ଓଡ଼ଗାଁ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରତିଶୋଧ ପରାୟଣ ହୋଇ ୬ ମାଣ ଧାନ ଫସଲରେ ଘାସମରା ବିଷ ପକାଇ ଫସଲନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବଡ଼ପୁଟ ଗ୍ରାମରେ ଏଭଳି ଘଟଣା ଘଟିଥିବାନେଇ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ବଡ଼ପୁଟ ଗ୍ରାମର ରାଜୀବ କୁମାର ସାହୁଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମ୍ୟକମିଟି ସଭାପତି ସନ୍ତୋଷ ସାମଲ, ସମ୍ପାଦକ ହର୍ଷବର୍ଦ୍ଧନ ସାହୁ, ତ୍ରିଲୋଚନ ନାୟକ, ବିନୋଦ ସାମଲ, ପ୍ରଦୀପ୍ତ ଦୋରା, ଉଦାସୀ ପ୍ରଧାନ, ବତ୍ସ ଦାସ ପ୍ରମୁଖ ରାଜୀବଙ୍କ କବଲତି ଜାଗାରେ ରାସ୍ତା ନିର୍ମାଣ ପାଇଁ ଜୋର ଜବରଦସ୍ତି କରିଥିଲେ । କିନ୍ତୁ ରାଜୀବ ଏଥିରେ ରାଜି ନହୋଇ ଏହାକୁ ବିରୋଧ କରିଥିଲେ । ଗାଁ ଲୋକଙ୍କ ବୁଝାମଣା ସତ୍ତ୍ୱେ ରାଜି ନହେବାରୁ ଏହାକୁ କେନ୍ଦ୍ରକରି ବିବାଦ ଉପୁଜିଥିଲା । ଫଳରେ ରାଜୀବଙ୍କ ବିରୁଦ୍ଧରେ ଗ୍ରାମ୍ୟ କମିଟି ସଭା ଡକାଇ ଅପମାନ ଓ ନିଆଁ ପାଣି ବାସନ୍ଦ କରିବା ସହ ପାଞ୍ଚଲକ୍ଷ ଟଙ୍କା ଜରିମାନା କରିଥିଲେ ।
ଜୋରିମାନା ନ ଦେବାରୁ ଗତ ଜୁନ ୯ ତାରିଖରେ ରାଜୀବଙ୍କ ଦୁଆର ସମ୍ମୁଖରେ କଣ୍ଟା ପକାଇଥିଲେ । ଫଳରେ ରାଜୀବ ନିରୁପାୟ ହୋଇ ଆଇନର ଆଶ୍ରୟ ନେଇଥିଲେ । ଘଟଣା ପ୍ରଘଟ ହେବାପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଏହି ବ୍ୟକ୍ତିମାନେ ନିରବ ରହିଗଲେ । ଗତକାଲି ପୁଣି ପୂର୍ବ ଶତ୍ରୁତାକୁ ରାଗରଖି ରାଜୀବ ଚାଷ କରିଥିବା ୬ ମାଣ ଧାନ ଫସଲରେ ଆକ୍ରୋଶ ପରାୟଣ ହୋଇ ବିଷ ପକାଇ ଦେଇଛନ୍ତି । ରବିବାର ସକାଳେ ବିଲକୁ ଯାଇଥିବାବେଳେ ଏହାଦେଖି ରାଜୀବ ଭାଙ୍ଗିପଡ଼ିବା ସହ ଶରଣକୁଳ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ରାଜିବ ଜଣେ ଗରିବ ଶ୍ରେଣୀର କୃଷକ ହୋଇଥିବା ବେଳେ ଫସଲରେ ବିଷ ପକାଇବା ଦ୍ୱାରା ସମସ୍ତ ଫସଲନଷ୍ଟ ହୋଇଯାଇଥିବା ଜଣାପଡିଛି । ବଡ଼ପୁଟ ଅଞ୍ଚଳରେ ସାଧାରଣ ଲୋକେ ବାରମ୍ବାର କଙ୍ଗାରୁକୋର୍ଟର ଶିକାର ହେଉଥିବାସ୍ଥଳେ ପୁଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।