ଭୁବନେଶ୍ୱର: ପଢ଼ି ହେଉଥିବା ଭଳି ଅକ୍ଷରରେ ଲେଖନ୍ତୁ ପ୍ରେସକ୍ରିପସନ । କିମ୍ବା ଟାଇପ୍ ହୋଇଥିବା ପ୍ରେସକ୍ରିପସନ୍ ଦିଅନ୍ତୁ ଡାକ୍ତର । ଏନେଇ ସବୁ ସରକାରୀ ଓ ଘରୋଇ ଡାକ୍ତରଙ୍କୁ ମୁଖ୍ୟ ଶାସନ ସଚିବ ଦେଇଛନ୍ତି ନିର୍ଦ୍ଦେଶ । ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ କ୍ୟାପିଟାଲ ଲେଟର କିମ୍ବା ସ୍ପଷ୍ଟ ଅକ୍ଷରରେ ଲେଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସ୍ପଷ୍ଟ ଅକ୍ଷର ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଦେଇଥିବା ରାୟ ଆଧାରରେ ସବୁ ଡାକ୍ତରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ବିଭିନ୍ନ ସମୟରେ ପୋଷ୍ଟମର୍ଟମ ରିପୋର୍ଟ ଓ ପ୍ରେସକ୍ରିପସନ୍ ଖାମଖିଆଲି ଭାବେ ଲେଖାଯାଉଛି ।
ଏହାଦ୍ୱାର ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ମଧ୍ୟ ଆଇନଗତ ଅସୁବିଧା ହେଉଛି । ଡାକ୍ତରମାନେ ଅସ୍ପଷ୍ଟ ଅକ୍ଷରରେ ଲେଖିବା ଯୋଗୁ ସାଧାରଣ ଲୋକ, ବିଚାରବିଭାଗୀୟ ଅଧିକାରୀମାନେ ଅସୁବିଧାରେ ପଡୁଛନ୍ତି । ଏହି ଧରଣର ଲେଖା ଡାକ୍ତରମାନଙ୍କ ଏକ ଫେସନରେ ପରିଣତ ହୋଇଛି । ଏହାକୁ ନେଇ ସମସ୍ତ ମେଡିକାଲ ସେଣ୍ଟର, ପ୍ରାଇଭେଟ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି ହୋଇଛି । ସ୍ପଷ୍ଟ ଅକ୍ଷର କିମ୍ବା ସ୍ୱତନ୍ତ୍ର ପ୍ରକାର ଫର୍ମରେ ପ୍ରେସକ୍ରିପସନ, ମେଡିକୋ-ଲିଗାଲ ରିପୋର୍ଟ ଲେଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।