ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ରେଡ୍ କରୁଛି। ଭୁବନେଶ୍ଵର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଥିବା ଆବାସିକ ୩ ମହଲା କୋଠା, ଯାଜପୁର ବଡଚଣାରେ ଥିବା ପୈତୃକ ଘର, ଢେଙ୍କାନାଳ ଦେଉଳା ସାହିରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର, ଭୁବନେଶ୍ଵରରେ ଥିବା ତାଙ୍କ କାର୍ଯ୍ୟାଳୟ, ଢେଙ୍କାନାଳର ଭାପୁରରେ ଥିବା ଏକ ଦୁଇ ମହଲା କୋଠା ଏବଂ ଫାର୍ମ ହାଉସ, କଟକ ଜିଲ୍ଲା ଚାଉଳିଆଗଞ୍ଜର ନୟାବଜାରଠାରେ ଥିବା ତାଙ୍କ ନିକଟତମ ସହଯୋଗୀଙ୍କ ଘରେ ଛାନଭିନ୍ ଜାରି ରହିଛି। ଏପର୍ଯ୍ୟନ୍ତ ଖୋଜା ସମୟରେ, ଶ୍ରୀ ମହାନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ନିମ୍ନଲିଖିତ ସମ୍ପତ୍ତି ଠାବ କରାଯାଇଛି । ନଗଦ 6 ଲକ୍ଷ 23,000 ହଜାର ଟଙ୍କା ବାହାରିଥିବା ବେଳେ ଜମା ଟଙ୍କା 60ଲକ୍ଷ 09 ହଜାର ଟଙ୍କା ମିଳିଛି । ସୁନା ଅଳଙ୍କାର ଓଜନ କରାଯାଉଛି । ଶ୍ରୀ ମହାନ୍ତିଙ୍କ ଦ୍ୱାରା ଯାତ୍ରା ଖର୍ଚ୍ଚ ପାଇଁ 13ଲକ୍ଷ47 ହଜାର ଟଙ୍କା ମୂଲ୍ୟର ବିମାନ ଟିକେଟ ଯାଞ୍ଚ କରାଯାଉଛି। ୨ ଟି ଚାରି ଚକିଆ ଯାନ ଏବଂ ୨ଟି ଦୁଇ ଚକିଆ ଯାନ ଠାବ କରାଯାଇଛି । ଶ୍ରୀ ମହାନ୍ତି ନିୟମିତ ଲାଞ୍ଚ ମାଗୁଥିବା ପ୍ରକଳ୍ପ/ ଚୁକ୍ତିନାମା ଉଲ୍ଲେଖ ଥିବା ଅନେକ ଲଫାଫାରେ ନଗଦ ଟଙ୍କା ମିଳିଛି । ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ଟିମ ଏବେ ବି ତଦନ୍ତ ଜାରି ରଖିଛନ୍ତି ।










