18.1 C
Bhubaneswar
Sunday, November 17, 2024
Homeଖେଳଆଇପିଏଲ୍‌: ଲାଙ୍ଗର୍ ଲକ୍ଷ୍ନୌ ଟିମ୍‌ର ମୁଖ୍ୟ କୋଚ୍

ଆଇପିଏଲ୍‌: ଲାଙ୍ଗର୍ ଲକ୍ଷ୍ନୌ ଟିମ୍‌ର ମୁଖ୍ୟ କୋଚ୍

ଲକ୍ଷ୍ନୌ: ଆଇପିଏଲ୍‌ରେ ଅଦ୍ୟାବଧି ଦୁଇଟି ସିଜନ୍ ଖେଳିସାରିଥିବା ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସର ମୁଖ୍ୟ କୋଚ୍ ଭାବେ ଅଷ୍ଟ୍ରେଲିଆର ପୂର୍ବତନ ଓପନର ଜଷ୍ଟିନ୍ ଲାଙ୍ଗର୍‌ଙ୍କୁ ନିଯୁକ୍ତି ମିଳିଛି । ସେ ଜିମ୍ବାୱେର ପୂର୍ବତନ ଅଧିନାୟକ ଆଣ୍ଡି ଫ୍ଲାୱାର୍‌ଙ୍କ ସ୍ଥାନ ନେଇଛନ୍ତି । ଚଳିତ ବର୍ଷ ଫ୍ଲାୱାରଙ୍କ ଦୁଇବର୍ଷିଆ ଚୁକ୍ତି ଅବଧି ଶେଷ ହୋଇଥିବା ବେଳେ ଦଳ ପ୍ରତି ତାଙ୍କର ଅବଦାନ ପାଇଁ ଫ୍ରାଞ୍ଚାଇଜି ପକ୍ଷରୁ ଜାରି ଏକ ବିବୃତିରେ ତାଙ୍କୁ ଧନ୍ୟବାଦ ଦିଆଯାଇଛି । ବା ପରେ ତେବେ ଲାଙ୍ଗରଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦିଆଯିବା ପରେ ଗତ ୨୦୨୨ରେ ଫ୍ରାଞ୍ଚାଇଜି ସହ ମେଣ୍ଟର୍ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଗୌତମ ଗମ୍ଭୀରଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଲାଙ୍ଗରଙ୍କ ପାଖରେ ଅଷ୍ଟ୍ରେଲିଆ ସିନିଅର୍ ପୁରୁଷ ଦଳର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିବାର ଲମ୍ବା ଅଭିଜ୍ଞତା ରହିଛି । ସେ ଗତ ୨୦୧୮ ମେ’ରେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ ।

ମୁଖ୍ୟ କୋଚ୍ ଭାବେ ଲାଙ୍ଗର୍ କାର୍ଯ୍ୟ କରିବା ସମୟରେ ଅଷ୍ଟ୍ରେଲିଆ ୨୦୨୧ରେ ଆଶେସ୍ ସିରିଜ୍‌କୁ ୪-୦ରେ ଜିତିଥିଲା । ସେହିପରି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ତାଙ୍କ ଅଧୀନରେ ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ଚାମ୍ପିଅନ୍ ହୋଇଥିଲା । ଲାଙ୍ଗର୍ ବିଗ୍ ବ୍ୟାଶ୍ ଲିଗ୍‌ରେ ପର୍ଥ ସ୍କର୍ଚର୍ସର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିବା ଅବସରରେ ଦଳ ତିନି ଥର ଟାଇଟଲ୍ ହାସଲ କରିଥିଲା । ୨୦୨୧-୨୨ ସିଜନ୍‌ରେ ଅଷ୍ଟ୍ରେଲିଆ ଆଶେସ୍ ସିରିଜ୍ ଜିତିବା ପରେ ତାଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ସ୍ୱଳ୍ପକାଳୀନ ଚୁକ୍ତି ପାଇଁ ମଧ୍ୟ ଅଫର୍ ମିଳିଥିଲା । କିନ୍ତୁ ଦଳର ଖେଳାଳିମାନେ ତାଙ୍କୁ ସମର୍ଥନ କରୁ ନ ଥିବା ଦର୍ଶାଇ ଲାଙ୍ଗର ମୁଖ୍ୟ କୋଚ୍ ପଦ ଅବଧି ବଢ଼ାଇବା ପାଇଁ ସହମତ ହୋଇ ନ ଥିଲେ । ଲକ୍ଷ୍ନୌ ଟିମ୍‌ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇବା ପରେ ଏନେଇ ନିଜର ପ୍ରତିକ୍ରିୟାରେ ଲାଙ୍ଗର୍ କହିଛନ୍ତି ଯେ ଆଇପିଏଲ୍‌ରେ ନିଜକୁ ଏକ ଶକ୍ତିଶାଳୀ ଦଳ ଭାବେ ପ୍ରତିଷ୍ଠା କରିବା ଦିଗରେ ଲକ୍ଷ୍ନୌ ପ୍ରୟାସ ଜାରି ରଖିଛି । ତାଙ୍କୁ ଏହି ଯାତ୍ରାର ଏକ ଅଂଶବିଶେଷ ହେବାର ସୁଯୋଗ ମିଳିଥିବାରୁ ନୂଆ ଦାୟିତ୍ୱ ଆରମ୍ଭ କରିବା ପାଇଁ ସେ ବ୍ୟଗ୍ରତାର ସହ ଅପେକ୍ଷା କରିଥିବା ଲାଙ୍ଗର୍ କହିଛନ୍ତି । ସୂଚନାଯୋଗ୍ୟ ଯେ ଆଇପିଏଲ୍‌ର ଗତ ଦୁଇଟି ସିଜନ୍‌ରେ ଲକ୍ଷ୍ନୌ ପ୍ଲେଅଫ୍‌ରେ ଖେଳିବାର ସୁଯୋଗ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking