ଲଣ୍ଡନ: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରଭାବେ ମାନ୍ୟତାଲାଭ କରିଛି । ବିଶ୍ୱବ୍ୟାପୀ ବିଭିନ୍ନ ସହରର ବାୟୂମଣ୍ଡଳ ଉପରେ ନଜର ରଖୁଥିବା ସ୍ୱିଜରଲାଣ୍ଡର ଆଇକ୍ୟୁଏୟାର ସଂସ୍ଥା ତରଫରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାକର୍ତ୍ତା ସହରରେ ସବୁଠାରୁ ଅଧିକ ବାୟୁ ପ୍ରଦୂଷଣ ଲକ୍ଷ୍ୟ କରାଯାଇଛି । ଜାତିସଂଘ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ବାୟୁ ପ୍ରଦୂଷଣର ଶିକାର ହୋଇ ବିଶ୍ୱରେ ୭୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି । ପରିବେଶ ଦୃଷ୍ଟିିକୋଣରୁ ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଅଧିକ କ୍ଷତିକାରକ ବୋଲି ମଧ୍ୟ କୁହାଯାଇଛି ।
ଜାକର୍ତ୍ତା ଏବଂ ଏହାର ଆଖପାଖ ଅଞ୍ଚଳରେ ୩ କୋଟି ଲୋକ ବସବାସ କରୁଛନ୍ତି । ଏହି ତାଲିକାରେ ଜାକର୍ତ୍ତା ସାଉଦି ଆରବର ରିୟାଦ, ସଂଯୁକ୍ତ ଆରବ ଏମିରେଟ୍ସର ଦୋହା ଏବଂ ପାକିସ୍ତାନର ଲାହୋର ସହରକୁ ପଛରେ ପକାଇଥିବା ଜଣାପଡିଛି । ଜାକର୍ତ୍ତା ସହରରେ ପ୍ରତିଦିନ ବାୟୁମଣ୍ଡଳର ପ୍ରଦୂଷଣ ମାତ୍ର ପିଏମ୨.୫ ରହୁଥିବା ରେକର୍ଡ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ପିଏମ୍୨.୫ ସାଂଘାତିକ ଅବସ୍ଥା ସୃଷ୍ଟି କରୁଥିବାବେଳେ ସେହି ଅଞ୍ଚଳରେ ବାସ କରୁଥିବା ଲୋକେ ଶ୍ୱାସକ୍ରିୟା ଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।
ଏ ପ୍ରସଙ୍ଗରେ ପ୍ରଶ୍ନ କରାଯିବାରୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି ଯେ ଜାକର୍ତ୍ତା ଉପରୁ ପ୍ରଦୂଷଣ ବୋଝ ହ୍ରାସ କରିବା ଲକ୍ଷ୍ୟରେ ବର୍ତ୍ତମାନ ଜାକର୍ତ୍ତା ପରିବର୍ତ୍ତେ ବୋର୍ଣ୍ଣିଓ ଦ୍ୱୀପସ୍ଥିତ ନୁସାନ୍ତାରାକୁ ରାଜଧାନୀ ସ୍ଥାନାନ୍ତର କରାଯିବ ବୋଲି ତାଙ୍କ ସରକାର ଯୋଜନା ଚଳାଇଛନ୍ତିି । ଏହାବ୍ୟତୀତ ଜାକର୍ତ୍ତାରେ ଯାନବାହନ ସଂଖ୍ୟା ନିୟନ୍ତ୍ରଣ କରିବାକୁ ମେଟ୍ରୋ ରେଲ ବ୍ୟବସ୍ଥା ମଧ୍ୟ କରାଯିବ । ଶିଳ୍ପ କାରଖାନାରୁ ନିର୍ଗତ ଧୂଆଁ ସାଙ୍ଗକୁ ଟ୍ରାଫିକ୍ ଜାମ୍ ଏବଂ ରାଜଧାନୀ ନିକଟରେ ପ୍ରତିଷ୍ଠା କରାଯାଇଥିବା ତାପଜ ବିଦ୍ୟୁତ କେନ୍ଦ୍ର ଯୋଗୁଁ ସହରର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହେଉଛି ବୋଲି ଜାକର୍ତ୍ତାବାସୀ ଅଭିଯୋଗ କରିଛନ୍ତି ।
କୋଭିଡ୍ର ଅନ୍ତ ଘଟସାରିଥିଲେ ସୁଦ୍ଧା ଜାକର୍ତ୍ତାର ପ୍ରାୟ ୬୦ ପ୍ରତିଶତ ନାଗରିକ ବାହାରକୁ ବାହାରିଲେ ମୁହଁରେ ମାସ୍କ୍ ପରିଧାନ କରୁଥିବା ଲକ୍ଷ୍ୟ କରାଯାଇଛି । ୨୦୨୧ରେ ପ୍ରଦୂଷଣକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସରକାରଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା ।
ବୟସ୍କ ଓ ରୋଗାକ୍ରାନ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । ଚଳିତବର୍ଷ ଜାକର୍ତ୍ତା ନିକଟରେ ନିର୍ମିତ ହେବାକୁ ଥିବା ଦୁଇଟି ତାପଜ ବିଦ୍ୟୁତ୍କେନ୍ଦ୍ରକୁ ସ୍ଥଗିତ ରଖାଯାଇଛି । ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସତ୍ତ୍ୱେ ଇଣ୍ଡୋନେସିଆ ସରକାର ଜାଭା ଦ୍ୱୀପର ସୁରାଳୟା ସହରରେ ଥିବା ବୃହଦାକାୟ ତାପଜ ବିଦ୍ୟୁତ୍ କେନ୍ଦ୍ରର ସଂପ୍ରସାରଣ କରୁଥିବା ଅଭିଯୋଗ ହୋଇଛି ।