୍କ ଖାତା ଖୋଲିବା, କ୍ରେଡିଟ୍ ଓ ଡେବିଟ୍ କାର୍ଡର ତଥ୍ୟ ନେଇ ବିଭିନ୍ନ ଉପାୟରେ ଠକୁଥିଲେ । ଆସୁଥିବା ମେସେଜରେ ଲିଙ୍କ୍‌କୁ ଗ୍ରାହକମାନେ କ୍ଲିକ୍ କରିବା ପରେ ସେମାନଙ୍କ ମୋବାଇଲକୁ ନିୟନ୍ତ୍ରଣ କରି ବ୍ୟାଙ୍କରୁ ବିଭିନ୍ନ ଡିଜିଟାଲ ପେମେଣ୍ଟ ଆପ୍ ଦ୍ୱାରା ବିପୁଳ ଟଙ୍କା ନେଇଯାଉଥିଲେ । ଏହାପରେ ଠକେଇ ଟଙ୍କାରେ ଗିଫ୍ଟ ଭାଉଚର କିଣି ବିଭିନ୍ନ ଦାମୀ ଉପକରଣ କିଣୁଥିଲେ । ଅଭିଯୁକ୍ତମାନେ ଗତ ଡିସେମ୍ବର ୨୮ରୁ ଓଡ଼ିଶା ଆସି ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ସୌମିତ ବେହେରାଙ୍କ ଏକ ଘରକୁ ଭଡ଼ାରେ ନେଇ ରହୁଥିଲେ । ସେମାନେ କୌଣସି କାମ ନକରି ସୌଖିନ ଢଙ୍ଗରେ ଚଳୁଥିଲେ । କେବଳ ଘରେ ବସି ରହୁଥିବାରୁ ଘରମାଲିକ ଓ ଆଖପାଖର ରହୁଥିବା ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା । ରାଜ୍ୟ ବାହାରର ଅପରାଧୀ ଭାବି ସେମାନେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ କ୍ରାଇବ୍ରାଞ୍ଚକୁ ସୂଚନା ଦେଇଥିଲା । କ୍ରାଇମବ୍ରାଞ୍ଚ ଟିମ୍ ସେମାନଙ୍କ ଉପରେ ନଜର ରଖୁଥିଲେ । ପୁଲିସ କଡ଼ା ନଜର ରଖୁଥିବା ସେମାନେ ଜାଣିପାରିଥିଲେ । ତେଣୁ ଶୁକ୍ରବାର ବିଳମ୍ବିତ ରାତିରେ ସେମାନେ ଘର ଛାଡ଼ି ଯିବାକୁ ପ୍ରସ୍ତୁତ ହେଉଥିବା ସମୟରେ କ୍ରାଇମବ୍ରାଞ୍ଚ ଟିମ୍ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking