କଟକ: ଭୀମ୍ସାର୍ରେ କୋଭିଡ୍ ଚିକିତ୍ସାରେ ଅବହେଳା ସମ୍ପର୍କିତ ଅଭିଯୋଗ ମାମଲାରେ ହାଇକୋର୍ଟ ତଦନ୍ତ ତଥ୍ୟ ଉପରେ ପକ୍ଷ ରଖିବା ସହ ସତ୍ୟପାଠ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର୍ ଓ ବିଚାରପତି ଏ.କେ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି କରିଥିଲେ । ଶୁଣାଣିବେଳେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବି. ଏସ୍ ନାଇଡୁ ତଦନ୍ତ ରିପୋର୍ଟ ଉପରେ ପକ୍ଷ ରଖିବାକୁ ରାଜ୍ୟ ସରକାର ମହଲତ ଆବେଦନ କରିଥିଲେ । ହାଇକୋର୍ଟ ଆସନ୍ତା ଜାନୟାରୀ ୧୨ ତାରିଖ ସୁଦ୍ଧା ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଭୀମ୍ସାର୍ରେ କୋଭିଡ୍ ଚିକିତ୍ସାରେ ଅବହେଳା ସମ୍ପର୍କିତ ଅଭିଯୋଗ ମାମଲାରେ ହାଇକୋର୍ଟରେ ପୂର୍ବରୁ ଅବସରପ୍ରାପ୍ତ ଜିଲ୍ଲାଜଜ୍ ଏବି.ଏସ୍. ନାଇଡୁ ରିପୋର୍ଟ ଦାଖଲ କରିଥିଲେ ।
ଉକ୍ତ ଅଭିଯୋଗ ଘଟଣାରେ ଅବସରପ୍ରାପ୍ତ ଜିଲ୍ଲାଜଜ୍ଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ହାଇକୋର୍ଟ କହିଥିଲେ । ତଦନୁଯାୟୀ ହାଇକୋର୍ଟରେ ଉକ୍ତ ତଦନ୍ତ ରିପୋର୍ଟ ଦାଖଲ ହୋଇଥିଲା । ଆସନ୍ତା ଜାନୁୟାରୀ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ପ୍ରସଙ୍ଗରେ ଆବେଦନକାରୀ ଜ୍ଞାନ ଦତ୍ତ ଚୌହ୍ୱାନଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ରେଜେଷ୍ଟ୍ରିଙ୍କୁ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଥିଲେ । ଆବେଦନକାରୀ ତଦନ୍ତ ରିପୋର୍ଟ ଠିକ୍ କରିବାକୁ ଚାହୁଁଥିଲେ ସେ ଚିକିତ୍ସା ଅବହେଳାର ଶିକାର ହୋଇଥିବା ଅନ୍ୟୁନ ୫ ଜଣ ପିଡିତଙ୍କ ସତ୍ୟପାଠ ଦାଖଲ କରିପାରିବେ ବୋଲି ହାଇକୋର୍ଟ କହିଥିଲେ ।
ଭୀମ୍ସାର୍ରେ କରୋନା ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଉଛି ବୋଲି ଅଭିଯୋଗ କରି ଆବେଦନକାରୀ ଶ୍ରୀ ଚୌହ୍ୱାନ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଏଥିରେ ଦର୍ଶାଯାଇଥିଲା ଯେ କୋଭିଡ୍ ରୋଗୀଙ୍କୁ ଉପଯୁକ୍ତ ସମୟରେ ଚିକିତ୍ସା ଯୋଗାଇ ଦିଆଯାଉନାହିିଁ । ଚିକିତ୍ସା ଅବହେଳା କାରଣରୁ କରୋନା ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆବେଦନକାରୀ କୋଭିଡ୍ରେ ଆକ୍ରାନ୍ତ ହେବା ପରେ ସେ ଭୀମ୍ସାର୍ରେ ଚିକିତ୍ସିତ ହେଉଥିଲେ ।
ତେବେ ସେଠାରେ କରୋନା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଉନାହିିଁ ବୋଲି ଅଭିଯୋଗ କରିଥିଲେ । ଏହି ଘଟଣାରେ ହାଇକୋର୍ଟଙ୍କ ଆଦେଶ ମୁତାବକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ତିନି ଜଣିଆ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଇଥିଲା । ହାଇକୋର୍ଟ ଉକ୍ତ ରିପୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ ହାଇକୋର୍ଟ ଆବେଦନକାରୀଙ୍କୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ଅନ୍ୟୁନ ୫ ଜଣଙ୍କର ସତ୍ୟପାଠ ଦାଖଲ କରିବାକୁ କହିଥିଲେ ।