ଭାବନଗର: ପଡୋଶୀଙ୍କ ସ୍ତ୍ରୀଙ୍କ ନାମରେ କୁକୁର ପାଳିଥିଲେ ପଡୋଶୀ ମହିଳା। ଏଥିରେ ଉତକ୍ଷିପ୍ତ ହୋଇ କୁକୁର ରଖିଥିବା ମହିଳାଙ୍କ ଉପରେ କିରୋସିନ୍ ପକାଇ ଜାଳି ଦେଲେ ପଡୋଶୀ। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଜୁରାଟର ଭାବନଗର ଜିଲ୍ଲାର ପଲିତାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନାନୁଯାୟୀ, ଭାବନଗର ଜିଲ୍ଲା ପଲିତାନା ଅଞ୍ଚଳର ନୀତାବେନ ତାଙ୍କ କୁକୁରର ନାମ ସୋନୁ ରଖିଥିଲେ। ନୀତାବେନଙ୍କ ପଡୋଶୀ ଘରେ ରହୁଥିବା ସୁରଭାଇଙ୍କ ସ୍ତ୍ରୀଙ୍କ ନାମ ମଧ୍ୟ ସୋନୁ ହୋଇଥିବାରୁ ସେ ଏହାକୁ ବିରୋଧ କରିଥିଲେ। ନୀତାବେନ ସୁରଭାଇଙ୍କ ଆଗରେ ବାରମ୍ବାର ସୋନୁ ସୋନୁ ଡାକିବାରୁ ଦୁଇ ପଡୋଶୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ହେଲେ ନୀତାବେନ କୁକୁରର ନାମ ପରିବର୍ତ୍ତନ କରି ନଥିଲେ। ଦିନେ ନୀତାବେନଙ୍କ ଘରେ କେହି ନଥିବାର ସୁଯୋଗ ନେଇ ସୁର ଭାଇ ତାଙ୍କର ୫ ରୁ ୬ ଜଣ ବନ୍ଧୁ ସହ ନୀତାବେନଙ୍କ ଘରେ ପଶିଥିଲେ। ଏହାପରେ ସମସ୍ତେ ନୀତାବେନଙ୍କ ଦୁର୍ବ୍ୟବହାର କରିଥିଲେ। ଡରିଯାଇ ନୀତାବେନ୍ ରୋଷେଇ ଘରେ ପଶିଯିବାରୁ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ କିରୋସିନ୍ ଢାଳି ନିଆଁ ଲଗାଇଦେଲେ।
ଏହି ସମୟରେ ନୀତାବେନ ପାଟି କରିବାରୁ ଆଖପାଖ ଲୋକେ ଧାଇଁ ଆସିଥିଲେ। ନୀତାବେନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ନୀତାବେନଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।