18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଜାମା ମସ୍‌ଜିଦ୍‌ରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ: ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ କଟକଣା ପ୍ରତ୍ୟାହୃତ

ଜାମା ମସ୍‌ଜିଦ୍‌ରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ: ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ କଟକଣା ପ୍ରତ୍ୟାହୃତ

ନୂଆଦିଲ୍ଲୀ : ଦିଲ୍ଲୀର ପ୍ରସିଦ୍ଧ ଜାମା ମସ୍‌ଜିଦରେ ମହିଳାଙ୍କ ପ୍ରବେଶ ଉପରେ ଯେଉଁ କଟକଣା ଜାରି କରାଯାଇଥିଲା, ତାହାକୁ ମସ୍‌ଜିଦ କର୍ତ୍ତୃପକ୍ଷ ଗୁରୁବାର ପ୍ରତ୍ୟାହାର କରିନେଇଛନ୍ତି । ଅବଶ୍ୟ ଦିଲ୍ଲୀ ଉପରାଜ୍ୟପାଳ ଭି.କେ.ସାକ୍ସେନାଙ୍କ ଅନୁରୋଧ ରକ୍ଷାକରି ଜାମା ମସ୍‌ଜିଦର ଶାହୀ ଇମାମ୍ କଟକଣା ପ୍ରତ୍ୟାହାର କରିନେଇଥିବା ଜଣାପଡିଛି । ସପ୍ତଦଶ ଶତାବ୍ଦୀରେ ମୋଗଲ ଶାସକଙ୍କ ଦ୍ୱାରା ନିର୍ମିତ ଜାମା ମସ୍‌ଜିଦ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଥାଏ । ଲାଲକିଲ୍ଲା ସମ୍ମୁଖରେ ଅବସ୍ଥିତ ହୋଇଥିବାରୁ ସାଧାରଣତଃ ଏହି ମସ୍‌ଜିଦ ପରିଦର୍ଶନ କରିବାକୁ ପର୍ଯ୍ୟଟକମାନେ ପସନ୍ଦ କରିଥାନ୍ତି । ତେବେ ମସ୍‌ଜିଦ ମଧ୍ୟରେ ଯୁବତୀ/ମହିଳାଙ୍କ ପ୍ରବେଶ ଉପରେ କର୍ତ୍ତୃପକ୍ଷ କିଛିଦିନ ପୂର୍ବେ କଟକଣା ଜାରି କରିଥିଲେ । ଏଥିପାଇଁ ମସ୍‌ଜିଦର ତିନିଟି ପ୍ରବେଶପଥରେ ଉକ୍ତ ନୋଟିସ ଲଗାଯାଇଥିଲା । ଏହି ଘଟଣା ଗୁରୁବାର ଲୋକଲୋଚନକୁ ଆସିବାପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମସ୍‌ଜିଦ୍ କର୍ତ୍ତୃପକ୍ଷଙ୍କ ଏତାଦୃଶ ନିଷ୍ପତ୍ତିକୁ ଜାତୀୟ ମହିଳା କମିଶନ ତୀବ୍ର ବିରୋଧ କରିଥିଲା । ଏହା ମହିଳାଙ୍କ ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଅଭିଯୋଗ କରିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଅସାମ୍ବିଧାନିକ ବୋଲି ଆଖ୍ୟା ଦେବା ସହିତ ସ୍ୱାତୀ ଆହୁରି କହିଛନ୍ତି ଯେ ମସ୍‌ଜିଦ କର୍ତ୍ତୃପକ୍ଷ ଭାରତକୁ ଇରାକ୍ କିମ୍ବା ଇରାନ୍ ବୋଲି ଭାବିବା ଅନୁଚିତ । ଏଠାରେ କୌଣସି ବ୍ୟକ୍ତି କିମ୍ବା ସଂଗଠନ ସମ୍ବିଧାନ ଊର୍ଦ୍ଧ୍ୱରେ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ କଟକଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ପକ୍ଷରୁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଥିଲା । ନଭେମ୍ବର ୨୮ ସୁଦ୍ଧା କାରଣ ଦର୍ଶାଇବାକୁ କମିଶନ ପକ୍ଷରୁ ମସ୍‌ଜିଦ କର୍ତ୍ତୃପକ୍ଷଙ୍କୁ ନୋଟିସ ମଧ୍ୟ କରାଯାଇଥିଲା । ତେବେ ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଗୁରୁବାର ସନ୍ଧ୍ୟାରୁ ଏହି କଟକଣାକୁ ପ୍ରତ୍ୟାହାର କରାଯାଇଛି । ଏ ପ୍ରସଙ୍ଗରେ ଜାମା ମସ୍‌ଜିଦର ଶାହୀ ଇମାମ୍ ସୟଦ୍ ଅହମ୍ମଦ ବୁଖାରୀ କହିଛନ୍ତି ଯେ ଉପରାଜ୍ୟପାଳଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହେବାପରେ ଆମେ କଟକଣା ଉଠାଇଦେଇଛୁ । ତେବେ ମସ୍‌ଜିଦକୁ ଆସୁଥିବା ପ୍ରତ୍ୟେକ ମହିଳା କିମ୍ବା ଯୁବତୀ ଏହାର ପବିତ୍ରତା ରକ୍ଷା କରିବା ଜରୁରୀ ବୋଲି ସେ କହିଛନ୍ତି ।

