ଭୁବନେଶ୍ୱର: ପାର୍ବଣରେ ଏବେ ଚିନ୍ତା ବଢ଼ାଇଛି ଦୈନିକ ସଂକ୍ରମଣ । ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ୫୦୦ରୁ ୬୦୦ ମଧ୍ୟରେ ରହୁଥିବାବେଳେ ଅଧିକାଂଶ ମାମଲା ଭୁବନେଶ୍ୱରରୁ ଚିହ୍ନଟ ହେଉଛି । ଭୁବନେଶ୍ୱର ସକାଶେ ଖୋର୍ଦ୍ଧା ଜିଲ୍ଲାରେ ଟିପିଆର ମଧ୍ୟ ଅନ୍ୟ ଜିଲ୍ଲା ଅପେକ୍ଷା ଅଧିକ ରହୁଛି । ଦୈନିକ ରାଜ୍ୟରୁ ଚିହ୍ନଟ ମୋଟ ସଂକ୍ରମିତଙ୍କ ୪୦% ଆକ୍ରାନ୍ତ କେବଳ ରାଜଧାନୀରୁ ଚିହ୍ନଟ ହେଉଛନ୍ତି । ପାର୍ବଣରେ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବାରୁ ଅଯଥା ଭିଡ଼ ନକରିବା ସହ କଟକଣାର ଅନୁପାଳନ କରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପାର୍ବଣ ସମୟରେ ଗହଳି ନ କରିବା ପାଇଁ ଆମେ ଲୋକଙ୍କୁ ସଚେତନ କରାଇବା ସତ୍ତ୍ୱେ ହାଟ ଓ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।
ଏହା ଦ୍ୱାରା ପୁଣି ଥରେ ସଂକ୍ରମଣ ବଢ଼ିବାର ସମ୍ଭାବନା ଦେଖାଯାଉଛି । ଲୋକେ ପାର୍ବଣରେ ହାଟ ବଜାର, ମଲ୍, ମାର୍କେଟ ବିଲ୍ଡିଂରେ ଅହେତୁକ ଭିଡ଼ ଲଗାଉଥିବାବେଳେ ସଂକ୍ରମଣ ପୁଣି ବଢ଼ିବା ସମ୍ଭାବନା ପ୍ରକାଶ ପାଇଛି । ତେଣୁ କମିଶନରେଟ ପୁଲିସ ଓ ବିଏମ୍ସି ସହରରେ ନିଜ ସର୍ଭେଲାନ୍ସ ସହ ହାଟ ବଜାର, ମଲ୍ ଓ ମାର୍କେଟ ବିଲ୍ଡିଂ ତଥା ଗହଳି ସ୍ଥାନଗୁଡ଼ିକରେ ଚଢ଼ଉ କରିବା ଆରମ୍ଭ କରିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଟକଣା କଡ଼ାକଡ଼ି କରିବା ନିର୍ଦ୍ଦେଶ ଥିବାବେଳେ ସୋମବାର ସନ୍ଧ୍ୟାରୁ ସହରରେ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।
ଯିଏ ବି କେହି ନିୟମ ଅବହେଳା କରୁଥିବା ନଜରକୁ ଆସନ୍ତି ତଥା ଅମାନିଆ ହୁଅନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ମହାସପ୍ତମୀଠାରୁ ମଣ୍ଡପ ଓ ଗହଳିପୂର୍ଣ୍ଣ ସ୍ଥାନରେ ସ୍କ୍ୱାର୍ଡ ପକ୍ଷରୁ ଚଢ଼ଉ ଜୋରଦାର କରାଯିବ । ଅନ୍ୟପକ୍ଷରେ ସରକାର ବାରମ୍ବାର ଲୋକଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇ ଆସୁଛନ୍ତି । ହେଲେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି । କଟକଣା ନମାନିଲେ ସଂକ୍ରମଣ ପୁଣି ବେକାବୁ ହେବା ଆଶଙ୍କା ଥିବାରୁ କଟକଣା ବଢ଼ାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।