ବ୍ରହ୍ମପୁର : ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କରିଛନ୍ତି । ଏହା ବହୁପୁରୁଣା କାରାଗାର ହୋଇଥିବା ଆନୁସଙ୍ଗିକ ବ୍ୟବସ୍ଥା ବୃଦ୍ଧି କରଯିବାର ନିଷ୍ପତି ହୋଇଛି । କଏଦୀଙ୍କ ନିମନ୍ତେ ପୂର୍ବରୁ ୩୦ ଶଯ୍ୟା ବିଶିଷ୍ଟ ଏକ ମେଡ଼ିକାଲ ନିର୍ମାଣ କରାଯାଇଛି । ବ୍ରହ୍ମପୁର ମଣ୍ଡଳ କାରାଗାରରେ ପୁରୁଷ କଏଦୀଙ୍କ ନିମନ୍ତେ ୧୦୦ ଶଯ୍ୟା ବୃଦ୍ଧି କରିବା ନିମନ୍ତେ କାର୍ଯ୍ୟ ଚାଲୁଅଛି । ତାହା ଆଗାମୀ ୮ରୁ ୯ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି । ଏହା ସହ କାରାଗାରରେ ଆଜିଠାରୁ ନୂତନ ସାକ୍ଷାତ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ପୂର୍ବରୁ ପ୍ରଚଳିତ ତାର ଜାଲି ବଦଳରେ କାଚ ଲଗାଯାଇ କଏଦୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସାକ୍ଷାତ ପାଇଁ ସୁଯୋଗ ଦିଆଯାଇଥିଲା । ଏହି ବ୍ୟବସ୍ଥା ପ୍ରଥମ ଥର ନିମନ୍ତେ ଭୁବନେଶ୍ୱରରେ ହୋଇଥିବା ବେଳେ ଦ୍ୱିତୀୟରେ ବ୍ରହ୍ମପୁରରେ କାର୍ଯ୍ୟକାରୀ କରାଗଲା । ସେହିପରି ସୋରଡା ଓ ଆସିକା ମଣ୍ଡଳ କାରାଗାର କଏଦୀଙ୍କ ନିମନ୍ତେ ୧୦୦ ଶଯ୍ୟା ବୃଦ୍ଧି କାରିବା ନିଷ୍ପତି ହୋଇଛି । ଖୁବ୍ କମ୍ ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାର ଯୋଜନା ରହିଛି ।
ଏହା ଛଡ଼ା ଆଉ କେଉଁ ସ୍ଥାନରେ ଯଦି ଆବଶ୍ୟକ ପଡେ ତେବେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ନିମନ୍ତେ ବ୍ୟବସ୍ଥା ରହିଛି ବୋଲି ଡିଜି ଶ୍ରୀ ଉପାଧ୍ୟାୟ କହିଥିଲେ । ଅନ୍ୟପକ୍ଷରେ ସାଧାରଣତଃ ବନ୍ଦୀମାନେ ମୁକୁଳିଲା ପରେ ସେମାନେ ସମାଜରେ ଗ୍ରହଣ ଯୋଗ୍ୟ ହୋଇନଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ବନ୍ଦୀ ମୁକ୍ତ କଏଦୀଙ୍କୁ ରୋଜଗାର ଯୋଗାଇ ଦେବା ଲକ୍ଷ୍ୟରେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ସହ ବ୍ରହ୍ମପୁର ସହରରେ ଏକ ପେଟ୍ରୋଲ ପମ୍ପ ଖୋଲିବାର ଯୋଜନା ରହିଛି ବୋଲି ସେ ସୂଚନା ଦେଇଥିଲେ । ଏହା ସହ ଦୁର୍ଦ୍ଦାନ୍ତ ଅପରାଧୀ ନିମନ୍ତେ ସ୍ୱତନ୍ତ୍ର ସେଲର ବ୍ୟବସ୍ଥା କରାଯିବ ସହ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଯୋଗାଇ ଦେବା ବୋଲି ଜଣାଇଥିଲେ । ଏହି ସମୟରେ ଦକ୍ଷିଣାଞ୍ଚଳ ଜେଲ ଡ଼ିଆଇଜି ରଘୁନାଥ ମାଝୀ, ବ୍ରହ୍ମପୁର ମଣ୍ଡଳ କାରାଗାର ଅଧୀକ୍ଷକ ଗରିବ ସାହୁ ଓ କାରାପାଳ ସତ୍ୟନାରାୟଣ ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।