କୃଷ୍ଣପ୍ରସାଦ: ଶୀତଋତୁ ଆସିଲେ ଚଳଚଞ୍ଚଳ ହୁଏ ଚିଲିକାର ପରିବେଶ । ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ କୃଷ୍ଣପ୍ରସାଦ ଅଞ୍ଚଳ । ଯେଉଁଥିପାଇଁ ଦେଶବିଦେଶରୁ ପର୍ଯ୍ୟଟକମାନଙ୍କର ସୁଅ ଛୁଟେ ଚିଲିକାକୁ । ତେବେ ବିଡ଼ମ୍ବନାର ବିଷୟ, ପ୍ରାକୃତିକ ବୈଷମ୍ୟତା ଯୋଗୁଁ ଅକ୍ଟୋବର ମାସ ସାରା ଲଘୁଚାପଜନିତ ବର୍ଷା ବିଦେଶାଗତ ପକ୍ଷୀଙ୍କ ଆଗମନରେ ବାଧା ସୃଷ୍ଟି କରିଛି । ସୁଦୂର ମଙ୍ଗୋଲିଆ, ସାଇବେରିଆ, କାଜିକସ୍ଥାନ, ହିମାଳୟ, କାସ୍ପିଆନ, ଅଷ୍ଟ୍ରେଲିଆ ଆଦି ସ୍ଥାନରୁ ପକ୍ଷୀମାନେ ହଜାର ହଜାର କିଲୋମିଟର ଅତିକ୍ରମ କରି ଚିଲିକାରେ ଏକତ୍ରିତ ହୋଇଥାନ୍ତି । ଖାଦ୍ୟ ଅନ୍ୱେଷଣରେ ସେମାନେ ଚିଲିକା ଉପକୂଳବର୍ତ୍ତୀ ଇଲାକରେ ଆଭ୍ୟନ୍ତରୀଣ ଚିଲିକା ତଥା ଧାନଜମିଗୁଡିକୁ ଆସିଥାନ୍ତି । କିନ୍ତୁ ଚଳିତବର୍ଷ କୃଷ୍ଣପ୍ରସାଦ ବ୍ଳକରେ ଲଘୁଚାପଜନିତ ଲଗାଣବର୍ଷା ଯୋଗୁଁ ଧାନଫସଲ ହୋଇନଥିବାରୁ ପକ୍ଷୀମାନଙ୍କର ଦେଖାମିଳୁନାହିଁ ।
ବିଦେଶାଗତ ପକ୍ଷୀମାନଙ୍କ କୃଷ୍ଣପ୍ରସାଦ ଅଞ୍ଚଳକୁ ଆଗମନରେ ହ୍ରାସ ପାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ରହିଯାଇଥିବା ଗେଣ୍ଡାଳିଆ, ପେଣ୍ଟଡଷ୍ଟ୍ରକ, ଅଞ୍ଜନା ବଗ, ଟିଇଁଟିଆଁ, କାମ, ବାଟୁଆଣି ଆଦି ଦେଶୀ ପକ୍ଷୀମାନେ ଦେଖାଯାଉଛନ୍ତି । ଏହି ଅଞ୍ଚଳରେ ଅତିଥି ପକ୍ଷୀଙ୍କ ଆଗମନର ମାତ୍ରା କମିଛି । ଅକ୍ଟୋବର ମାସ ସରିବାକୁ ବସିଥିବା ବେଳେ ଶୀତର ପ୍ରଭାବ ଦେଖାଯାଇନାହିଁ । ଚିଲିକା ମଧ୍ୟରେ ଏହି ବିଦେଶାଗତ ପକ୍ଷୀମାନେ ଚକ୍କର ମାରୁଥିବା ବେଳେ ତଟବର୍ତ୍ତୀ ଅଞ୍ଚଳ ପାରିକୁଦ, ଗୁରୁବାଇ, ନୂଆପଡା, ସିପିଆ, ଅଁଳାକୁଦା, ତିଛିଣି, ପଞ୍ଚକୁଦି, ବନମାଳ, ଚଟେଇକୋଣ, ସୋଲାକୁଦି, ପାଣ୍ଢା, ଚିଖିଲି, ଚିତ୍ରକୋଟ, ଖଟିଆକୁଦି ଅଞ୍ଚଳରେ ଦେଖିବାକୁ ମିଳନ୍ତି । କିନ୍ତୁ ଏ ବର୍ଷ ସେହି ବିଦେଶାଗତ ପକ୍ଷୀ ଆଉ ଦେଖିବାକୁ ମିଳୁନାହାନ୍ତି । ଚଳିତବର୍ଷ ଶୀତ ଡେରିରେ ଆସିବା ଆକଳନ କରାଯାଇଥିବା ବେଳେ ବିଦେଶାଗତ ପକ୍ଷୀଙ୍କ ଆଗମନ ମଧ୍ୟ ଡେରି ହେବ ବୋଲି ପକ୍ଷୀପ୍ରେମୀମାନେ କହୁଛନ୍ତି ।