ଏ ସମ୍ପର୍କରେ ଶାହୀ ଇମାମ୍ କହିଛନ୍ତି ଯେ କେତେକ ପ୍ରେମୀଯୁଗଳ ମସ୍‌ଜିଦ ପରିସରକୁ ଲଭର୍ସ ପଏଣ୍ଟଭାବେ ବ୍ୟବହାର କରୁଥିବାର ଘଟଣା ନଜରକୁ ଆସିବାପରେ ଏଭଳି କଟକଣା ଲାଗୁ କରାଯାଇଛି । ତେବେ ମସ୍‌ଜିଦ୍‌କୁ ନମାଜପାଠ କରିବାକୁ ଆସୁଥିବା ଯୁବତୀ/ମହିଳାଙ୍କ ପ୍ରତି କଟକଣା ଲାଗୁ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଜାମା ମସ୍‌ଜିଦ ଏକ ଉପାସନାସ୍ଥଳ । ଏଠାକୁ କୌଣସି ପ୍ରକାର ମନ୍ଦ ଉଦ୍ଦେଶ୍ୟ ରଖୁଥିବା ବ୍ୟକ୍ତି କିମ୍ବା ମହିଳାଙ୍କ ପ୍ରବେଶ ନିଶ୍ଚିତଭାବେ ଗ୍ରହଣଯୋଗ୍ୟ ନୁହେଁ ବୋଲି ଇମାମ୍ କହିଛନ୍ତି । କେବଳ ମସ୍‌ଜିଦ କାହିଁକି, ମନ୍ଦିର, ଗୀର୍ଜା ଓ ଗୁରୁଦ୍ୱାର ଭଳି ଧାର୍ମିକ ସ୍ଥଳଗୁଡିକରେ ମଧ୍ୟ ଏଭଳି ମନ୍ଦ କାର୍ଯ୍ୟକୁ ପ୍ରୋତ୍ସାହନ ଦିଆଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଏଥିପାଇଁ ଆମେ କଟକଣା ଲାଗୁ କରିବାକୁ ବାଧ୍ୟ ହୋଇଥିଲୁ ବୋଲି ସେ କହିଛନ୍ତି । ମସ୍‌ଜିଦ ମୁଖପାତ୍ର ସବିଉଲ୍ଲା ଖାନ୍ କହିଛନ୍ତି ଯେ କେତେକ ଯୁବତୀ ଏଠାକୁ ପ୍ରେମିକଙ୍କୁ ଭେଟିବାକୁ ଆସୁଥିବାବେଳେ ଆଉ କେତେକ ଯୁବତୀ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଏଭଳି ଯୁବତୀଙ୍କ ପ୍ରବେଶ ଉପରେ ନଜର ରଖିବାକୁ ପ୍ରତ୍ୟେକ ପ୍ରବେଶପଥରେ ଏଣିକି ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking