– ଅକ୍ଟୋବର ୨୭ରୁ ୨୯-ରାୟପୁର
– ନଭେମ୍ବର ୪ରୁ ୬-କୋଲକାତା
– ଯୋଗଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ପରେ ଏବେ ରାୟପୁର ଓ କୋଲକାତା । ଓଡ଼ିଶା କନ୍କ୍ଲେଭ୍ ପୂର୍ବରୁ ହେବ ଇନ୍ଭେଷ୍ଟର୍ସ ମିଟ୍ । ଅକ୍ଟୋବର ୨୭ରୁ ୨୯ ମଧ୍ୟରେ ରାୟପୁରରେ ଏବଂ ନଭେମ୍ବର ୪ରୁ ୬ ମଧ୍ୟରେ କୋଲ୍କାତାରେ ଏହି ନିବେଶକ ସମ୍ମିଳନୀ ହେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଥିରେ ଦେଶର ବହୁ ନାମିଦାମୀ ଶିଳ୍ପପତି ଯୋଗଦେବେ । ଏନେଇ ହେବ ରୋଡ୍ ଶୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି । ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ସେ କହିଛନ୍ତି ଯେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କ ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ।
ଏଥିରେ ବହୁ ସଂଖ୍ୟାରେ ଶିଳ୍ପପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଶିଳ୍ପାୟନ ପାଇଁ ୨୦୧୬ରୁ ରାଜ୍ୟ ସରକାର ଏଭଳି ଅଭିନବ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି । ପ୍ରତି ୨ ବର୍ଷରେ ଥରେ ଏହି କାର୍ଯ୍ୟକ୍ରମ ହେଉଛି । ୨୦୧୬ କନ୍କ୍ଳେଭ୍ରେ ରାଜ୍ୟକୁ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବାବେଳେ ୨୦୨୮ରେ ୪.୨୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ପରେ କୋଭିଡ୍ ମହାମାରୀ ସତ୍ତ୍ୱେ କିଛି ଫରକ୍ ପଡ଼ିନଥିଲା । ହେଲେ ୨୦୧୮ ଅପେକ୍ଷା ୨୦୨୨ରେ ଅଧିକ ପୁଞ୍ଜି ଆସିବା ନେଇ ଆଶା କରାଯାଉଛି । ଦୁଇବାରୁ ଆରମ୍ଭ ହୋଇଥିବା ସମସ୍ତ ନିବେଶକ ସମ୍ମିଳନୀରେ ଭଲ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ହୋଇଥିବାରୁ ପୁଞ୍ଜି ନିବେଶ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଇନ୍ଭେଷ୍ଟର୍ସ ମିଟ୍ରେ ଏହି କଥା ବାରମ୍ବାର କହି ଆସିଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଓଡ଼ିଶା ସରକାର ଓ ଫିକି ମିଳିତ ସହଯୋଗରେ ତାହା ଆୟୋଜନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟପୁର ଓ କୋଲକାତାରେ ହେବାକୁ ଥିବା ରୋଡ୍ ଶୋରେ ଯୋଗ ଦେଇ ଦେଶ ବିଦେଶରୁ ନିବେଶକଙ୍କୁ ରାଜ୍ୟକୁ ଆମନ୍ତ୍ରଣ କରିବେ । ବିଶେଷକରି ବୃହତ୍ତ ଇସ୍ପାତ୍ ବା ଆଲୁମିନିଅମ୍ ଶିଳ୍ପ ସହ ଆଇଟି, ସୋଲାର୍ ଏନର୍ଜି, ପର୍ଯ୍ୟଟନ, ଇଭି ଭେଇକିଲ୍ କମ୍ପୋନେଣ୍ଟସ୍ ଓ ଖାଦ୍ୟ ପ୍ରକ୍ରିୟାକରଣର ଭଳି ଶିଳ୍ପ ଉପରେ ସରକାର ଅଧିକ ଫୋକସ୍ ଦେଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୂର୍ବପରି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ କିଛି ବରିଷ୍ଠ ପଦାଧିକାରୀ ଆଗୁଆ ରାୟପୁର ଓ କୋଲକାତା ଗସ୍ତ କରିବେ ବୋଲି ଜଣାପଡ଼ିଛି ।