17.1 C
Bhubaneswar
Wednesday, December 10, 2025
Homeଓଡିଶାଭାରତର ଶକ୍ତି ଏହାର ବିବିଧତାରେ ନିହିତ: ରାଜ୍ୟପାଳ

ଭାରତର ଶକ୍ତି ଏହାର ବିବିଧତାରେ ନିହିତ: ରାଜ୍ୟପାଳ

​ଭୁବନେଶ୍ୱର: ଭାରତର ପ୍ରକୃତ ଶକ୍ତି ଏହାର ବିଶାଳ ବିବିଧତାରେ ନିହିତ ରହିଛି ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ୨୦୨୫ ନଭେମ୍ବର ୧ ତାରିଖ ଶନିବାର ଦିନ ରାଜଭବନର ନ୍ୟୁ ଅଭିଷେକ ହଲରେ ଭାରତର ୧୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଯଥା- ଜାମ୍ମୁ ଓ କାଶ୍ମୀର, ଲେହ-ଲଦାଖ, ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ନିକୋବର, ଚଣ୍ଡୀଗଡ଼, ଛତିଶଗଡ଼, ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ, କେରଳ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ପଞ୍ଜାବ ଏବଂ ତାମିଲନାଡୁର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି ।

ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ, ରାଜଭବନରେ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ପ୍ରତିଷ୍ଠା ଦିବସ ପାଳନ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ‘ଏକ ଭାରତ – ଶ୍ରେଷ୍ଠ ଭାରତ’ର ଆତ୍ମାକୁ ପ୍ରତିଫଳିତ କରୁଛି । ଉପରୋକ୍ତ ରାଜ୍ୟର ଅଧିବାସୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ରାଜ୍ୟପାଳ କହିଥିଲେ ଯେ, ଏପରି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସଂସ୍କୃତି, ପରଂପରା, ଭାଷାର ସମନ୍ୱୟ ଘଟି ଏକତାର ରାହା ପ୍ରତିଫଳିତ ହେଉଛି । ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଭାରତର ମହାନ ମହାକାବ୍ୟର ଉଜ୍ଜଳ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ । ଜାମ୍ମୁ ଓ କାଶ୍ମୀରର ବରଫ ଆଚ୍ଛାଦିତ ପାହାଡ ପର୍ବତର ସୌନ୍ଦର୍ଯ୍ୟ, କାଶ୍ମିରୀ ଶାଲ୍ ର କୋମଳତା, ଲେହ-ଲଦାଖର ଶାନ୍ତ ମାଳଭୂମି, ଆନ୍ଧ୍ର ପ୍ରଦେଶର କୁଚିପୁଡି ନୃତ୍ୟର ଲାଳିତ୍ୟ, ଉପକୂଳୀୟ ଖାଦ୍ୟ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସେଲୁଲାର ଜେଲ କାନ୍ଥରେ ନିହିତ ସ୍ୱାଧୀନତା ସଂଗ୍ରାମର ସାହସର କାହାଣୀ, ଚଣ୍ଡୀଗଡର ସୁପରିକଳ୍ପିତ ଡିଜାଇନ ଓ ସବୁଜିମା, ଛତିଶଗଡ଼ର ସ୍ପନ୍ଦନଶୀଳ ଜନଜାତି ପରଂପରା ମାଧ୍ୟମରେ ପ୍ରକୃତି ଓ ସଂସ୍କୃତି ମଧ୍ୟରେ ସମନ୍ୱୟ, ଦିଲ୍ଲୀର କାଳଜୟୀ ହୃଦୟ ଯେଉଁଠାରେ ସାମ୍ରାଜ୍ୟ ଗଢ଼ି ଉଠିଛି ଏବଂ ପତନ ହୋଇଛି ତଥାପି ଶାସନ ଏବଂ ବୌଦ୍ଧିକତାର ଶିଖା ଜଳୁଛି, ହରିୟାଣାର ଉର୍ବର କ୍ଷେତ୍ର