ହାଇଦ୍ରାବାଦ: ଭାରତରେ ଅନୁସନ୍ଧାନମୂଳକ ସାମ୍ବାଦିକତା କ୍ରମଶଃ ଲୋପ ପାଉଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି.ରମନା କହିଛନ୍ତି । ବୁଧବାର ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦଠାରେ ସାମ୍ବାଦିକ ୟୁ.ସୁଧାକର ରେଡ୍ଡିଙ୍କ ଦ୍ୱାରା ରଚିତ ‘ବ୍ଲଡ୍ ସାଣ୍ଡର୍ସ: ଦି ଗ୍ରେଟ୍ ଫରେଷ୍ଟ ହିଷ୍ଟ୍’ ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ ସେ ଆହୁରି କହିଛନ୍ତି ଯେ ଭାରତରେ ଆମ ବଗିଚାରେ ଥିବା ଫୁଲ ମଧ୍ୟରୁ କେବଳ ଗୋଲାପ ଉପରେ ହିଁ ଦୃଷ୍ଟି ନିବଦ୍ଧ ହୋଇଥାଏ । ଅନ୍ୟ ଗଛ କିମ୍ବା ଫୁଲ ସମ୍ପର୍କରେ ତଥ୍ୟ ରଖିବାକୁ କେହି ଉଚିତ ମନେ କରନ୍ତି ନାହିଁ । ସୁଧାକର ତାଙ୍କ ପୁସ୍ତକରେ ଶେଷାଚଳମ ପର୍ବତମାଳାରେ ଥିବା ଲାଲ ଚନ୍ଦନ ବୃକ୍ଷ କଟା ଉପରେ ଧ୍ୟାନ ଆକର୍ଷଣ କରିଛନ୍ତି।
ଜଙ୍ଗଲ ନିଆଁ ଯୋଗୁଁ ସେଠାରେ ଥିବା ବିରଳ ଲାଲ ଚନ୍ଦନ ବୃକ୍ଷ ସତ୍ତା ହରାଇବାରେ ଲାଗିଛି । ତେଣୁ ଏହି ପ୍ରସଙ୍ଗ ଉପରେ ସରକାର ଓ ଜନସାଧାରଣ ଦୃଷ୍ଟି ଦେବା ଜରୁରୀ ହୋଇପଡିଥିବା ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଜଷ୍ଟିସ ରମନା କହିଛନ୍ତିି ଯେ ସୁଧାକର ଉଠାଇଥିବା ପ୍ରସଙ୍ଗ ଉପରେ ସାମ୍ବାଦିକମାନେ ତର୍ଜମା କରିବା ଉଚିତ । ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଗଣମାଧ୍ୟମର ଦାୟିତ୍ୱ । ଆଇନ ପେସାକୁ ଆସିବା ପୂର୍ବରୁ ଜଷ୍ଟିସ ରମନା କିଛିଦିନ ସାମ୍ବାଦିକତା କରିଥିଲେ । ଏହି ସମୟର ସ୍ମୃତିକୁ ରୋମନ୍ଥନ କରି ସେ କହିଥିଲେ ଯେ ବର୍ତ୍ତମାନ ମିଡିଆ କାନ୍ଭାସ୍ରୁ ଅନୁସନ୍ଧାନମୂଳକ ସାମ୍ବାଦିକତା ଉଭେଇ ଯାଉଛି ।
ଭାରତରେ ଏହାର ଅଧିକ ପ୍ରଭାବ ପରିଲକ୍ଷିତ ହେଉଛି । ବୟସ ବଢ଼ିବା ସହ ଲୋକେ ଅନୁସନ୍ଧାନମୂଳକ ସମ୍ବାଦ ପଢିବାକୁ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି । ଅତୀତରେ ସମ୍ବାଦପତ୍ରଗୁଡିକ ପାଠକଙ୍କ ଏହି ଆଶାକୁ ଯଥେଷ୍ଟ ମାତ୍ରାରେ ପୂରଣ କରିପାରୁଥିଲେ । ତେବେ ଏହି ଯୁଗର ଶେଷ ହେବାରେ ଲାଗିଛି । ବର୍ତ୍ତମାନ ସମ୍ବାଦପତ୍ରଗୁଡିକ ଅନୁସନ୍ଧାନମୂଳକ ସମ୍ବାଦ ଅପେକ୍ଷା ରାଜନୈତିକ ସମ୍ବାଦକୁ ଅଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ବିଗତ କିଛିବର୍ଷ ମଧ୍ୟରେ ଗଣମାଧ୍ୟମରେ ସେଭଳି ଅନୁସନ୍ଧାନକାରୀ ସମ୍ବାଦ ପଢିଥିବା ତାଙ୍କର ମନେ ପଡୁନାହିଁ ବୋଲି ଜଷ୍ଟିସ ରମନା କ୍ଷୋଭର ସହ କହିଛନ୍ତି । ଗଣମାଧ୍ୟମ ଏ ପ୍ରସଙ୍ଗରେ ଆତ୍ମସମୀକ୍ଷା କରିବାର ସମୟ ଆସିଛି ବୋଲି ସେ କହିଛନ୍ତି। ଜଙ୍ଗଲ କିମ୍ବା ବନ୍ୟପ୍ରାଣୀ ବସବାସ କରୁଥିବା ଅଭୟାରଣ୍ୟର ସୁରକ୍ଷା ନିମନ୍ତେ ଆଦିବାସୀ କିମ୍ବା ସ୍ଥାନୀୟ ଲୋକଙ୍କ ସହାୟତା ନିଆଗଲେ, ପରିଣାମ ଫଳପ୍ରଦ ହୋଇପାରନ୍ତା ବୋଲି ସେ କହିଛନ୍ତି । ପରିବେଶକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି । ତେଣୁ ଗଣମାଧ୍ୟମ ଏ ଦିଗରେ ସକ୍ରିୟ ଭୂମିକା ନେବାକୁ ସେ କହିଛନ୍ତି ।