ଦୁବାଇ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ବୁଧବାର ସୁଦ୍ଧା ଦ୍ୱାଦଶ ଦିନରେ ପହଞ୍ଚିଛି । ପାଲେଷ୍ଟାଇନର ଗାଜା ଉପତ୍ୟକାରେ ଥିବା ଏକ ହସ୍ପିଟାଲ ଉପରେ ମଙ୍ଗଳବାର ରାତିରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣରେ ୫୦୦ ଜଣ ପ୍ରାଣ ହରାଇଛନ୍ତି । ଇସ୍ରାଏଲର ଏଭଳି କାର୍ଯ୍ୟାନୁଷ୍ଠାନରେ ଇଜିପ୍ଟ, ଲେବାନନ୍, କାତାର, ଜୋର୍ଡାନ, ଲିବ୍ୟା, ୟେମେନ୍, ଟ୍ୟୁନିସିଆ, ତୁର୍କୀ, ମରୋକ୍କୋ ଓ ଇରାନ ଭଳି ଏକାଧିକ ମୁସଲମାନ ବହୁଳ ଆରବ ରାଷ୍ଟ୍ରଗୁଡିକ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଥିବା ଜଣାପଡିଛି । ଏପରିକି ଇସ୍ରାଏଲ ସହ ବନ୍ଧୁତାପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଥିବା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଓ ବାହାରିନ୍ ମଧ୍ୟ ଇସ୍ରାଏଲକୁ ସମାଲୋଚନା କରିଛନ୍ତି । ଏହି ସବୁ ଦେଶରେ ବୁଧବାର ଇସ୍ରାଏଲ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅକ୍ଟୋବର ୧୭କୁ ‘ବର୍ବରତାର ଦିବସ’ ବୋଲି ଆଖ୍ୟା ଦିଆଯାଇଛି । ଏହି ଆକ୍ରମଣରେ ସଂପୃକ୍ତ ନାହିଁ ବୋଲି ଇସ୍ରାଏଲ ସଫେଇ ଦେଇଥିବା ସତ୍ତ୍ୱେ ଆରବ ରାଷ୍ଟ୍ରଗୁଡିକ ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି ।
ହାମାସ୍ ଆତଙ୍କବାଦୀଙ୍କ ଉପରେ ପ୍ରତିଶୋଧ ନେବା ଆଳରେ ଇସ୍ରାଏଲ ପାଲେଷ୍ଟାଇନର ନିରୀହ ନାଗରିକଙ୍କୁ ମୃତ୍ୟୁମୁଖକୁ ଠେଲିଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ଆକ୍ରମଣରୁ ବର୍ତ୍ତିଯାଇଥିବା ପାଲେଷ୍ଟାଇନ ନାଗରିକଙ୍କ ସମସ୍ତ ମୌଳିକ ସୁବିଧା ସୁଯୋଗକୁ ଇସ୍ରାଏଲ ଅବରୋଧ କରିଥିବା ସେମାନେ କହିଛନ୍ତି । ଇସ୍ରାଏଲୀ ସେନା ଗାଜା ଉପତ୍ୟକାକୁ ତିନିପଟରୁ ଘେରି ରହିଥିବାବେଳେ ପାଲେଷ୍ଟାଇନକୁ ଖାଦ୍ୟ, ଔଷଧପତ୍ର ଏବଂ ଆତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ହୋଇପାରୁନାହିଁ । ଏପରିକି ଇଜିପ୍ଟ ସୀମାରେ ଅବସ୍ଥିତ ରାଫା ଫାଟକକୁ ମଧ୍ୟ ଇସ୍ରାଏଲ ଅବରୋଧ କରି ରଖିଛି । ଫଳରେ ପାଲେଷ୍ଟାଇନ ଅଭିମୁଖେ ଆସୁଥିବା ଶତାଧିକ ରିଲିଫ୍ ଟ୍ରକ୍ ବର୍ତ୍ତମାନ ରାଫା ଫାଟକ ଅପରପାଶ୍ୱର୍ରେ ଅଟକି ରହିଥିବା ଲକ୍ଷ୍ୟ କରାଯାଇଛି । ହସ୍ପିଟାଲ ଉପରେ ଆକ୍ରମଣ କରାଯାଇଥିବାରୁ ଇସ୍ରାଏଲ ବିରୋଧରେ ଯୁଦ୍ଧ ଅପରାଧ ମାମଲା ରୁଜୁ କରିବାକୁ ଜୋର୍ଡାନ ଓ କାତାର ଦାବି କରିଛନ୍ତି ।