ଓ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା, କର୍ଣ୍ଣାଟକରେ ମହୀଶୂରର ଐତିହ୍ୟ କୃପା ଓ ବେଙ୍ଗାଲୁରୁର ନବସୃଜନ, କେରଳର ପୃଷ୍ଠଭୂମି, ଆୟୁର୍ବେଦ ଏବଂ ସାକ୍ଷରତା, ଲକ୍ଷାଦ୍ୱୀପର ସାମୁଦ୍ରିକ ପରିଚୟ, ମଧ୍ୟପ୍ରଦେଶର ଖଜୁରାହୋର ଅନନ୍ତ ସୌନ୍ଦର୍ଯ୍ୟ ଏବଂ ଶାନ୍ତିସ୍ତୁପର ପ୍ରଶାନ୍ତି ଓ ସୌନ୍ଦର୍ଯ୍ୟ, ପୁଡୁଚେରୀ ଉପକୂଳର ଅନନ୍ୟ ଆକର୍ଷଣ, ପଂଚ ନଦୀର ଭୂମି ପଞ୍ଜାବ – ସ୍ୱର୍ଣ୍ଣକ୍ଷେତ୍ରରୁ ଶକ୍ତି, ଉଦାରତା ଏବଂ ଭକ୍ତିର ସ୍ପନ୍ଦନ, ସ୍ୱର୍ଣ୍ଣ ମନ୍ଦିରରେ ଝଲସୁଥିବା ପବିତ୍ରତା, ଦ୍ରାବିଡ ସଭ୍ୟତାର ଜନ୍ମଭୂମି ତାମିଲନାଡ଼ୁର ଶାସ୍ତ୍ରୀୟ କଳା, ମନ୍ଦିର ସ୍ଥାପତ୍ୟ ଏବଂ ଭାରତନାଟ୍ୟମର ତାଳର ମାଦକତା ସଂପର୍କରେ ରାଜ୍ୟପାଳ ଅବତାରଣା କରି ଏହି ଅଂଚଳଗୁଡ଼ିକ ଏକାଠି ଭାରତର ଜୀବନ୍ତ ଆତ୍ମା ଗଠନ କରିଛନ୍ତି ଏବଂ ବିବିଧତାରେ ଏକତାର କାଳଜୟୀ ଭାବନାକୁ ବଜାୟ ରଖିଛନ୍ତି ବୋଲି କହିଥିଲେ । ଓଡ଼ିଶା ସଂପର୍କରେ ରାଜ୍ୟପାଳ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ଓଡ଼ିଶା ପ୍ରତ୍ୟେକ ଅଂଚଳ ସହିତ ଅନ୍ତର୍ଭୂକ୍ତି ଏବଂ ଶ୍ରଦ୍ଧାର ଭାବନା ଗଭୀରଭାବେ ବାଂଟୁଛି । ଓଡ଼ିଶାର ଅନୁପମ ଖାଦ୍ୟ, ଏହାର ସୁନ୍ଦର ଓଡ଼ିଶୀ ନୃତ୍ୟ, ଭବ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ଅନ୍ୟ ମନ୍ଦିର ଏହାର ସ୍ଥାପତ୍ୟ ମଣିଷ, ପ୍ରକୃତି ଏବଂ ଦିବ୍ୟତା ମଧ୍ୟରେ ସମନ୍ୱୟର ସାର୍ବଜନୀନ ବର୍ତାକୁ ପ୍ରତିଫଳିତ କରୁଛି । ​ଓଡ଼ିଶା ସର୍ବଦା ଭାରତର ପ୍ରତ୍ୟେକ ଅଂଚଳର ଲୋକଙ୍କ ପାଇଁ ତା’ର ହୃଦୟ ଖୋଲି ଦେଇଛି ବୋଲି ରାଜ୍ୟପାଳ କହିଥିଲେ । ଏହି ଅବସରରେ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ଅଧିବାସୀମାନେ ଯେଉଁମାନେ ଓଡ଼ିଶାକୁ ନିଜର ଦ୍ୱିତୀୟ ଘର କରିଛନ୍ତି ଏବଂ ଓଡ଼ିଶାର ଅଭିବୃଦ୍ଧି, ସଂସ୍କୃତି ଏବଂ ସମାଜ ଗଠନରେ ଅବଦାନ ରଖିଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମପାଟି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆରକ୍ଷୀ ମହା ନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଡ. ତିରୁମାଲା ନାୟକ, ବରିଷ୍ଠ ଆଇ.ଏଫ୍.ଏସ୍. ଅଫିସର କେ. ମୁରୁଗେସନ୍ ଓ ମନୋଜ ଭି ନାୟାରଙ୍କ ସମେତ ଅନ୍ୟ ରାଜ୍ୟରେ ଜନ୍ମଗ୍ରହଣ କରି ଓଡ଼ିଶାରେ ସେବା କରୁଥିବା ପଦାଧିକାରୀ /ବ୍ୟକ୍ତିବିଶେଷ ନିଜ ନିଜ ରାଜ୍ୟର ବୈଶିଷ୍ଟ୍ୟ ସଂପର୍କରେ ଆଲୋକପାତ କରି ଓଡ଼ିଶା ସହ ସଂପର୍କ ଏବଂ ଓଡ଼ିଶାର ମହାନତା ସଂପର୍କରେ ଅବତାରଣା କରିଥିଲେ । ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଉପରୋକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking