ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ନୂଆ ଟ୍ବିଷ୍ଟ । ମୃତ ସିନା ବୋରାଙ୍କୁ ନେଇ ବଡ ବୟାନ ଦେଇଛନ୍ତି ,ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ । ସିନା ମରି ନାହାନ୍ତି , ଜୀବିତ ଅଛନ୍ତି । କଶ୍ମୀରରେ ଝିଅ ସିନା ରହୁଥିବା ଦାବି କରିଛନ୍ତି ଇନ୍ଦ୍ରାଣୀ । କାଶ୍ମୀରରେ ସିନାଙ୍କ ସନ୍ଧାନ କରିବାକୁ ସିବିଆଇକୁ ଚିଠି ଲେଖି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, କିଛିଦିନ ତଳେ ଜେଲ୍ ରେ ସେ ଜଣେ ମହିଳାଙ୍କୁ ଭେଟିଥିଲେ । ସିନା ବୋରାଙ୍କୁ କାଶ୍ମୀରରେ ଭେଟି ଥିବା କଥା ସେ ମହିଳାଜଣକ ତାଙ୍କୁ କହିଛନ୍ତି । ତେଣୁ, କଶ୍ମୀରରେ ସିନା ବୋରାଙ୍କର ସନ୍ଧାନ କରାଯାଉ ।
ଏନେଇ ଇନ୍ଦ୍ରାଣୀ ସ୍ପେସାଲ୍ ସିବିଆଇ କୋର୍ଟରେ ମଧ୍ୟ ଆବେଦନ କରିଛନ୍ତି । ଖୁବଶୀଘ୍ର ତାଙ୍କ ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି । ୨୦୧୨ ମସିହାରେ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟିଥିଲା । ଯାହା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ । ବର୍ତ୍ତମାନ ସେ ମୁମ୍ବାଇ ସ୍ଥିତ ବାଇକୁଲ୍ଲା ଜେଲରେ ଅଛନ୍ତି । ତାଙ୍କ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଦେଇଥିଲେ । ଆଗକୁ ସୁପ୍ରିମକୋର୍ଟରେ ସେ ଜାମିନ ଆବେଦନ କରିବା ନେଇ ଚର୍ଚ୍ଚା ହେଉଛି । ମୁମ୍ବାଇ ପୋଲିସ ଓ ସିବିଆଇ କହିବା ଅନୁସାରେ, ଇନ୍ଦ୍ରାଣୀ ମୁଖାର୍ଜୀ ନିଜର ଦୁଇ ସନ୍ତାନ ସିନା ଓ ମିଖେଲ୍ଙ୍କୁ ଛାଡିବା ପରେ ସେମାନେ ଗୌହାଟି ସ୍ଥିତ ଅଜା-ଆଈଙ୍କ ଘରେ ରହୁଥିଲେ । ଏହାପରେ ଇନ୍ଦ୍ରାଣୀ ପିଟର୍ ମୁଖାର୍ଜୀ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ।