ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ ବିମାନ ସେବା ଯୋଗାଣକାରୀ କମ୍ପାନି ଇଣ୍ଡିଗୋ ଏୟାର ଲାଇନ୍ସର ଅଡୁଆ ବଢ଼ୁଛି । ପାଇଲଟ ଏବଂ କ୍ୟାବିନ କ୍ରିୟୁଙ୍କ ପରେ ଏବେ ଇଣ୍ଡିଗୋର କିଛି ଷ୍ଟେସନରେ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଟେକ୍ନିସିଆନ ସାମୁହିକ ଛୁଟିରେ ଚାଲିଯାଇଛନ୍ତି ।ଫଳରେ ବିମାନ କମ୍ପାନିକୁ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡୁଛି । ମିଡିଆ ରିପୋର୍ଟ ମୁତାବକ, ବେତନରେ ଆଶାନୁରୂପ ବୃଦ୍ଧି ନ ହେବା ଯୋଗୁ କମ୍ପାନିର ବୃହତ୍ତ ସଂଖ୍ୟାରେ ଟେକ୍ନିସିଆନମାନେ ହାଇଦ୍ରାବାଦ ଏବଂ ଦିଲ୍ଲୀ ଭଳି ପ୍ରମୁଖ ସେଣ୍ଟରଗୁଡିକରେ ସାମୁହିକ ଛୁଟିରେ ରହିଛନ୍ତି । ଏ ନେଇ ଇଣ୍ଡିଗୋର ସ୍ପଷ୍ଟୀକରଣ ଲୋଡାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ । ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ, ଜୁଲାଇ ୮ରେ ହାଇଦ୍ରାବାଦଠାରେ କିଛି ଟେକ୍ନିସିଆନ ନାଇଟସିଫ୍ଟ ପାଇଁ କୌଣସି ରିପୋର୍ଟିଂ କରିନାହାନ୍ତି । ହାଇଦ୍ରାବାଦ ଏବଂ ଦିଲ୍ଲୀ ସ୍ଥିତି ଉପରେ କମ୍ପାନି ଏବେ ନଜର ରଖିଛି । ଟେକ୍ନିସିଆନ ମାନେ ସାମୁହିକ ଛୁଟିରେ ଯିବା ଯୋଗୁ ବିମାନରେ ବିଳମ୍ବ ହେବା ନେଇ ଏବେ ଯାଏ କୌଣସି ରିପୋର୍ଟ ସାମ୍ନାକୁ ଆସିନାହିଁ । ଏହି ବିମାନ କମ୍ପାନିର ମ୍ୟାନେଜମେଣ୍ଟ ଉଚ୍ଚ ସ୍ତରରେ ଅଦଳ ବଦଳ କରୁଛି । ସିଇଓ ରଣଜୟ ଦତ୍ତ, ଚିଫ୍ କମର୍ସିଆଲ ଅଫିସର ବିଲି ବୋଲ୍ଟରଙ୍କ ସମେତ ଅନ୍ୟ କିଛି ଅଧିକାରି ଇସ୍ତଫା ଦେଇଛନ୍ତି । କେଏଲ୍ଏମ୍ ରୟାଲ ଡଚ୍ ଏୟାର ଲାଇନ ଅଧ୍ୟକ୍ଷ ତଥା ସିଇଓ ପିଟର ଏଲ୍ବର୍ସ ଇଣ୍ଡିଗୋର ସିଇଓ ଭାବେ କାର୍ୟ୍ୟଭାର ସମ୍ଭାଳିବେ । ଏହି ଟ୍ରାଞ୍ଜିସନ ସମୟ ଭାରତର ସବୁଠୁ ବଡ ବିମାନ କମ୍ପାନି ପାଇଁ ଯାତ୍ରୀ ସେବା ଯୋଗାଣ ଦୃଷ୍ଟିରୁ କଠିନ ସମୟ ଭାବେ ଉଭା ହୋଇଛି ।