ଭୁବନେଶ୍ୱର : ଅଙ୍କାବଙ୍କା ହୋଇ ବହିଯାଏ ଯିଏ ତା ନାଁ ହେଉଛି ନଈ । ତାର ଦେହରେ ଠିକଣା ନଥିବା ବହିଯାଉଥିବା କାଚକେନ୍ଦୁ ପାଣିରେ ନିଜ ଛବି ଦେଖି କାହିଁ କେତେ ନୂଆ ଆଶା ଆଉ ସମ୍ଭାବନା ଛାପିନିଏ ମଣିଷଟି ତା ମନରେ । ତା ପାଖରେ ଘଡିଏ ବସିଲେ ମିଳିଥାଏ ଶାନ୍ତି ଆଉ ମନ ଭିତରେ ଖେଳିଯାଏ ଅସୁମାରୀ ଲହରୀ । ପୁଣି କେଉଁ ଦୁନିଆରେ ହଜିଯାଏ କେତେକେତେ ଅସୁମାରୀ ସ୍ୱପ୍ନକୁ ନେଇ । ପୂର୍ବରୁ ମଣିଷ ସଭ୍ୟତା ଗୁଡିତ ନଦୀକୂଳରେ ହିଁ ଗଢି ଉଠିଥିଲା । ସେଇ ସଭ୍ୟତାର ମୂକସାକ୍ଷୀ ସାଜିଛି ଏ ନଈ । ମଣିଷ ସମାଜକୁ ନଦୀର ଗୁରୁତ୍ବ ଓ ଉପଲବ୍ଧିକୁ ବୁ଼ଝିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୧୪ ତାରିଖକୁ ଅନ୍ତର୍ଜାତୀୟ ନଦୀ ଦିବସ ଭାବରେ ପାଳନ କରାଯାଏ ।
ନଦୀ ଗୁଡିକର ମହତ୍ତ୍ବ ବିଷୟରେ ସଚେତନ ହେବା ଓ ଏହାର ସଂରକ୍ଷଣ ପାଇଁ ଉପଯୋଗୀ ପଦକ୍ଷେପ ଗ୍ରହଣ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରେଇବା ପାଇଁ ଏହି ଦିବସ ପାଳନ କରାଯାଏ । ପ୍ରତିଦିନ ୨ ଲକ୍ଷ ଟନ ସ୍ବରେଜ, ଶିଳ୍ପ ଏବଂ କୃଷି ବର୍ଜ୍ୟବସ୍ତୁ ପୃଥିବୀର ବିଭିନ୍ନ ନଦୀଜଳରେ ମିଶୁଛି । ଫଳରେ ନଦୀଜଳ ଦୂଷିତ ହେଉଛି । ଏହା ସମଗ୍ର ଜନସଂଖ୍ୟାରେ ୬.୮ ବିଲିୟନ ଲୋକଙ୍କ ମାନବଜାତିର ମଙ୍ଗଳ ପାଇଁ ନଦୀଗୁଡିକୁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ ।୧୯୯୫ ମସିହା ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ନଦୀ ନେଟୱର୍କ ଭାରତର ନର୍ମଦା ବଞ୍ଚାଅ ଆନ୍ଦୋଳନ, ଚିଲିକାର ବାୟୋବିଓ ଆକ୍ସନ ଗ୍ରୁପ ଏବଂ ୟୁରୋପୀୟ ରିଭର ନେଟୱାର୍କ ସମେତ ସଂଗଠନ ଏକାଠୀ ହୋଇ ବୈଠକ କରିଥିଲେ । ନଦୀଗୁଡିକୁ ଜାତୀୟ ସମ୍ପତ୍ତି ଭାବରେ ଘୋଷଣା କରାଯିବା ସହ ଏଥିରେ ବର୍ଜ୍ୟବସ୍ତୁ ନ ପକାଇବା ଏବଂ ଜଳ ନିଷ୍କାସନ ପାଇଁ ଡମ୍ପିଂ ସାଇଟ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା ।
ନଦୀ ଆମକୁ ଅନେକ କିଛି ଦେଇଛି । ହେଲେ ପ୍ରତିବଦଳରେ ତାକୁ କଣ ମିଳିଛି । ତାର ସୁରକ୍ଷାରେ ମଣିଷଜାତି ଅବହେଳା କରିଛି । ଏବେ ସମୟ ଆସିଛି ତା ବଳିଦାନର ଫଳ ତାକୁ ଦେବା ପାଇଁ । ଆଜି ତାର ସଂରକ୍ଷଣ ଆଉ ସୁରକ୍ଷାରେ ମଣିଷକୁ ସାମିଲ ହେବାକୁ ପଡିବ । ଏହି ଦିବସରେ ନଦୀ ପରିଚାଳନା, ନଦୀ ପ୍ରଦୂଷଣ, ନଦୀ ସଂରକ୍ଷଣ ଇତ୍ୟାଦି ସମ୍ବନ୍ଧୀୟ ସମସ୍ୟାର ସମାଧାନ କରି ଲୋକଙ୍କୁ ସଚେତନ ହେବାକୁ ପଡିବ ।