ଯାଜପୁର (ଓଏନଏ) : ଆମ ସାହିତ୍ୟ ପରିବାର, ବ୍ୟାସନଗରର ଦ୍ବିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂବାହ୍ନରେ ସ୍ଥାନୀୟ ଉତ୍ସବ୍ ପ୍ୟାଲେସ୍ ପରିସରରେ ଆୟୋଜିତ ଉତ୍ସବକୁ ପ୍ରାକ୍ତନ ମନ୍ତ୍ରୀ ଡ.ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିଲେ । ଶ୍ରୀ ଘଡାଇ କହିଲେ- ଓଡିଆ ଭାଷା ସାହିତ୍ୟର ଅବକ୍ଷୟ ପାଇଁ ନୂତନ ପିଢିର ପିତାମାତା ମାନେ ହିଁ ଦାୟୀ । ଇଂରାଜୀ ଭାଷାରେ ପିଲାମାନଙ୍କୁ ଶିକ୍ଷାଦେବା ଫଳରେ ଓଡିଆ ସାହିତ୍ୟର ମୂଲ୍ୟବୋଧ ଧିରେ ଧିରେ କମି କମି ଯାଉଛି । ଭାଷା ଓ ସଂସ୍କୃତି ବିହୀନ ମଣିଷ ଲାଞ୍ଜହୀନ ପଶୁ ସଦୃଶ । ମାଗୁଣିର ଶଗଡ ତଳେ ଲଣ୍ଠଣ ଝୁଲୁଥିବା ପରି ସମାଜ ଓ ସଂସ୍କୃତି ଭିତରେ ସାହିତ୍ୟ ସେହି ଭଳି ଥାଏ ବୋଲି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସୁସାହିତ୍ୟିକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ତାଙ୍କ ବକ୍ତବ୍ୟରେ ମତ ପୋଷଣ କରିଥିଲେ । ମୁଖ୍ୟଅତିଥି ଭାବେ ଯୋଗଦେଇ ଯାଜପୁରର ମାନ୍ୟବର ସାଂସଦ ଶର୍ମିଷ୍ଠା ସେଠୀ କହିଲେ ଯେ ଈଶ୍ବର ହିଁ ସାହିତ୍ୟର ଭବ୍ୟ ସ୍ରଷ୍ଟା, ସେ ହିଁ କବି ଓ ସେ ହିଁ କବିତା । ସେ ହିଁ କବିତାର ପଂକ୍ତି ପୁରଣ କରି ଦିଅନ୍ତି ଯେତେବେଳେ ଜଣେ କବି ଲେଖିବାକୁ ଶବ୍ଦ ପାଏ ନାହିଁ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସନ୍ଧ୍ୟାରାଣୀ ଘଡେଇଙ୍କ ଦ୍ବାରା ସ୍ବାଗତ ଭାଷଣ ଓ ହିରଣ୍ମୟୀ ମହାନ୍ତିଙ୍କ ଦ୍ବାରା ଅତିଥି ପରିଚୟ ପ୍ରଦାନ ପରେ କାର୍ଯ୍ୟନିର୍ବାହୀ ସଦସ୍ୟା ଅଶାନ୍ତି ସାମଲଙ୍କ ସହେଯାଗରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ମୁଣ୍ଡମାଳ ଛାତ୍ରଛା୍ତ୍ରୀଙ୍କ ଦ୍ବାରା ସ୍ବାଗତ ବନ୍ଦନା ଓ ବ୍ୟାସନଗରର ସାଇଶ୍ରୀୟା ମିଶ୍ରଙ୍କ ଦ୍ନାରା ଓଡିଶୀ ନୃତ୍ୟ ପରିବେଷଣ କରା ଯାଇଥିଲା । ଅନୁଷ୍ଠାନର ଉପଦେଷ୍ଟା ପଣ୍ଡିତ ଅକ୍ଷୟ କୁମାର ଦାଶ ଆମ ସାହିତ୍ୟ ପରିବାରର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସରୋଜ କୁମାର ଶତପଥୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପରେ ପରେ ଅନୁଷ୍ଠାନର ମୁଖପତ୍ର ଉଦ୍ଭବ ଅତିଥିମାନଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା । ଏହି ଅବସରରେ କବି ସନ୍ଧ୍ୟାରାଣୀ ଘଡେଇଙ୍କ ପୁସ୍ତକ ‘ତୁଠ ପଥର’, କବି ସରୋଜ କୁମାର ଶତପଥୀଙ୍କ ବ୍ୟଙ୍ଗ ପୁସ୍ତକ ‘ରସ ରଙ୍ଗିନୀରେ’ ଏବଂ କବି ଅଲେଖ ପ୍ରସାଦ ମହାରଣାଙ୍କ ପୁସ୍ତକ ‘ଉନ୍ମନା’, ଲେଖିକା ଜୟନ୍ତୀ ଜେନାଙ୍କ ଉପନ୍ୟାସ ‘ମୋତିଫୁଲ’ ଏବଂ କବି ଧରେନ କୁମାର ବେହେରାଙ୍କ ପୁସ୍ତକ ‘ମଧୁମିତା’ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା । ଉତ୍ସବରେ ଆମ ସାହିତ୍ୟ ପରିବାରର ସଭାପତି ଅଲେଖ ପ୍ରସାଦ ମହାରଣା ପୌରହିତ୍ୟ କରିଥିଲା ବେଳେ ସଙ୍ଗଠନ ସମ୍ପାଦକ ସୁଜିତ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ । ଆମ ସାହିତ୍ୟ ପରିବାରର ମୁଖ୍ୟ କାର୍ଯ୍ୟନିର୍ବାହୀ ମହେଶ୍ବର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲାର ୬ ଜଣ ଯୋଗ୍ୟ ପ୍ରତିଭାଧାରୀଙ୍କୁ ଆମ ସାହିତ୍ୟ ପରିବାର ତରଫରୁ ସମ୍ମାନିତ କରାଯାଇଥିଲା । ଗୀତିକବି ତଥା ସାହିତ୍ୟିକ ନନ୍ଦ କିଶୋର ସିଂ, କ୍ରିଡାବିତ୍ ବଜ୍ରବାହୁ ସୀମାନ୍ତ କେଶରୀ ସାମଲ, କଣ୍ଠଶିଳ୍ପୀ ସୁପାଲୀ ମହାପାତ୍ର, ଶିଶୁ କଳାକାର ଆୟେଶା ସାମଲ, ସମାଜସେବୀ ଆନନ୍ଦ ଚକ୍ରବର୍ତ୍ତୀ ଏବଂ ଭିନ୍ନକ୍ଷମ ପ୍ରତିଭା ଭାବେ ପ୍ରଦିପ୍ତ କୁମାର ରାଉତରାୟଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମାରୋହରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ଦୁଇଶହରୁ ଅଧିକ କବି/କବୟତ୍ରୀ ସେମାନଙ୍କର ସ୍ବରଚିତ କବିତା ଆବୃତ୍ତି କରି ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର ଗ୍ରହଣ କରିଥିଲେ । ପ୍ରଥମ ପର୍ଯ୍ୟାୟ କବିତା ଆସରରେ ସନ୍ଧ୍ୟାରାଣୀ ଘଡେଇ ସଭାପତି, ହିରଣ୍ମୟୀ ମହାନ୍ତି, ଦୀପ୍ତିମାଳା ସାମଲ ଏବଂ ସୁଦାମ ଚରଣ ନାୟକ ପ୍ରମୁଖ ସଂଯୋଜନା ଦାୟୀତ୍ବରେ ଥିଲାବେଳେ କବିତା ପଞ୍ଜିକରଣରେ ଅଶାନ୍ତି ସାମଲ ଏବଂ ଅନିନ୍ଦିତା ଦାସ ରହିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ସଭାପତି ଭାବେ ହିରଣ୍ମୟୀ ମହାନ୍ତି ଏବଂ ସଂଯୋଜିକା ଭାବେ ମଞ୍ଜୁଲତା ନାୟକ, ମଧୁସ୍ମିତା ନାୟକ, ପ୍ରତିଭା ପାତ୍ର ଏବଂ ଅନିନ୍ଦିତା ଦାସ ରହିଥିଲେ । ଆମ ସାହିତ୍ୟ ପରିବାରର କର୍ମକର୍ତ୍ତାଙ୍କ ସମେତ ସଦସ୍ୟ କାଙ୍ଗାଳୀ ସେଠୀ, ପ୍ରଶାନ୍ତ ରାଉତରାୟ, ପ୍ରସନ୍ନ ରାୟ, ମାଙ୍ଗଳିକା ଦାସ, ପ୍ରସନ୍ନ ପରିଜା, ଆଶିଷ ବଳ, ହିମାଂଶୁ ଦ୍ୱିବେଦୀ, ରୀନା ମହାପାତ୍ର, ବାଇଧର ମାଝି, ସିଦ୍ଧାର୍ଥ ରଥ, ପ୍ରମୋଦିନୀ ଦାସ, ନିହାର ଓଝା, ଅଶାନ୍ତି ସାମଲ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ସୁପରିଚାଳନାରେ ସହଯୋଗ କରିଥିଲେ ।