ଏହି ଅଞ୍ଚଳରେ କିଛି ମାତ୍ରାରେ ବିଦେଶାଗତ ଗଡ଼ଓାଲ, ପିଣ୍ଟାଲ, ସୋଭଲର, ଗଡ଼ଉଇଟ, ସ୍ୟାଣ୍ଡପାଇପର ଆଦି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁଛି । ବିଗତ ବର୍ଷମାନଙ୍କ ଭଳି ଚିଲିକା ବନ୍ୟପ୍ରାଣୀ ବନାଞ୍ଚଳ ବନଖଣ୍ଡ, ବାଲୁଗାଁ ତରଫରୁ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥା ଏବର୍ଷ ମଧ୍ୟ କରାଯାଇଥିବା ଜଣାଯାଇଛି । ନୂଆପଡା ରେଞ୍ଜ ଅଫିସ ତରଫରୁ ଗୁରୁବାଇଠାରେ ଏକ ପକ୍ଷୀ ସୁରକ୍ଷା ଶିବିର କରାଯାଇଥିବା ବେଳେ ବନପାଳ ମୀନାକୁମାରୀ ନାୟକ, ବନପାଳ ବିଶ୍ୱନାଥ ଟୁଡୁଙ୍କ ସମେତ ବନରକ୍ଷୀ ତ୍ରିଲୋଚନ ମହାରଣା ଏବଂ ୩ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ସେହିଭଳି ପାରିକୁଦ ପକ୍ଷୀ ସୁରକ୍ଷା ଶିବିରରେ ମଧ୍ୟ ଫରେଷ୍ଟର ଅଜୟ କୁମାର ମହାରଣାଙ୍କ ସମେତ ଜଣେ ବନରକ୍ଷୀ ଅନୀଲ କୁମାର ଲେଙ୍କା ଏବଂ ୩ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ଜଣାଯାଇଛି ।
ବାଲୁଗାଁ ରେଞ୍ଜର ବନରାମ ପ୍ରସାଦ ନନ୍ଦ ଏବଂ ନୂଆପଡା ରେଞ୍ଜର କାଶୀନାଥ ହେମ୍ବ୍ରମ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା କାର୍ଯ୍ୟକୁ ତଦାରଖ କରୁଛନ୍ତି । ସାତପଡା ରେଞ୍ଜ ତରଫରୁ ଗମ୍ଭାରୀ ଏବଂ ବଡ଼ଗୋଠଠାରେ ଦୁଇଟି ପକ୍ଷୀ ସୁରକ୍ଷା ଶିବିର କରାଯାଇଛି । ଆବଶ୍ୟକୀୟ ସୁରକ୍ଷାକର୍ମୀ ସେଠାରେ ମୁତୟନ କରାଯାଇଥିବା ବେଳେ ରେଞ୍ଜର ଶରତ ଜାନି ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଦିଗରେ କଡା ନଜର ରଖିଛନ୍ତି। ଚଢ଼େଇ ଚିଲିକାକୁ ଆସିଲେ ବିଭିନ୍ନ ପ୍ରକାର ଦଳ, ପୋକ, ଜୋକ ଖାଇ ଜଳକୁ ବିଶୋଧିତ କରିବା ସହ ତାଙ୍କ ମଳ ମାଛମାନଙ୍କର ମୁଖ୍ୟ ଖାଦ୍ୟ ପାଲଟିଥାଏ । ଚଢେଇ ନଥିବା ଯୋଗୁଁ ଚଳିତବର୍ଷ ପର୍ଯ୍ୟଟକ ଚିଲିକାକୁ ଆସିବା ଆଶା କ୍ଷୀଣ ହୋଇପଡିଛି । ଚିଲିକା ଉପକୂଳବାସୀଙ୍କ ରୋଜଗାର ମଧ୍ୟ ହ୍ରାସ ପାଇବା ଏକ ପ୍ରକାର ନିଶ୍ଚିତ ହୋଇପଡ଼ିଛି ।